ଅହମ୍ମଦାବାଦ,୧୩/୦୬: ‘ରଖେ ହରି, ମାରେ କିଏ’। ଅହମ୍ମଦାବାଦ ବିମାନ ଦୁର୍ଘଟଣାରୁ ଏହା ପ୍ରମାଣିତ ହୋଇଛି । ମୋଟ ୨୪୨ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣ ପ୍ରାଣ ହରାଇଛନ୍ତି । ଆଶ୍ଚର୍ଯ୍ୟଜନକ ରୂପେ ବର୍ତ୍ତିଯାଇଛନ୍ତି ରମେଶ ବିଶ୍ୱାସ କୁମାର । ମୃତ୍ୟୁପଞ୍ଝାରୁ ସେ ମୁକୁଳି ଆସିଛନ୍ତି । କେମିତି ବଞ୍ଚିଗଲେ ରମେଶ ? ଏହା ବୋଧ ହୁଏ ଭଗବାନଙ୍କ ଆଶୀର୍ବାଦ ।
କେମିତି ବଞ୍ଚିଲେ ରମେଶ- ବୋଇଙ୍ଗ୍ ୭୮୭ ଡ୍ରିମ୍ଲାଇଟ୍ (ଏଆଇ ୧୭୧) ୧୧ ଏ ସିଟ୍ରେ ବସିଥିବା ବିଶ୍ୱାସ ରମେଶ ବଞ୍ଚିବା ସମସ୍ତଙ୍କୁ ଚକିତ କରିଛି । ଅନେକ ସମୟରେ ୧୧ଏ ସିଟ୍କୁ ପସନ୍ଦ କରନ୍ତି ନାହିଁ ଯାତ୍ରୀ । ରମେଶଙ୍କ ସିଟ୍ ନମ୍ବର ୧୧ଏ ଥିଲା । ଗତବର୍ଷ ଜଣେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ କହିଥିଲେ ୧୧ଏ ଏବଂ ୧୧ ଏଫ ସିଟ୍ରେ ବସିଥିବା ଯାତ୍ରୀ ସୁରକ୍ଷିତ ରହିଥାନ୍ତି । କାରଣ ଏହା ପ୍ଲେନ୍ର ମଧ୍ୟଭାଗରେ ରହିଥାଏ । ତେଣୁ କୌଣସି ଅଘଟଣ ହେଲେ ବିମାନକୁ ବାହାରିବା ସୁଯୋଗ ମିଳିଥାଏ । ଦୁଇସିଟ୍ ଝରକା ପରି ହୋଇଥାଏ ।
୪୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ନାଗରିକ ରମେଶ ଗୁଜରାଟରେ ରହୁଥିବା ନିଜ ପରିବାର ଲୋକଙ୍କୁ ଭେଟିବାକୁ ଭାରତ ଆସିଥିଲେ । ଗୁରୁବାର ଲଣ୍ଡନ ଫେରୁଥିବାବେଳେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ । ରମେଶ ଏୟାର ଇଣ୍ଡିଆ ବିମାନର ସିଟ୍ ନମ୍ବର ୧୧-ଏରେ ବସିଥିଲେ । ନିଜର ଲୋମଟାଙ୍କୁରା ଅନୁଭୂତିକୁ ବଖାଣି ସେ କହିଛନ୍ତି, ଟେକ୍- ଅଫ୍ର ୩୦ ସେକେଣ୍ଡ ପରେ ବିମାନଟି ଜୋରଦାର ଶବ୍ଦ ସହିତ ଦୁର୍ଘଟଣାଗ୍ରସ୍ତ ହେଲା । ତାଙ୍କର ଚେତା ଫେରିବା ବେଳକୁ ଚାରିପଟେ ମୃତଦେହ ପଡ଼ିଥିଲା । ରମେଶଙ୍କ ଛାତି, ଆଖି ଓ ପାଦରେ ଗୁରୁତର ଆଘାତ ଲାଗିଥିବାବେଳେ ଶରୀରର ଅନ୍ୟ ଭାଗରେ ସାମାନ୍ୟ କ୍ଷତ ରହିଛି । ପାଦରେ କ୍ଷତ ଯୋଗୁ ସେ ସାମାନ୍ୟ ଛୋଟେଇ ଚାଲୁଥିବା କିଛି ଭିଡିଓରେ ଦେଖିବାକୁ ମିଳିଛି ।
ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ AI-787 ଦୁର୍ଘଟଣା ହୋଇଥିଲା । ଏହି ଭୟଙ୍କର ବିମାନ ଦୁର୍ଘଟଣା ପୂରା ଦେଶକୁ ସ୍ତବ୍ଧ କରି ଦେଇଛି । ବିମାନରେ ଥିବା ୨୪୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସେପଟେ ହସ୍ପିଟାଲରେ ରମେଶଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।