ନମୌଜା,୪|୮(ଆପ୍ର): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ନିଆଳ ଛକ ଠାରୁ ନମୌଜା ଯାଏଁ ଯାଇଥିବା ସାଢ଼େ ୪ କିମି ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି l ପ୍ରତିବର୍ଷ ଏହି ରାସ୍ତା ମରାମତି କରାଯାଉଛି କିନ୍ତୁ କିଛି ଦିନ ପରେ ରାସ୍ତା ଖାଲଖମାରେ ଭର୍ତ୍ତି । ଫଳରେ ଜନସାଧାରଣ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଆଳି ମୁଖ୍ୟ ରାସ୍ତା ନିଆଳ ଛକ ଠାରୁ ନମୌଜା ପର୍ଯ୍ୟନ୍ତ ଆସିଥିବା ରାସ୍ତା ଯାହାକି ଆଳି-ପଟ୍ଟାମୁଣ୍ଡାଇର ଯୁଗ୍ମ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ, ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ଆଳି ଗାନ୍ଧୀ ସହଦେବ ଦାସଙ୍କ ଉଦ୍ଦେଶ୍ୟରେ ନାମିତ 'ସହଦେବ ଦାସ ମାର୍ଗ' ରାସ୍ତାଟି ଦୀର୍ଘ ଦିନ ହେବ ଜରାଜୀର୍ଣ ଅବସ୍ଥାରେ ପଡ଼ି ରହିଛି l ଉକ୍ତ ରାସ୍ତା ଦେଇ ପ୍ରତ୍ୟେକଦିନ ବଡାମ୍ବିଳା, ଅରେହିକଣା, କୋଳିଡ଼ିହ, ମହୁ, ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ର ନଳଦିଆ, କଟକଣା, ଏକମାଣିଆ ଆଦି ପଞ୍ଚାୟତର ଲୋକଙ୍କ ସମେତ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ଯାତାୟତ କରିଥାନ୍ତି l ବହୁ ଦିନ ଧରି ଏହି ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇ ପଡ଼ିରହିଥିଲା l ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଦାବୀ ପରେ ଏହି ରାସ୍ତା ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ନୂତନ କାର୍ଯ୍ୟ କରାଗଲା l କିନ୍ତୁ ଦୁଃଖ ଓ ପରିତାପର ବିଷୟ ନୂତନ ରାସ୍ତା ହେବା ଦିନ ଠାରୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ବାରମ୍ବାର ଏହି ରାସ୍ତା ଖରାପ ହୋଇଯାଉଛି l
ପ୍ରତିବର୍ଷ ଏହି ରାସ୍ତାରେ ମରାମତି ନାଁରେ ବାରମ୍ବାର ଟଙ୍କା ଉଠାଣ କରାଯାଇ ପ୍ୟାଚ ପକାଯାଉଥିବା ବେଳେ ମୁଖ୍ୟତଃ ଗଭାଡ଼ିଆ ଛକ ଠାରୁ ନିଆଳ ଛକ ପର୍ଯ୍ୟନ୍ତ ଉଭୟ ଢ଼ଳେଇ ଓ ପିଚୁ ରାସ୍ତା ଖାଲଖମା ରେ ଭର୍ତ୍ତି ହୋଇପଡିଛି l ସେଥିରେ ପୁଣି ଲଗାଣ ବର୍ଷାରେ ସେହି ଖାଲରେ ପଡ଼ି ଯାତାୟତ କରୁଥିବା ଲୋକ ମାନେ ପଡ଼ି ଦୁର୍ଘଟଣାର ଶିକାର ହୋଇ ଆହତ ହେଉଛନ୍ତି l ରାସ୍ତାର କିଛି ସ୍ଥାନରେ ପାଣି ଜମି ରହୁଥିବା ହେତୁ ବାଟୋଇ ମାନେ ସାପ୍ତାହିକ ମଙ୍ଗଳବାର ଓ ଶୁକ୍ରବାର ନିଆଳ ହାଟ କୁ ଆସୁଥିବା ବେଳେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଯାହାକୁ ନେଇ ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ସାଧାରଣ ଲୋକେ ଏହି ରାସ୍ତାଟିର ସ୍ଥାୟୀ ମରାମତି ସହିତ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଓ ସରକାର ଙ୍କ ନିକଟରେ ନିବେଦନ କରିଛନ୍ତି l
ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ରାଉତଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏ ରାସ୍ତାର ମରାମତି ଓ ସ୍ଥାୟୀ ସମାଧାନ ଦିଗରେ ସେ ଉକ୍ତ ସ୍ଥାନ ଗୁଡିକୁ ତଦାରଖ କରିବେ। ଏହି ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l