ଦିଗପହଣ୍ଡି, ୦୨/୦୮ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଦେଓଖାଳି ନିକଟସ୍ଥ ଚୁଡ଼ଙ୍ଗପୁର ଗାଁରେ ଲୁଟ୍। ଶୁକ୍ରବାର ବିଳମ୍ଵିତ ରାତିରେ ପ୍ରହଲ୍ଲାଦ ପ୍ରଧାନଙ୍କ ଘରେ ପଶି କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ୩ ଲକ୍ଷ ୨୦ ହଜାର ଟଙ୍କା, ୮ ଭରି ଓଜନର ସୁନା ଓ ଗୋଟିଏ ମୋବାଇଲ୍ ଫୋନ ଲୁଟିନେଲେ କରିନେଲେ ଚୋର।
ସୂଚନାନୁଯାୟୀ, ଦିଗପହଣ୍ଡି ଥାନା ଚୁଡ଼ଙ୍ଗପୁର ଗାଁର ପ୍ରହଲ୍ଲାଦ ପ୍ରଧାନ ଗତକାଲି ରାତିରେ ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ଯାଇଥିଲେ। ଘରେ ସ୍ତ୍ରୀ ଓ ୨ ଝିଅ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରେ ପଶି ସେମାନଙ୍କ ମୁହଁରେ ନିଶା ସ୍ପ୍ରେ କରି ଅଚେତ କରି ଦେଇଥିଲେ। ଏହାପରେ ଆଲମିରା ଭାଙ୍ଗି ୩ ଲକ୍ଷ ୨୦ ହଜାର ଟଙ୍କା, ୮ ଭରି ଓଜନର ସୁନା ଓ ଗୋଟିଏ ମୋବାଇଲ୍ ଫୋନ ଲୁଟିନେଇଥିଲେ। ପ୍ରହଲ୍ଲାଦ ଚାଷ ବେଉସା ଓ ପିଲାଙ୍କ ପଢ଼ା ଖର୍ଚ୍ଚ ପାଇଁ ଧାନ ବିକ୍ରି କରି ଟଙ୍କା ଆଣି ଘରେ ରଖିଥିଲେ। ସବୁ ଟଙ୍କା ଓ ସୁନା ଚୋରି ହୋଇଯିବାରୁ ପ୍ରହଲ୍ଲାଦ ଏବେ ଭାଙ୍ଗି ପଡ଼ିଛନ୍ତି। ଏନେଇ ସେ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।