ନୂଆଦିଲ୍ଲୀ,୧୩/୦୬: ଅହମ୍ମଦାବାଦ ଏୟାର ଇଣ୍ଡିଆ ଦୁର୍ଘଟଣା ସମ୍ପର୍କରେ ଦୁଇଜଣ ଡାକ୍ତର ସିଜେଆଇଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ଉଭୟେ ସିଜେଆଇଙ୍କୁ ସ୍ୱତଃ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଡାକ୍ତରମାନେ ଅନୁରୋଧ କରିଛନ୍ତି ଯେ ସୁପ୍ରିମକୋର୍ଟ ଏହି ଘଟଣାର ସ୍ୱତଃ ତଦନ୍ତ କରି କେନ୍ଦ୍ର ସରକାରଙ୍କୁ ଯଥାଶୀଘ୍ର ପୀଡ଼ିତମାନଙ୍କୁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ। ସେମାନେ ବିମାନ ଦୁର୍ଘଟଣାର କାରଣ ଖୋଜିବା ପାଇଁ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ମଧ୍ୟ କରିଛନ୍ତି।
ଡକ୍ଟର ସୌରଭ କୁମାର ଏବଂ ଡକ୍ଟର ଧ୍ରୁବ ଚୌହାନ ସେମାନଙ୍କ ଚିଠିରେ ତ୍ରିବେଣୀ କୋଡକାନି ବନାମ ଏୟାର ଇଣ୍ଡିଆ ଲିମିଟେଡ୍ ଏବଂ ଅନ୍ୟାନ୍ୟ ମାମଲାରେ ସୁପ୍ରିମକୋର୍ଟଙ୍କ ୨୦୨୦ ରାୟକୁ ଦର୍ଶାଇଛନ୍ତି, ଯାହାକି ୨୦୧୦ ମାଙ୍ଗାଲୋର ବିମାନ ଦୁର୍ଘଟଣା ସହିତ ଜଡ଼ିତ ଏକ ମାମଲା ଥିଲା, ଯେଉଁଥିରେ କ୍ଷତିପୂରଣ ନିର୍ଣ୍ଣୟ ପାଇଁ ନୀତି ସ୍ଥିର କରାଯାଇଥିଲା। ଆବେଦନରେ କୁହାଯାଇଛି ଯେ ସୁପ୍ରିମକୋର୍ଟ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ (ବିମାନରେ ଥିବା ଯାତ୍ରୀମାନଙ୍କ ସହିତ ବିଜେଏମ୍ସି ମେଡିକାଲ କଲେଜର ଆବାସିକ ଡାକ୍ତରଙ୍କୁ) ୫୦ ଲକ୍ଷ ଟଙ୍କାର ଅନ୍ତରିଣ କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଚିତ।
ଏହି ଦୁର୍ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ଉଚିତ ବୋଲି ଉଭୟେ ଡାକ୍ତର କହିଛନ୍ତି। କ୍ଷତିପୂରଣ ରାଶିର ସଠିକ୍ ନିର୍ଣ୍ଣୟ ପାଇଁ ଏହି କମିଟିରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି, ବିମାନ ଚଳାଚଳ ବିଶେଷଜ୍ଞ ଏବଂ ବୀମା ଓ ଆର୍ଥିକ ବ୍ୟାପାର ବିଶେଷଜ୍ଞଙ୍କୁ ସାମିଲ କରିବା ଉଚିତ। କୋର୍ଟ ଦୁର୍ଘଟଣାର କାରଣ ସମ୍ପର୍କରେ ଏକ ବିସ୍ତୃତ ତଦନ୍ତ କରିବା ଏବଂ ଏପରି ଦୁର୍ଘଟଣା ପୁନରାବୃତ୍ତି ନହେବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଉଚିତ ବୋଲି କହିଛନ୍ତି ଉଭୟ ଡାକ୍ତର।
ତ୍ରିବେଣୀ କୋଡକାନି ବନାମ ଏୟାର ଇଣ୍ଡିଆ ଲିମିଟେଡ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଉଦାହରଣରେ ଥିବା ନୀତିକୁ ଦୃଷ୍ଟିରେ ରଖି, ପୀଡ଼ିତଙ୍କ ପରିବାରକୁ ମୂଲ୍ୟାଙ୍କନ ଏବଂ ଚୂଡ଼ାନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଅବସରପ୍ରାପ୍ତ ସୁପ୍ରିମକୋର୍ଟ/ହାଇକୋର୍ଟ ବିଚାରପତି, ବିମାନ ଚଳାଚଳ ବିଶେଷଜ୍ଞ, ଆକ୍ଚୁଆରୀ ଏବଂ ଅର୍ଥନୀତିଜ୍ଞଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଉଭୟେ ଚିଠିରେ ଲେଖିଛନ୍ତି। ପରିବାରକୁ ଲମ୍ବା ମାମଲା ଦେଇ ଗତି ନକରାଇ କ୍ଷତିପୂରଣ ଦାବିଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ଏୟାର ଇଣ୍ଡିଆ ଲିମିଟେଡକୁ ନିର୍ଦ୍ଦେଶ ଦିଆଯିବା ଉଚିତ। ମୃତକଙ୍କ ପରିବାରର ଯୋଗ୍ୟ ସଦସ୍ୟଙ୍କୁ ନିଯୁକ୍ତି ସୁଯୋଗ ସମେତ ଅତିରିକ୍ତ ପୁନର୍ବାସ ସହାୟତା ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ ବୋଲି ଉଭୟେ ଡାକ୍ତର କହିଛନ୍ତି।