ନୂଆଦିଲ୍ଲୀ,୨୫/୦୮: ଦେଶରେ ଚହଳ ପକାଇଛି ଗ୍ରେଟର ନୋଏଡ଼ା ଯୌତୁକଜନିତ ହତ୍ୟାକାଣ୍ଡ । ଯୌତୁକ ପାଇଁ ୨୮ ବର୍ଷୀୟ ନିକ୍କି ଭଟାଙ୍କୁ ଶାଶୂଘର ଲୋକ ନିର୍ମମ ଭାବେ ହତ୍ୟା କରିଛନ୍ତି । କୁନି ପୁଅ ଆଗରେ ମା'କୁ ନିଆଁ ଲଗାଇ ଜିଅନ୍ତ ଜାଳି ଦେଇଥିଲେ । ଏ ଘଟଣା ପରେ ନାରୀ ସୁରକ୍ଷାକୁ ଅନେକ ପ୍ରଶ୍ନ ଉଠିଛି । ଏ ମାମଲାକୁ ନେଇ ପୂର୍ବତନ ଆଇପିଏସ ଅଧିକାରୀ କିରଣ ବେଦୀ କହିଛନ୍ତି ଏବେ ପୁଅଙ୍କୁ ସମ୍ପତ୍ତି ଓ ଝିଅଙ୍କୁ ବୋଝ ବୋଲି ଭାବୁଛି ଏ ସମାଜ ।
କିରଣ ବେଦୀ କହିଛନ୍ତି,ଏହି ମାମଲା ମଧ୍ୟଯୁଗୀୟ ସମୟରୁ ସମାଜର ଏକ ମାନସିକତାକୁ ପ୍ରତିଫଳିତ କରୁଛି, ଯାହା ଝିଅମାନଙ୍କୁ "ବୋଝ" ଏବଂ ପୁଅମାନଙ୍କୁ "ଧନର ଉତ୍ସ" ଭାବରେ ଦେଖୁଥିଲା । ଗ୍ରେଟର ନୋଏଡ଼ା ହତ୍ୟାକାଣ୍ଡ ଅତ୍ୟନ୍ତ "ଅମାନବୀୟ" । "ଏବେ ବି ସମାଜରେ ଯୌତୁକ ଭୋକର ଅନ୍ତ ହୋଇନାହିଁ । ତାଙ୍କୁ ଯେଉଁଭଳି ଭାବରେ ଜାଳି ଦିଆଯାଇଥିଲା, ତାହା ପ୍ରତିଫଳିତ କରେ ଯେ, ପୂର୍ବରୁ ଆମ ସମାଜରେ ପୁଅମାନଙ୍କୁ ସମ୍ପତ୍ତି ଭାବରେ ଦେଖାଯାଉଥିଲା, ଯେତେବେଳେ ଝିଅମାନଙ୍କୁ ଧନ ହରଣ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଭାବରେ ଦେଖାଯାଏ । ଏହି ମାନସିକତା ଆଜି ମଧ୍ୟ ରହିଛି । ଝିଅମାନଙ୍କୁ ବୋଝ ଭାବିବା ବନ୍ଦ କରିବାକୁ ହେବ । ଏହି ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ । "
କଣ ମାମଲା ? ୨୦୧୬ରେ ନିକ୍କି ଭଟା ଓ ତାଙ୍କ ଭଉଣୀ କାଞ୍ଚନଙ୍କ ବିବାହ ଗୋଟିଏ ଘରେ ହୋଇଥିଲା । ଦୁଇ ଝିଅଙ୍କ ବିବାହ ପାଇଁ ବାପଘର ଯୌତୁକରେ ନିଜ ସାମର୍ଥ୍ୟ ଅନୁସାରେ ସବୁକିଛି ଦେଇଥିଲେ । ଦାମୀ ସ୍କ୍ରପିଓ ଦେଇଥିଲେ । ତଥାପି ଶଶ୍ୱର ଘରଙ୍କ ଲୋକଙ୍କ ମନ ବୁଝିନଥିଲା । ନିକ୍କିଙ୍କୁ ନିର୍ମମ ଭାବରେ ମାଡ଼ ମାରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଭଉଣୀ କାଞ୍ଚନ । ୩୬ ଲକ୍ଷ ଟଙ୍କା ଯୌତୁକ ଦାବି କରୁଥିଲେ ନିକ୍କିଙ୍କ ଶାଶୂଘର ଲୋକ । ଗ୍ରେଟର ନୋଏଡାର ଏକ ପରିବାର ଉପରେ ସେମାନଙ୍କ ବୋହୂଙ୍କୁ ନିର୍ମମ ଭାବରେ ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାଟି ଅଗଷ୍ଟ ୨୧ ତାରିଖରେ ଘଟିଥିଲା । ନିକ୍କିଙ୍କୁ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ କୁନି ପୁଅ ଆଗରେ ନିଆଁ ଲଗାଇ ଜାଳି ଦେଇଥିଲେ । ଶନିବାର ଦିନ, ମାମଲାସହିତ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଘଟଣାର ଖୁଲାସା ହୋଇଛି । ହତ୍ୟାକାଣ୍ଡରେ ନିକ୍କିଙ୍କ ସ୍ୱାମୀ, ଶାଶୂ-ଶଶୂର ଓ ଦେଢଶୂର ଗିରଫ ହୋଇଛନ୍ତି ।