ନୂଆଦିଲ୍ଲୀ: ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଭୟଙ୍କର ଆକ୍ରମଣ କରିବା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଫୋନ ଯୋଗେ ପିଏମ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିବା ଜଣାପଡିଛି। ଆକ୍ରମଣ ପରର ସ୍ଥିତି ଜାହିର କରିବାକୁ ଉଭୟ ଦଶର ରାଷ୍ଟ୍ରମୁଖ୍ୟ ପରସ୍ପରଙ୍କ ସହ କତା ହୋଇଥିବା ନେଇ ସୂଚନା ମିଳିଛି। ଆପଣଙ୍କୁ ଜମାଇରଖୁ ଯେ ଶୁକ୍ରବାର ଇସ୍ରାଏଲ ଇରାନର ପରମାଣୁ ପ୍ରତିଷ୍ଠାନ, ବାଲାଷ୍ଟିକ ମିସାଇଲ ନିର୍ମାଣ କ୍ଷେତ୍ର ଓ ସାମରିକ କମାଣ୍ଡର ମାନଙ୍କ ଉପରେ ଭୟାବହ ଆକ୍ରମଣ କରିଥିଲା।
ଏନେଇ ପିଏମ ମୋଦି ସାମାଜିକ ଗଣାମାଧ୍ୟମ ଏକ୍ସରେ ଏକ ପୋଷ୍ଟ ଜାରି କରି କହିଛନ୍ତି ଯେ “ମୁଁ ଭାରତର ଚିନ୍ତାଧାରକୁ ନେଇ କଥା ହୋଇଛି ଏବଂ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତାର ପୁନଃଉଦ୍ଧାରର ଆବଶ୍ୟକତା ଉପରେ ଗୁରୁତ୍ତ୍ୱାରୋପ କରିଛି।”
ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ଭାରତ ଏଥିପାଇଁ ଦୁଃଖିତ ବୋଲି ଘୋଷଣା କରିଥିଲା। ତେବେ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷକୁ ଭାରତ ଅତି ନିକଟରୁ ନିରିକ୍ଷଣ କରୁଛି ବୋଲି କହିଥିଲା। ଭାରତ ସରକାର ଉଭୟ ଦେଶକୁ ସଂଘର୍ଷରୁ କ୍ଷାନ୍ତ ରହିବା ସହିତ ଶାନ୍ତି ପ୍ରତିଷ୍ଟା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଛି।
ତେବେ ଦେଖିବାକୁ ଗଲେ ନିଜ କୂଟନୈତିକ ନୀତି ଯୋଗୁଁ ଇସ୍ରାଏଲକୁ ସମଗ୍ର ବିଶ୍ୱର ଅଧିକାଂଶ ଦେଶ ସମର୍ଥନ ଜଣାଇଛନ୍ତି। ଇରାନରେ ଆକ୍ରମଣ କରିବା ପରେ ନେତନ୍ୟାହୁ ଫୋନ ଯୋଗେ ଅନେକ ବିଶ୍ୱନେତାଙ୍କ ସହ କଥା ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜର୍ମାନ ଚାନସେଲର ଫ୍ରେଡରିଚ୍ ମେର୍ଜ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ରହିଛନ୍ତି।
ତେବେ ନେତନ୍ୟାହୁ ଏଯାଏ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇନଥିଲେ ମଧ୍ୟ, ଟ୍ରମ୍ପ ଇରାନକୁ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଇରାନ, ଇସ୍ରାଏଲ ସହ ଏକ ଚୁକ୍ତି କରିବା ଉଚିତ। ସେ କହିଛନ୍ତି ଯେ ଆମେରିକା ବିଶ୍ୱର ସବୁଠାରୁ ଘାତକ ଅସ୍ତ୍ର ତିଆରି କରେ ଏବଂ ସେଥିମଧ୍ୟରୁ ଅନେକ ଇସ୍ରାଏଲ ପାଖରେ ମଧ୍ୟ ଅଛି। ତେଣୁ ଇରାନକୁ ନିଜ ପରମାଣୁ କାର୍ଯ୍ୟକ୍ରମରୁ ବିରତ ରହିବାର ଆବଶ୍ୟକତା ରହିଛି।
୧୯୮୦ ଦଶକର ଇରାନ-ଇରାକ ଯୁଦ୍ଧ ପରେ ଏହି ଆକ୍ରମଣ ଇରାନ ଉପରେ ହୋଇଥିବା ସବୁଠାରୁ ବଡ ଆକ୍ରମଣ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି। ଏହି ଆକ୍ରମଣରେ ଇରାନର ମୁଖ୍ୟ ପରମାଣୁ ସମୃଦ୍ଧି ସୁବିଧା ଏବଂ କ୍ଷେପଣାସ୍ତ୍ର ସ୍ଥାପନ ସମେତ ସମଗ୍ର ଇରାନର ଅନେକ ସ୍ଥାନ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଇରାନର ଖବର ପ୍ରସାରଣକାରୀ ସଂସ୍ଥା ନୌରନ୍ୟୁଜ୍ ଦେଇଥିବା ସୂଚନା ଅନୁଯାୟୀ, ଇସ୍ରାଏଲର ଆକ୍ରମଣ ପରେ ତେହେରାନରେ ୭୮ ଜଣ ଲୋକ ପ୍ରାଣ ହରାଇଥିଲେ। ଏହାର ଆକ୍ରମଣ ପରେ, ଇସ୍ରାଏଲ କହିଛି ଯେ ଏହା ତେହେରାନକୁ ପରମାଣୁ ଅସ୍ତ୍ର ନିର୍ମାଣ କରିବାରୁ ରୋକିବା ପାଇଁ ଏକ ଦୀର୍ଘକାଳୀନ ଅଭିଯାନ ହେବ।
ଏହି ଆକ୍ରମଣକୁ "ଅପରେସନ୍ ରାଇଜିଂ ଲାୟନ୍" ବୋଲି ଅଭିହିତ କରି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହାକୁ ଦେଶର ଇତିହାସର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ଇସ୍ରାଏଲୀ ସେନା ଇରାନର ପରମାଣୁ ସମୃଦ୍ଧି କାର୍ଯ୍ୟକ୍ରମର ହୃଦୟ ଉପରେ ଆକ୍ରମଣ କରିଛି।