ନମୌଜା, ୩୧/୭ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଅନେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। ବନ୍ୟା ବିପନ୍ନଙ୍କ ଉପରେ ଦୁଇ ଦିନ ଧରି ଲଗାଣ ବର୍ଷା ଆହୁରି ଦାଉ ସାଧୁଛି। ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଆଳି ବ୍ଲକର ୧୦ ପଞ୍ଚାୟତକୁ ଡ଼ଙ୍ଗା ଯୋଗେ ଯାଇ ଯାଇ ସ୍ଥିତି ପରଖିଛନ୍ତି। ବନ୍ୟା ବିପନ୍ନଙ୍କ ସହ ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି। ତାଙ୍କ ସହିତ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ଆଳି ବ୍ଲକ ବିଡିଓ ଅବିନାଶ ବିଶ୍ୱଜିତ ସେଠି, ଆଳି ତହସିଲଦାର ଶାନ୍ତିସ୍ୱରୂପ ମିଶ୍ର ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବନ୍ୟାଞ୍ଚଳ ପରିଦର୍ଶନରେ ସାମିଲ ହୋଇଛନ୍ତି।
ସୂଚନାନୁଯାୟୀ, ବ୍ରାହ୍ମଣୀ, ଖରସ୍ରୋତା ଓ ଏହାର ଶାଖା ନଦୀ କାଣୀର ଦ୍ୱିତୀୟ ବନ୍ୟାରେ ଆଳି ବ୍ଲକର ୧୦ ପଞ୍ଚାୟତ ଡ଼ିମିରିପାଳ, ଅରଗଳ, ଜୁଆଣିଆ, ଗୋବିନ୍ଦପୁର, କେତୁଆପାଳ, ଏରଡ଼ଙ୍ଗ, ପାଳିମି, ଦେସାହି, ପେତପଡା, ସଂସିଧା ସହିତ ପତ୍ରପୁର, ନରେନ୍ଦ୍ରପୁର, ମାଣିକପାଟଣା, ବଡାମ୍ବିଳା, ଏକମାଣିଆ, ନୂଆପଡା, ପାଦନୀପାଳ, କୋଳିଡ଼ିହ ଆଦି ପଞ୍ଚାୟତର ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି। ଅନେକ ସ୍ଥାନରେ ନଳକୂଅ ଗୁଡ଼ିକ ବନ୍ୟାପାଣିରେ ବୁଡ଼ି ରହିଛି। ଫଳରେ ପାନୀୟ ଜଳ ପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଜିଲ୍ଲାପାଳ ବନ୍ୟାଞ୍ଚଳକୁ ଯାଇ ପାନୀୟ ଜଳ ଓ ଗୋରୁମାନଙ୍କ ପାଇଁ ଗୋଖାଦ୍ୟ ଓ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବନ୍ୟାଞ୍ଚଳରୁ ଫେରିବା ପରେ ଶ୍ରୀ ଆୟାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସମସ୍ତ ଦିଗକୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।