ବ୍ରହ୍ମପୁର, ୧୨/୬(ବ୍ୟୁରୋ): କୃଷି ଉତ୍ପାଦ ରପ୍ତାନି କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ନମ୍ବର ହେବ। ଏଥିରେ ମୁଖ୍ୟ ଭୂମିକା ଗଞ୍ଜାମ ଗ୍ରହଣ କରିବ। ସେହିପରି ଆଗାମୀ ଦିନରେ ଓଡ଼ିଶାରେ ଅଧିକ ମାତ୍ରାରେ ଅଟୋମୋବାଇଲ ଓ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଯୋଜନା କରୁଛନ୍ତି। ବିଜେପି ନିର୍ବାଚନ ସମୟରେ ୨୨ ଗୋଟି ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା । ସେଥି ମଧ୍ୟରୁ ପ୍ରଥମ ବର୍ଷରେ ୧୧ ଟି ପ୍ରତିଶ୍ରୁତି ପୂରଣ କରିଛି । ଆସନ୍ତା ୪ ବର୍ଷରେ ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ବିକସିତ ହେବ ବୋଲି ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।
ଗୁରୁବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦିନିକିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି । ସରକାର ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ପ୍ରଥମେ ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ। ଏହାପରେ ବ୍ରହ୍ମପୁର ବିଧାୟକଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ କରି ସରକାରଙ୍କ ଏକ ବର୍ଷର ବିକାଶ ରିପୋର୍ଟ ପ୍ରଦାନ କରିଛନ୍ତି। ଏହାପରେ ସର୍କିଟ ହାଉସ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିକାଶ ବାହନ ଉଦଘାଟନ କରିଥିଲେ। ଏହାପରେ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ବଣ୍ଟନ କରିଥିଲେ।
ଏହି ଗସ୍ତ ସମୟରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଆସିକା ବିଧାୟକ ସରୋଜ ପାଢୀ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ ରଞ୍ଜନ ପୃଷ୍ଟି, ବିଏମସୀ ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, କଲ୍ୟାଣୀ ସଂଘମିତ୍ରା, ସିଡିଏମଓ ଭବାନୀ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।