ନୂଆଦିଲ୍ଲୀ ୧୩/୦୬: ଡିଜିଟାଲ ଯୁଗରେ ସମ୍ପର୍କ ଲିଭ୍ ଇନ୍ରୁ ସିଚୁଏସନ୍ସିପ୍ରେ ପହଞ୍ଚିଛି । ଡିଜିଟାଲ ମିଡିଆ ପ୍ରତି ପ୍ରେମ ବଢ଼ିଛି । ସମ୍ପର୍କର ବୟସ ଛୋଟ ହେବାରେ ଲାଗିଛି । ଏହି ସ୍ଥିତିରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନେଗୋସିଏଟିଙ୍ଗ୍ ଇଣ୍ଟିମେଟ୍ ରିଲେସନ୍ସିପ୍, ମିଡିଆ ସାଇକୋଲୋଜି, ସାଇକୋଲୋଜି ଅଫ୍ ଆଡ୍ଜଷ୍ଟମେଣ୍ଟ୍ ଭଳି ଅନେକ ପାଠ୍ୟକ୍ରମ ଆରମ୍ଭ କରିଛି । ବିଶେଷଜ୍ଞଙ୍କ ଅନୁସାରେ, ଏହି ପାଠ୍ୟକ୍ରମ ବର୍ତ୍ତମାନ ସମୟରେ ସବୁଠୁ ବଡ଼ ଚାଲେଞ୍ଜ୍ ହୋଇଥିବା ସମ୍ପର୍କର ଜଟିଳତାଗୁଡ଼ିକୁ ବୁଝାଇବା ଓ ସମାଧାନ କରିବା ସହିତ କର୍ମସଂସ୍ଥାନଠୁ ସାଧାରଣ ଜୀବନକୁ ସଜାଡ଼ିବାରେ ନୂଆ ଦୃଷ୍ଟିଭଙ୍ଗୀ ପ୍ରଦାନ କରିବ ।
ନେଗୋସିଏଟିଙ୍ଗ୍ ଇଣ୍ଟିମେଟ୍ ରିଲେସନ୍ସିପ୍ସ ପାଠ୍ୟକ୍ରମ ୨୦୨୫-୨୬ ଶିକ୍ଷା ବର୍ଷରୁ ଆରମ୍ଭ ହେବ । ମନୋବିଜ୍ଞାନ ବିଭାଗର ସମସ୍ତ ସ୍ନାତକ ବିଦ୍ୟାର୍ଥୀଙ୍କ ପାଇଁ ଏହା ଉପଲବ୍ଧ ହେବ । ଏହି ପାଠ୍ୟକ୍ରମ କେବଳ ପ୍ରେମ, ବନ୍ଧୁତାର ଛୋଟ ଛୋଟ ଦିଗର ଶିକ୍ଷା ପ୍ରଦାନ କରିବ ତାହା ନୁହେଁ, ବରଂ ସମ୍ପର୍କରେ ଲୁକ୍କାୟିତ ବିପଦକୁ ଚିହ୍ନିବା ଓ ସୁସ୍ଥ ସମ୍ପର୍କକୁ ପ୍ରୋତ୍ସାହନ ଦେବାର କୌଶଳ ମଧ୍ୟ ଶିଖାଇବ । ଏହି ପ୍ରୟାସ ବିଦ୍ୟାର୍ଥୀଙ୍କ ଉତ୍ସାହ ଜାଗ୍ରତ କରିବ ଏବଂ ସମାଜରେ ପରିବର୍ତ୍ତିତ ସମ୍ପର୍କ ଉପରେ ଆଲୋକପାତ କରିବ ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ପ୍ରଫେସର ନବୀନ କୁମାର କହିଛନ୍ତି, ଏବେ କର୍ମଜୀବୀ ମାତାପିତାଙ୍କ ସଂଖ୍ୟା ବଢ଼ିଛି ଏବଂ ଡିଜିଟାଲ ପ୍ୟାରେଣ୍ଟିଙ୍ଗ୍ର ଯୁଗ ଆସିଛି । ଲୋକେ ବାହ୍ୟ ଦୁନିଆ ଓ ସମ୍ପର୍କ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସମ୍ପର୍କ ବଜାୟ ରଖିବାର ପରମ୍ପରା ଧୀରେ ଧୀରେ ଶେଷ ହେଉଛି । ସୋସିଆଲ ମିଡିଆ ଯୁଗରେ ସମ୍ପର୍କର ଭଙ୍ଗୁର ସ୍ଥିତିକୁ ସେ ବର୍ଣ୍ଣନା କରିଛନ୍ତି । ତେଣୁ ଏହି ପାଠ୍ୟକ୍ରମ ଏଭଳି ଚାଲେଞ୍ଜ୍ଗୁଡ଼ିକୁ ବୁଝିବା ଓ ତା’ର ମୁକାବିଲା ପାଇଁ ମାର୍ଗଦର୍ଶନରେ ସହାୟକ ହେବ ବୋଲି ସେ କହିଛନ୍ତି ।