ଭୁବନେଶ୍ଵର, ୧୩/୦୬ : ଅଦ୍ଭୁତ ସଂଯୋଗ... ସକାଳେ ବିଜ୍ଞାପନ, ଅପରାହ୍ନରେ ଦୁର୍ଘଟଣା। ସତ ହୋଇଗଲା କି ଖବରକାଗଜ ବିଜ୍ଞାପନ ? ଗୁରୁବାର ଗୁଜରାଟର ପ୍ରମୁଖ ଖବରକାଗଜ ମିଡ୍-ଡେରେ ବାହାରିଥିବା ଏକ ବିଜ୍ଞାପନ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସକାଳେ ବିଜ୍ଞାପନରେ ବାହାରିଥିବା ଦୃଶ୍ୟକୁ ଅପରାହ୍ନରେ ଲୋକେ ଲାଇଭ୍ ଦେଖିଛନ୍ତି। ଏହି ଛାତିଥରା ଘଟଣାକୁ ଅଙ୍ଗେ ନିଭେଇଛନ୍ତି। ଏକ ଆଡଭେଞ୍ଚର୍ସ ପାର୍କକୁ ନେଇ ବାହାରିଥିବା ଆଡ୍ଭର୍ଟାଇଜ୍ମେଣ୍ଟକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଓ ଆଲୋଚନା। କେହି ଏହାକୁ ନ୍ୟୁଜ୍ ପେପରର ଭବିଷ୍ୟବାଣୀ କହୁଛି ତ ଆଉ କିଏ କହୁଛି ଅଜବ ସଂଯୋଗ।
ଜୁନ୍ ୧୨ ତାରିଖ ସକାଳେ ମିଡ୍-ଡେ ଖବରକାଗଜର ପ୍ରଥମ ପୃଷ୍ଠାରେ ବାହାରିଥିଲା ଏକ ବିଜ୍ଞାପନ। ଏହି ବିଜ୍ଞାପନରେ ଏକ ବିମାନ ବିଲ୍ଡିଂ ଭିତରୁ ବାହାରୁଥିବା ଦର୍ଶାଯାଇଥିଲା। ସକାଳେ ନ୍ୟୁଜ୍ ପେପରରେ ଦର୍ଶାଯାଇଥିବା ଏହି ଚିତ୍ରଟି ହୁଏତ କାଳ୍ପନିକ ଥିଲା କିନ୍ତୁ ଅପରାହ୍ନରେ ଯାହା ଘଟିଲା ତାହା ସାରା ଦେଶକୁ ସ୍ତବ୍ଧ କରିଦେଲା। ଦିନ ପ୍ରାୟ ୧ଟା ୩୮ ମିନିଟ୍ରେ ଅହମ୍ମଦାବାଦ ଆକାଶରେ ଏକ ବଡ଼ ଦୁର୍ଘଟଣା ଘଟିଲା। ବୋଇଂ ୭୮୭ ବିମାନ ମେଘାନୀ ନଗରରେ ଏକ ମେଡିକାଲ କଲେଜର ବିଲ୍ଡିଂରେ ମାଡ଼ ହୋଇଗଲା। ଏହି ଭୟଙ୍କର ଦୁର୍ଘଟଣାରେ ୨୬୫ ଜୀବନ ଚାଲିଗଲା। ଚାରିଆଡ଼େ କଳା ଧୂଆଁର ଆସ୍ତରଣ ଖେଳିଗଲା। ଘଟଣାସ୍ଥଳରେ ତାପମାତ୍ରା ହଜାରେ ଡିଗ୍ରୀ ଟପିଗଲା। ମଣିଷ କି ଜୀବଜନ୍ତୁ କେହି ବର୍ତ୍ତିଲେନି। ବାସ୍ ଜଣେ ସୌଭାଗ୍ୟଶାଳୀ ବ୍ୟକ୍ତି ମରଣ ମୁହଁରୁ ବଞ୍ଚି ଆସିଲେ। ବୋଧହୁଏ ତାଙ୍କର ଭାଗ୍ୟ ଟାଣ ଥିଲା।
ପତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିଜ୍ଞାପନ ଭଳି ସମାନ ଢଙ୍ଗରେ ବିମାନଟି ବିଲ୍ଡିଂରେ ଲଟ୍କି ଥିଲା। ସବୁଠୁ ଆଶ୍ଚର୍ଯ୍ୟ କଲାଭଳି କଥା ହେଲା ଯେ, ବିଜ୍ଞାପନରେ ଏୟାର ଇଣ୍ଡିଆର ବିମାନ ଦର୍ଶାଯାଇଥିଲା। ଯାହାକି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ବିଜ୍ଞାପନଟି କିଡ୍ଜାନିଆ ପାର୍କର ଥିଲା। ଏଠାକୁ ଛୋଟ ଛୋଟ ପିଲାମାନେ ଖେଳକୁଦ ଏବଂ ମନୋରଞ୍ଜନ କରିବା ଉଦ୍ଦେଶ୍ୟରେ ଯାଆନ୍ତି। ତେବେ ଏହା କେବଳ ଡିଜାଇନରଙ୍କ କ୍ରିଏଟିଭିଟି ଥିଲା। ପ୍ରକୃତ ଦୁର୍ଘଟଣା ସହ ଏହାର କୌଣସି ସମ୍ପର୍କ ନାହିଁ। ଏହା କେବଳ ଏକ ସଂଯୋଗ।