ନୂଆଦିଲ୍ଲୀ,୧୩/୦୬:ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସ୍ଥିତିର ସମୀକ୍ଷା ପାଇଁ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦୁର୍ଘଟଣାସ୍ଥଳ ଏବଂ ଆହତମାନଙ୍କୁ ଭର୍ତ୍ତି କରାଯାଇଥିବା ହସ୍ପିଟାଲ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍ ଓ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ଏହାପରେ ମୋଦି ଏହି ବିମାନରେ ଯାତ୍ରା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପରିବାରଙ୍କୁ ମଧ୍ୟ ଭେଟିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହମ୍ମଦାବାଦ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ,ପୋଲିସ ସିଭିଲ୍ ହସ୍ପିଟାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ସୂଚନା ଅନୁଯାୟୀ,ଆହତମାନଙ୍କୁ ଚିକିତ୍ସା କରାଯାଉଥିବା ମହଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସେପଟେ ଏକ ଫୋରେନସିକ୍ ଦଳ ମଧ୍ୟ ଦୁର୍ଘଟଣାସ୍ଥଳରେ ଯାଞ୍ଚ ଆରମ୍ଭ କରିଛି । ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ । ଏହି ସମୟରେ, ବିମାନ ଦୁର୍ଘଟଣାର ତଦନ୍ତ ମଧ୍ୟ ଜୋରଦାର ହୋଇଛି । ତଦନ୍ତ ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ତେବେ ସାମ୍ପ୍ରତିକ ଇତିହାସର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଗୁରୁବାର ଅପରାହ୍ନରେ ଘଟିଥିବା ଅହମ୍ମଦାବାଦ ବିମାନ ଦୁର୍ଘଟଣା । ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏପର୍ଯ୍ୟନ୍ତ ୨୬୫ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ହେଲେ ଭାଗ୍ୟବଶତଃ ଦୁର୍ଘଟଣାରୁ କେବଳ ଜଣେ ଯାତ୍ରୀ ବଞ୍ଚି ଯାଇଛନ୍ତି। ଜଣେ ଦର୍ଶକଙ୍କ ଦ୍ୱାରା କଏଦ ହୋଇଥିବା ଫୁଟେଜରେ ଦେଖାଯାଇଛି ଯେ ବିମାନଟି ଉଚ୍ଚତା ହରାଇବା ସହିତ ଉପରକୁ ଉଠିବା ପାଇଁ ସଂଘର୍ଷ କରୁଥିଲା ଏବଂ ଧକ୍କା ହେବା ପରେ ଅଗ୍ନିଗୁଳାରେ ପରିଣତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ଦୁଃଖଦ ବୋଲି କହିଛନ୍ତି। ସେପଟେ ଏୟାର ଇଣ୍ଡିଆର କମ୍ପାନୀ ଟାଟା ଗ୍ରୁପ୍ ମୃତକଙ୍କ ପରିବାର ପାଇଁ ୧ କୋଟି ଟଙ୍କା କ୍ଷତିପୂରଣ ଦେବା ନେଇ ଘୋଷଣା କରିଛି ।