ନୂଆଦିଲ୍ଲୀ,୧୨/୦୬: ଏଣିକି ୨୦ ଡ଼ିଗ୍ରୀ ତଳକୁ ଚାଲିବନି ଏସି । ଏୟାର କଣ୍ଡିସନିଂ ବା ଏସିର ତାପମାତ୍ରା ବ୍ୟବସ୍ଥାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ଏସି ତାପମାତ୍ରା ନିୟନ୍ତ୍ରଣରେ ନୂଆ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର ହେଉଥିବା ଏସିରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୨୮ ଡିଗ୍ରୀ ରହିବା ନେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର।
କେନ୍ଦ୍ର ସରକାର ଏୟାର କଣ୍ଡିସନର ପାଇଁ ନୂଆ ନିୟମ ଆଣିବାକୁ ଯାଉଛନ୍ତି। ଯାହା ଦ୍ବାରା ହୋଇପାରିବ ଶକ୍ତି ସଂଚୟ । ଏସି ଗୁଡ଼ିକର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ଓ ସର୍ବାଧିକ ୨୮ ଡିଗ୍ରୀ ସେଲସିୟସ ମଧ୍ୟରେ ରଖିବାକୁ କରାଯାଉଛି ବିଚାର । ପ୍ରଥମେ ଏହାକୁ ଏକ ପରୀକ୍ଷାମୂଳକ ପ୍ରୟୋଗ ଭାବେ ଲାଗୁ କରାଯିବ । ଏହି ନୂଆ ନିୟନ୍ତ୍ରଣ ବ୍ୟବସ୍ଥା କେବଳ ଘରୋଇ ଓ ବାଣିଜ୍ୟିକ କ୍ଷେତ୍ର ବା ଅଫିସରେ ନୁହେଁ,ବରଂ ଗାଡିରେ ଥିବା ଏସିରେ ମଧ୍ୟ ଆସିବ । ଜଳବାୟୁ ପରିବର୍ତ୍ତନ, ବର୍ଦ୍ଧିତ ତାପମାତ୍ରା ଏବଂ ଶୀତଳୀକରଣ ଉପକରଣର ବ୍ୟବହାର ବଢୁଥିବା ବେଳେ ଏହି ନିୟମ ଆଣିବାକୁ ଚିନ୍ତା କରିଛନ୍ତି କେନ୍ଦ୍ର ସରକାର । ଏହି ନିୟମ ଦ୍ୱାରା ଶକ୍ତି ଦକ୍ଷତା ବୃଦ୍ଧି ହେବା ସହିତ ଅନାବଶ୍ୟକ ବିଜୁଳି ବିଲକୁ ହ୍ରାସ କରିପାରିବ । ସାଧାରଣତଃ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ତୁଳନାରେ ଏସିରେ ଅଧିକ ବିଜୁଳି ଶକ୍ତି ଖର୍ଚ୍ଚ ହୋଇଥାଏ, କିନ୍ତୁ ଏହି ନୂତନ ନିୟମ ଆସିବା ଦ୍ୱାରା ପିକ୍ ଆୱାରରେ ବିଜୁଳି ଶକ୍ତି ହ୍ରାସ କରିବାରେ ସହାୟକ ହେବ । ବର୍ତ୍ତମାନ ଏସିର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀରୁ ୧୮ ଡିଗ୍ରୀ ଯାଏ ତାପମାତ୍ରାରେ ଚାଲୁଛି । ଯାହାଫଳରେ ଏସିରେ ଅତ୍ୟନ୍ତ କମ କୁଲିଂ ସେଟିଂ ଯୋଗୁଁ ବିଜୁଳି ବିଲ୍ ବୃଦ୍ଧି ପାଇବା ସହ ବିଜୁଳି ଶକ୍ତି ଅଧିକ ଖର୍ଚ୍ଚ ହେଉଛି । ୨୦୨୦ରେ ବ୍ୟୁରୋ ଅଫ ଏନର୍ଜି ଏଫିସିଏନ୍ସିର ନିର୍ଦ୍ଦେଶ ଅନୁଯାୟୀ, ଘରେ ଏବଂ କାରରେ ବ୍ୟବହାର ହେଉଥିବା ଏସିରେ ୨୪ ଡିଗ୍ରୀ ସେଲସିୟସ ଏବଂ ଅଫିସମାନଙ୍କରେ ୨୪ରୁ ୨୫ ଡିଗ୍ରୀ ସେଲସିୟସ ତାପମାତ୍ରା ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । । ତେବେ ସରକାରଙ୍କ ଏହି ଯୋଜନା ସଫଳ ହେଲେ ଲୋକମାନଙ୍କର ବ୍ୟକ୍ତିଗତ ଭାବେ ବିଦ୍ୟୁତ ସଂଚୟ ହେବା ସହ ବିଜୁଳି ବିଲ ମଧ୍ୟ କମିବ ।