ବଲାଙ୍ଗିର,୨/୮ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଲିଖୁଣ୍ଟି ଗ୍ରାମର ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବାବେଳେ ତାହା ପୁରାପୁରି ସିଝି ଯାଇଥିଲା l ଉକ୍ତ ଖାଦ୍ୟ ଖାଇବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ l କାହାର ମୁଣ୍ଡ ବୁଲାଇଲା ତ ଆଉ କାହାର ପେଟ ବ୍ୟଥା ଆରମ୍ଭ ହେଲା l ଘଟଣା ସମ୍ପର୍କରେ ଜାଣି ଅଭିଭାବକ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା l ତେବେ ପ୍ରଥମେ ଏହାକୁ ସ୍କୁଲ କର୍ତ୍ତୃପକ୍ଷ ହାଲୁକା ଭାବେ ନେଇଥିବା ଅଭିଯୋଗ ହୋଇଛି l
ଏ ନେଇ ଅଭିଭାବକ ନିଜ ପକ୍ଷରୁ ତତ୍ପରତା ପ୍ରକାଶ କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ l ତେବେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ନେଇ କିଛି ଅଭିଭାବକ ସେମାନଙ୍କ ପୁଅ ଝିଅଙ୍କୁ ବାଇକରେ ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ l ପରେ ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ ପରେ ଗୁରୁତର ଛାତ୍ରଛାତ୍ରୀଙ୍କୁ ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାକୁ ପଠାଇଥିଲେ l ବର୍ତ୍ତମାନ ପର୍ଯ୍ୟନ୍ତ ୯ ଥର ଶତାଧିକ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ଭର୍ତ୍ତି କରାଯାଇଛି l
ଏ ନେଇ ଡାକ୍ତରଖାନାରେ କାନ୍ଦବୋବାଳି ପଡି ଯାଇଛି l ସୂଚନାଯୋଗ୍ୟ ଯେ, ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୬୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି l ପ୍ରଥମେ ୭ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଖାଦ୍ୟ ଖାଇଥିଲେ l ଅନ୍ୟପକ୍ଷରେ ଡାକ୍ତରଖାନାରେ ଶହ ଶହ ଛାତ୍ରଛାତ୍ରୀ, ଅଭିଭାବକ ଦୀର୍ଘ ସମୟ ଧରି ରେଜିଷ୍ଟ୍ରେସନ ପାଇଁ ଲମ୍ବା ଲାଇନ ଲଗାଇଥିବା ଦେଖାଯାଇଥିଲା l କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଡାକ୍ତରଖାନାରେ ଭର୍ତ୍ତି ଛାତ୍ରଛାତ୍ରୀଙ୍କୁ ସାକ୍ଷାତ ସହ ସମବେଦନା ଜଣାଇଛନ୍ତି l ତେବେ ୬୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଦିଆଯାଉଥିବାବେଳେ ଏ ନେଇ କାହିଁକି ସ୍କୁଲ କର୍ତ୍ତୃପକ୍ଷ ତଥା ସତର୍କତା ଅବଲମ୍ବନ କରୁନାହିଁ ସେ ନେଇ ପ୍ରଶ୍ନ ଉଠିଛି l ଏହାରି ତଦନ୍ତ କରାଯିବ ବୋଲି ବିଧାୟକ ଶ୍ରୀ ବାଗ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି l