ରାଇରଙ୍ଗପୁର,୯।୮(ଆପ୍ର) : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ରାଇହରି ପଞ୍ଚାୟତ ବାଗଡେଗା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ଦ୍ଵାରା ପୁର୍ବରୁ ନିର୍ଦ୍ଧାରିତ ଜୋରିମାନା ସୁଧ ସହ ପରିବାର ଲୋକ ଦେଇ ନ ଥିବାରୁ ମୃତଦେହ ସତ୍କାର ହୋଇ ପାରୁ ନାହିଁ। ଗ୍ରାମର ଜାତି ଭାଇ ପୂର୍ବ ଜୋରିମାନା ପୈଠ କରିବା ଦାବିରେ ମୃତଦେହ ଛାଡୁ ନାହାନ୍ତି।
ରାଇହରି ପଞ୍ଚାୟତ ବାଗଡେଗା ଗ୍ରାମର କାପୁରା ସରେନଙ୍କ ମୃତ୍ୟୁ ଘଟିଛି। କିନ୍ତୁ କାପୁରା ସରେନଙ୍କ ପରିବାରର ଜଣେ ଯୁବତୀ ଗତ ୨୦୧୫ ମସିହାରେ ସାଧାରଣ ବର୍ଗର ଯୁବକକୁ ଭଲ ପାଇ ବାହା ହୋଇଥିଲେ। ଏନେଇ ଗ୍ରାମରେ ଏକ ବୈଠକ କରି ଉକ୍ତ ପରିବାରକୁ ଦୋଷୀ ସାବ୍ୟସ୍ତ କରି ପଚାଶ ହଜାର ଟଙ୍କା ଜୋରିମାନା କରିଥିଲେ। କିନ୍ତୁ ଠିକ ସମୟରେ ଜୋରିମାନା ଦେଇ ପାରି ନ ଥିବା ବେଳେ ଗ୍ରାମର ସମୂହ ପୂଜା ପାଠ ଓ ଅନ୍ୟାନ୍ୟ କାର୍ଯ୍ୟରେ ଗ୍ରାମବାସୀ କାପୁରାଙ୍କ ପରିବାରକୁ ବାସନ୍ଦ କରି ରଖିଛନ୍ତି। ଏନେଇ ପୀଡ଼ିତା ପରିବାର ନିଜ ସମାଜର ଆସେକା ଅନୁଷ୍ଠାନ ଓ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସମାଧାନର ପନ୍ଥା ବାହାରି ନ ଥିଲା। ଓଲଟି ଆସେକା ଓ ଥାନା ଯିବା ଆସିବା ଖର୍ଚ୍ଚ ଜୋରିମାନା ସହ ସୁଧ ମିଶି ଦେବାକୁ ଗ୍ରାମ ବାସି ଅଡି ବସିଥିବା ବେଳେ ନିସହାୟ ପରିବାର ନିରୁପାୟ ହୋଇପଡ଼ିଛନ୍ତି। ଏ ନେଇ ଏସଡିପିଓ ଗୋକୁଳା ନନ୍ଦ ସାହୁ କହିଛନ୍ତି କି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମାଧାନର ବାଟ ଖାଜୁଛନ୍ତି।