ନୂଆଦିଲ୍ଲୀ,୧୩/୦୬: ଜୀବନକୁ କିଛି ଭରସା ନାହିଁ । କିଛି ଘଟଣା କଳ୍ପନା ବାହାରେ ଘଟିଥାଏ । ନିମିଶକେ ସବୁ କିଛି ଛାରଖାର ହୋଇଯାଏ । ମାଟିରେ ମିଶିଯାଏ ସ୍ୱପ୍ନ ଉଜୁଡିଯାଏ ସଂସାର । ତୁମେ ଛୁଟି ମନାଇବାକୁ ଯାଇଛ ସେଠି ଆତଙ୍କୀ ଆକ୍ରମଣ ହେଉଛି । ତୁମେ ଟ୍ରଫିର ବିଜୟ ଉତ୍ସବରେ ସାମିଲ ହେଉଛ, ସେଠି ଦଳାଚକଟାରେ ଜୀବନ ଯାଉଛି । ତୁମେ କାମ କରିବାକୁ ଫ୍ଲାଇଟ୍ରେ ଯାତ୍ରା କରୁଛି, ତାହା କ୍ରାସ୍ ହେଉଛି । ତୁମେ ହଷ୍ଟେଲରେ ଅଛ ପ୍ଲେନ୍ ତୁମ ଛାତରେ ପଡୁଛି । ଏ ଘଟଣା ପ୍ରମାଣ କରୁଛି ଜୀବନ ଅକଳ୍ପନୀୟ । ଲାଗୁଛି ୨୦୨୫ ବର୍ଷ ଯେମିତି ଅଶୁଭ ହୋଇଛି । ୩୬୫ ଦିନରୁ ମାତ୍ର ୧୬୪ ଦିନ ହୋଇଛି କେତେ ବଡ଼ ବଡ଼ ଦୁର୍ଘଟଣା ଦେଖିଲାଣି ଦେଶ । ଗତ ୬ ମାସରେ ୫ ଅଘଟଣ ଦେଶକୁ ଦୋହଲାଇ ଦେଇଛି । ପହଲଗାମ ଆତଙ୍କୀ ଆକ୍ରମଣ, ମହାକୁମ୍ଭ ଦଳାଚକଟାଠୁ ନେଇ ଅହମ୍ମଦାବାଦ ପ୍ଲେନ୍ କ୍ରାସ ଯାଏ ଭୟଙ୍କର ଦୁର୍ଘଟଣାର ସାମ୍ନା କରିଛି ଭାରତ । ୩୬୫ ଦିନ ପୂର୍ବରୁ ୩୫୭ ଜଣଙ୍କର ମୃତ୍ୟୁ ହୋଇଛି ।
୨୦୨୫ର ୫ ବଡ଼ ଅଘଟଣ
ଅହମ୍ମଦାବାଦ ପ୍ଲେନ୍ କ୍ରାସ୍ (୨୬୫ ମୃତ)- ଜୁନ୍ ୧୨ ,୨୦୨୫ । ସମୟ ଅପରାହ୍ନ ୧ଟା ୩୮ ମିନିଟ୍ । ଅହମ୍ମଦାବାଦ ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା ଏୟାର ଇଣ୍ଡିଆ ବୋଇଙ୍ଗ୍ ୭୮୭ ଏଆଇ ୭୧୭ ବିମାନ । ମାତ୍ର ୩୦ ସେକେଣ୍ଡରେ ସବୁ ଛାରଖାର ହୋଇଗଲା । ବିମାନଟି ଏକ ମେଡିକାଲ କଲେଜ ହଷ୍ଟେଲ ଉପରେ କ୍ରାସ୍ ହୋଇଥିଲା । ଏଥିରେ ମୋଟ୍ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି । ୬ ଡାକ୍ତରୀ ଛାତ୍ର ରହିଛନ୍ତି । ବର୍ଷର ଏହା ସବୁଠୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି ।
ମହାକୁମ୍ଭ ଦଳାଚକଟା (୩୭ ମୃତ)- ୨୯ ଜାନୁଆରୀ । ପ୍ରୟାଗରାଜ ମହାକୁମ୍ଭରେ ମୌନୀ ଅମାବାସ୍ୟରେ ଘଟିଥିଲା ବଡ଼ ଅଘଟଣ । ବ୍ୟାରିକେଟ ଭାଙ୍ଗିବାକୁ ଦଳାଟକଟା ହୋଇଥିଲା । ସରକାରୀ ରିପୋର୍ଟ ଅନୁସାରେ ଏଥିରେ ୩୭ ଜଣଙ୍କର ମୃତ୍ୟୁ ହୋଇଥିଲା । ୬୦ରୁ ଅଧିକ ଆହତ ହୋଇଥିଲେ ।
ପହଲଗାମ ଆତଙ୍କୀ ଆକ୍ରମଣ (୨୬ ମୃତ)- ଏପ୍ରିଲ ୨୨ । ଜମ୍ମୁକଶ୍ମୀର ପହଲଗାମରେ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ । ମିନି ସ୍ୱିଜରଲ୍ୟାଣ୍ଡ ନାମରେ ପରିଚିତ ବୈସରନ ଘାଟିରେ ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଲାଇଥିଲେ ଆତଙ୍କବାଦୀ । ଧର୍ମ ପଚାରି ସ୍ତ୍ରୀଙ୍କ ଆଗରେ ସ୍ବାମୀଙ୍କୁ ଗୁଳି କରିଥିଲେ । ଏଥିରେ ୨୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥିରେ ଜଣେ ନେପାଳୀ ନାଗରିକ ଥିଲେ ।
ଦିଲ୍ଲୀ ଦଳାଚକଟା (୧୮ ମୃତ)- ଫେବୃଆରୀ ୧୫,୨୦୨୫ । ରାତି ୯ଟା ୨୬ ମିନିଟ୍ । ଦିଲ୍ଲୀ ରେଳ ଷ୍ଟେସନ୍ରେ ଟ୍ରେନ୍କୁ ଅପେକ୍ଷା କରିଥିଲେ ଯାତ୍ରୀ । ମହାକୁମ୍ଭ ମେଳା ଦେଖିବାକୁ ପ୍ରୟାଗରାଜ ଯିବାକୁ ଥିବା ଟ୍ରେନ୍ର ଅପେକ୍ଷାରେ ଥିଲେ ଶ୍ରଦ୍ଧାଳୁ । ସ୍ପେଶାଲ ଟ୍ରେନ୍ ଘୋଷଣାକୁ ନେଇ ଦ୍ୱନ୍ଦ ହେବାରୁ ୧୪ ଓ ୧୫ ନମ୍ବର ପ୍ଲାଟଫର୍ମରେ ଦଳଚକଟା ସ୍ଥିତି ଉପୁଜିଥିଲା । ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥିରେ ୧୪ ମହିଳା, ୩ ଶିଶୁ ଥିଲେ । ୨୫ରୁ ଅଧିକ ଆହତ ହୋଇଥିଲେ ।
ବେଙ୍ଗାଲୁରୁ ଦଳାଚକଟା (୧୧ ମୃତ)- ଜୁନ୍ ୪ ତାରିଖ । ସ୍ଥାନ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ । ଦୀର୍ଘ ୧୮ ବର୍ଷ ପରେ ଆଇପିଏଲ ସିଜିନ୍ ୧୮ର ଚମ୍ପିଆନ ହୋଇଥିଲା ରାୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଚିନ୍ନାସ୍ୱାମୀରେ ବିଜୟ ଉତ୍ସବ ପାଳୁଥିଲା ବେଙ୍ଗାଲୁରୁ । ଜମିଥିଲା ଦର୍ଶକଙ୍କ ଭିଡ । ୩୫ ହଜାର ଦର୍ଶକ କ୍ଷମତା ଥିବା ଷ୍ଟା଼ଡିୟମରେ ଲକ୍ଷାଧିକ ଫ୍ୟାନ୍ସଙ୍କ ଭିଡ ଜମିଥିଲା । ଫଳରେ ଦଳାଚକଟା ସ୍ଥିତି ଉପୁଜି ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ୩୩ରୁ ଅଧିକ ଆହତ ହୋଇଥିଲା ।