ଢେଙ୍କାନାଳ/କଣ୍ଟାବଣିଆ,୧/୮: ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଷ୍ଟି ବିଆର୍ଜି ଛକରେ ଶୁକ୍ରବାର ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ବାଇକ୍ ଚୁରମାର୍ ହୋଇଯାଇଛି । ବାଇକରେ ଯାଉଥିବା ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ଵାମୀ ଗୁରୁତର ହୋଇଛନ୍ତି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଗ୍ରାମବାସୀ ଦୁର୍ଘଟଣାସ୍ଥଳରେ ଜତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାଜପଥରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି । ସୂଚନା ଅନୁସାରେ, ପରଜଙ୍ଗ ଥାନା ଇଲାଜା ସରାଙ୍ଗ ଗ୍ରାମର ଗୋକୁଳ ସାହୁ (୫୬) ଓ ତାଙ୍କପତ୍ନୀ ଭାରତୀ ସାହୁ (୫୦) ଶୁକ୍ରବାର ନିଜ ଝିଅ ଘର ଏକଘରିଆ ଶରଣ ଶ୍ରୀକ୍ଷେତ୍ର ଗ୍ରାମକୁ ବାଇକରେ ଯାଇଥିଲେ । ଅପରାହ୍ନରେ ସରାଙ୍ଗ ଫେରୁଥିବାବେଳେ ବିଆଜି ଛକଠାରେ ଅନୁଗୁଳରୁ ଦ୍ରୁତଗତିରେ ଆସୁଥିବା ଏକ ୧୨ ଚକିଆ ଟ୍ରକ୍ ବାଇକକୁ ସମ୍ମୁଖକୁ ଧକ୍କା ଦେଇଥିଲା । ଟ୍ରକ୍ ଧକ୍କାରେ ବାଇକ୍ ଚୁରମାର ହୋଇଯାଇଥିବାବେଳେ ପଛରେ ବସିଥିବା ଭାରତୀ ଟ୍ରକ୍ ଚଳା ତଳେ ଚାପି ହୋଇଯାଇଥିଲେ । ଟ୍ରକ୍ଟି ତାଙ୍କ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା।
ଗୋକୁଳ ରାସ୍ତା ପାର୍ଶ୍ଵକୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ପଠାଯାଇଥିଲା । ତାଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । ଭାରତୀଙ୍କ ଘର ନିକଟସ୍ଥ ଖଡ଼ଗପ୍ରସାଦ ଗ୍ରାମରେ ହୋଇଥିବାବେଳେ ଏହି ଖବର ଜଣାପଡ଼ିବା ପରେ ଶହ ଶହ ଗ୍ରାମବାସୀ ବିଆଜି ଛକରେ ପହଞ୍ଚିଥିଲେ । ଦୁର୍ଘଟଣାସ୍ଥଳରେ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ । ଫଳରେ ରାଜପଥର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଛି । ୧୦ବର୍ଷ ଧରି ରାଜପଥ କାମ ଚାଲିଛି, ସରିବାର ନାଁ ନେଉନି । ଦୁର୍ଘଟଣା ଘଟିଥିବା ସ୍ଥାନରେ ଗତ କିଛିଦିନ ହେବ ଏକପାଖ ରାସ୍ତାକୁ ବନ୍ଦ କରି କାମ କରାଯାଉଥିବାବେଳେ ଗୋଟିଏ ପାଖ ରାସ୍ତାରେ ଯାନବାହନ ଚଳାଚଳ କରୁଛି । ସଂକୀର୍ଣ୍ଣ ରାସ୍ତାରେ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହେଉଛି । ଏ ଦିଗରେ କୌଣସି ପ୍ରତିକାର କରାଯାଉନାହିଁ । ଫଳରେ ଦୁର୍ଘଟଣା ଘଟି ମହିଳାଙ୍କ ପ୍ରାଣହାନୀ ହେଲା ବୋଲି ଅଭିଯୋଗ କରିଥିଲେ। ଏଥିସହ କ୍ଷତିପୂରଣ ଦାବି କରି ରାଜପଥ ଉପରେ ବସି ଆନ୍ଦୋଳନ କରିଥିଲେ। ଖବରପାଇ ମୋଟଙ୍ଗା ଓ କଣ୍ଟାବଣିଆ ଥାନା ପୁଲିସ୍ ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରିଥିଲା । ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରି ତଦନ୍ତ ଚଳାଇଛି।