କୋକସରା, ୧।୮: ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସର୍ଗିପାନି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସର୍ଗିପାନି ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । ଫଳରେ ସମ୍ପର୍କୀୟ ଗର୍ଭବତୀଙ୍କୁ ଏକ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ବୋହି ନେଇଥିଲେ । ଏହି ସମୟରେ ପ୍ରସବ ଯନ୍ତ୍ରଣା ଅଧିକ ହୋଇଥିଲା ଏବଂ ମହିଳା ଜଣଙ୍କ ଜଙ୍ଗଲ ମଝିରେ ଏକ ଶିଶୁକୁ ଜନ୍ମ ଦେଇଥିଲେ ।
ସୂଚନା ଅନୁଯାୟୀ, ଶୁକ୍ରବାର ସର୍ଗିପାନି ଗାଁର ଜାଗର ସାନ୍ତାଙ୍କ ସ୍ତ୍ରୀ ହୀରାମଣି ସାନ୍ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏନେଇ ପରିବାର ଲୋକ ସ୍ଥାନୀୟ ଆଶା କର୍ମୀ ଉର୍ମିଳା ଠାକୁରଙ୍କୁ ଖବର ଦେଇଥିଲେ । ଆଶା କର୍ମୀ ୧୦୨ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ସର୍ଗିପାନି ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଟି ଗାଁ ଭିତରକୁ ଯାଇପାରିନଥିଲା । ଫଳରେ ପ୍ରାୟ ୩ କିମି ପର୍ଯ୍ୟନ୍ତ ରାସ୍ତାରେ ବୁହା ହୋଇ ଅଣାଯିବା ବାଟରେ ଗର୍ଭବତୀ ଜଣକ ଏକ ଶିଶୁକୁ ଜନ୍ମ ଦେଇଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନବଜାତ ଶିଶୁର ସ୍ୱାସ୍ଥ୍ୟ ଠିକ୍ ଥିବାବେଳେ ଗର୍ଭବତୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।