ରାୟପୁର, ୨୮/୦୫ : ମାଓବାଦୀ ସଙ୍ଗଠନକୁ ପୁଣି ଧକ୍କା ଲାଗିଛି । ସିପିଆଇମାଓବାଦୀ ସଙ୍ଗଠନର ମହାସଚିବ ନମ୍ବାଲା କେଶବରାଓ ଓରଫ ବାସବରାଜ ନିହତ ହେବାରେ ୬ ଦିନ ମଧ୍ୟରେ ୫୧ ଜଣ କ୍ୟାଡର ଆତ୍ମସମର୍ପଣ କରିଛନ୍ତି । ଏନକାଉଣ୍ଟର ଭୟରେ ସେମାନେ ଜଙ୍ଗଲରୁ ବାହାରି ସମାଜର ମୁଖ୍ୟ ସ୍ରୋତକୁ ଫେରୁଥିବା କହିଛନ୍ତି ବସ୍ତର ଆଇଜିପି ପି.ସୁନ୍ଦରରାଜ । ଏମାନଙ୍କ ମଧ୍ୟରେ ସିପିଆଇମାଓବାଦୀ ପିଏଲଜିଏ (ପିପୁଲ୍ସ ଲିବରେସନ ଗରିଲା ଆର୍ମି) ବାଟାଲିଅନ୍ ନଂ-୧ର ୪ ଜଣ କ୍ୟାଡରଙ୍କ ଆତ୍ମସମର୍ପଣ ହିଁ ବେଶ୍ ଗୁରୁତ୍ୱ ବହନ କରୁଥିବା କୁହାଯାଇଛି । କାରଣ ମାଓ ସଙ୍ଗଠନ କେନ୍ଦ୍ରୀୟ କମିଟିର ସର୍ବକନିଷ୍ଠ ସଦସ୍ୟ ହିଡମା ଅଧୀନରେ ହିଁ ଅଛି ବାଟାଲିଅନ-୧ । କିଛି ଦିନ ତଳେ ବାସବରାଜଙ୍କ ଅଧୀନରେ ଥିବା ପ୍ଲାଟୁନର ୭ ଜଣ କ୍ୟାଡର ଆତ୍ମସମର୍ପଣ କରିଥିଲେ ଏବଂ ସେମାନଙ୍କଠାରୁ ସଂଗୃହୀତ ତଥ୍ୟ ଆଧାରରେ ବାସବରାଜଙ୍କ ଏନକାଉଣ୍ଟର ହୋଇଥିଲା । ଏବେ ସୁରକ୍ଷା ବାହିନୀର ନଜର ରହିଛି ମାଡଭୀ ହିଡ଼ମା ଓରଫ ହିଡମାଳୁ ଓରଫ ସନ୍ତୋଷ ଉପରେ ।
୨୦୦୮ ମସିହା ପରେ ମାଓ ସଙ୍ଗଠନର ପ୍ରତ୍ୟେକ ବଡ଼ ହିଂସାରେ ହିଡମା ସଂପୃକ୍ତ । ବିଶେଷ କରି ଅପରେସନର ନେତୃତ୍ୱ ସେ ନିଜେ ନେଉଥିବାରୁ ଦୁର୍ଦ୍ଦାନ୍ତ ଓ ଚତୁର କମାଣ୍ଡର ତାଲିକାରେ ତା ନାମ ରହିଛି । ୧୯୮୧ ମସିହାରେ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ପୁରଭାଟି ଗ୍ରାମରେ ଜନ୍ମିତ ହିଡମା ପଞ୍ଚମ ଶ୍ରେଣୀ ପାସ୍ କରିଛି । ସେ ମୁରିଆ ଆଦିବାସୀ ସମ୍ପ୍ରଦାୟର ଏବଂ ମାଓ ସଙ୍ଗଠନରେ ଉଚ୍ଚ ପଦବୀରେ ଥିବା ଛତିଶଗଡ଼ର ଏକମାତ୍ର ଆଦିବାସୀ । ୧୯୯୦ ମସିହାରେ ସେ ପିଲାବେଳୁ ମାଓ ସଙ୍ଗଠନରେ ସାମିଲ ହୋଇଥିଲା । ଖୁବ ଶୀଘ୍ର ସେ ଗରିଲା ଯୁଦ୍ଧରେ ପାରଙ୍ଗମ ହୋଇ ପଦୋନ୍ନତି ପାଇଚାଲିଥିଲା । ସେ କେନ୍ଦ୍ରୀୟ କମିଟିର ସଦସ୍ୟ ରହିବା ସହ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ମଧ୍ୟ ରହିଛି । ବାସବରାଜ ନିହତ ହେବା ପରେ ହିଡମାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ ଯେ ବାଟାଲିଅନ-୧ର ୮୦%ରୁ ଅଧିକ କ୍ୟାଡରଙ୍କ ପାଖରେ ରହିଛି ଏକେ-୪୭, ସେମିଅଟୋମେଟିକ ରାଇଫଲ, ଏସଏଲଆର ଏବଂ ମେସିନଗନ୍ । ତିନି ସ୍ତରୀୟ ସୁରକ୍ଷା ଘେରରେ ହିଡମା ବୁଲୁଥିବା ବେଳେ ତା’ ସହ ବାଟାଲିଅନ-୧ରୁ କ୍ୟାଡର ଆତ୍ମସମର୍ପଣ କରିବା ଘଟଣାରୁ ହିଡମାର ଆଧିପତ୍ୟ ହ୍ରାସର ସୂଚନା ମିଳୁଛି ବୋଲି ସୁନ୍ଦରରାଜନ କହିଛନ୍ତି ।
ଗତ ଜାନୁଆରୀ ୧୯ ତାରିଖରେ ଓଡ଼ିଶା-ଛତିଶଗଡ଼ ସୀମାରେ ଏନକାଉଣ୍ଟରରେ ହିଡମାର ଗୁରୁ ଚଲାପତି ଓରଫ ଆପ୍ପା ରାଓ ନିହତ ହୋଇଥିବା ବେଳେ ହିଡମା ଅଳ୍ପକେ ବର୍ତ୍ତି ଯାଇଥିଲା । ଏହା ପୂର୍ବରୁ ସେହି ମାସ ୧୬ ତାରିଖରେ ଛତିଶଗଡ଼ର ପୂଜାରୀକାଙ୍କେର ଅଞ୍ଚଳରେ ମଧ୍ୟ ସେ ଏନକାଉଣ୍ଟରରୁ ବର୍ତ୍ତିଥିଲା । ହିଡମା ବାସବରାଜଙ୍କ ପାଖରୁ ମଧ୍ୟ ଗରିଲା ଯୁଦ୍ଧର ପ୍ରଶିକ୍ଷଣ ପାଇଛି । ତେଣୁ ମାଓ ସଙ୍ଗଠନ ପୁଣି ସକ୍ରିୟ ହୋଇପାରିବ କି ନାହିଁ ତାହା ହିଡମା ଉପରେ ନିର୍ଭର କରୁଛି । ଏଭଳି ସ୍ଥିତିରେ ହିଡ଼ମାକୁ ନିପାତ କରି ମାଓ ସଙ୍ଗଠନରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ସୁରକ୍ଷା ବାହିନୀ ତତ୍ପର ହୋଇଉଠିଛି । ଅପରପକ୍ଷରେ ପରିବାର ଲୋକଙ୍କୁ ବାସବରାଜର ମୃତଦେହ ହସ୍ତାନ୍ତର ନକରି ଅନ୍ତ୍ୟେଷ୍ଟି କରିଥିବାରୁ ଛତିଶଗଡ଼ ପୁଲିସକୁ ଦେଶର ବିଭିନ୍ନ ସଙ୍ଗଠନ ସମାଲୋଚନା କରିଛନ୍ତି । ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଛତିଶଗଡ଼ ପୁଲିସ ମାନିନଥିବା କହିଛନ୍ତି ବାସବଙ୍କ ଭାଇ ଏନ. ଧିଲେଶ୍ୱର ରାଓ କହିଛନ୍ତି । ପୁଲିସ ବିରୋଧରେ ସେ କୋର୍ଟ ଅବମାନନା ମାମଲା କରିବେ ବୋଲି କହିଛନ୍ତି । ଧିଲେଶ୍ୱର ଏବଂ ଅନ୍ୟ ଜଣେ ଭାଇ ରାମପ୍ରସାଦ ଛତିଶଗଡ଼ର ନାରାୟଣପାଟଣା ପୁଲିସକୁ ମୃତଦେହ ହସ୍ତାନ୍ତର ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ବାସବଙ୍କ ସହ ପରିବାର ଫଟୋ ମାଗିଥିଲେ । ମାତ୍ର ୫୦ ବର୍ଷ ପୂର୍ବରୁ ବାସବ ଘରୁ ପଳାଇଥିବାରୁ ଫଟୋ ନଥିବା ସେମାନେ ଦର୍ଶାଇଥିଲେ । ଏହି କାରଣରୁ ସେମାନେ ମୃତଦେହ ପାଇଁ ଆଇନଗତ ଦାବିଦାର ହୋଇପାରିବେନି ବୋଲି ପୁଲିସ ସଫେଇ ଦେଇଛି ।