ନମୌଜା,୨୭|୭(ଆପ୍ର):କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ମେଣ୍ଢପୁର ଓ ନିଆଳ ପଞ୍ଚାୟତ ମଧ୍ୟଭାଗ ମାଣିଖଣ୍ଡିରେ ଅବସ୍ଥିତ ଆଳି ଉଦ୍ୟାନ କୃଷି ବିଭାଗ ଅବହେଳିତ ଅବସ୍ଥା ଦେଇ ଗତି କରୁଛି l ଏହାର ପାଚେରୀ ନାହିଁ। ତାର ଜାଲି ଭାଙ୍ଗି ଯିବା ସହ ମୁଖ୍ୟ ଫାଟକ ଭାଙ୍ଗିରୁଜି ଯାଇଥିବାରୁ ଗାଈ ଗୋରୁ ମାନେ ପଶି ଚାରା ଓ ଗଛ ଗୁଡିକୁ ନଷ୍ଟ କରିଦେଉଥିବା ଦେଖିବାକୁ ମିଳିଛି l
ସାଧାରଣତଃ ଏଠାରେ ପାଣିର ସୁବିଧା ନ ଥିବାରୁ ନୂତନ ଚାରା ପ୍ରସ୍ତୁତ ନ ହୋଇ ପାରିବା ସହ ଚାରା ଗୁଡିକ ମଧ୍ୟ ମରିଯାଉଛନ୍ତି l ଯେଉଁ କୂଅ ଉପରେ ଭରସା ତାହା ମଧ୍ୟ ଭାଙ୍ଗି ନଷ୍ଟ ହୋଇଗଲାଣି l ଏହି ବିଭାଗ ପରିସର ମଧ୍ୟରେ ଥିବା କାର୍ଯ୍ୟାଳୟର ସ୍ଥିତି ଆହୁରି ସଂଗୀନ ହୋଇପଡିଛି l ଏହାର ଛାତରୁ ରଡ଼ ଦିଶିଲାଣି ତ ସମସ୍ତ କାନ୍ଥ ଫାଟି ଆଁ ହୋଇଗଲାଣି l ସେଥିରେ ଚଟାଣରେ ପଡ଼ିଥିବା ଟାଇଲ ଗୁଡିକ ମଧ୍ୟ ଭାଙ୍ଗି ରୁଜି ଗଲାଣି l ଛାତରୁ ପ୍ଳାଷ୍ଟର ଖସିବା ସହ ବର୍ଷା ହେଲେ ସ୍ଥାନେ ସ୍ଥାନେ କାର୍ଯ୍ୟାଳୟ ମଧ୍ୟକୁ ପାଣି ଝରୁ ଥିବା ଦେଖିବାକୁ ମିଳିଛି l ଫଳରେ କାନ୍ଥରେ ଶିଉଳି ଲାଗିବା ସହ ଜରୁରୀ ଦସ୍ତାବିଜ ମଧ୍ୟ ନଷ୍ଟ ହେବାକୁ ବସିଲାଣି l ଚାରିଆଡେ ଜଙ୍ଗଲମୟ ପରିବେଶ ହୋଇଥିବା ବେଳେ ଉଦ୍ୟାନ ବିଭାଗରେ ଥିବା ଜମିକୁ କିଛି ଜମି ମାଫିଆମାନେ କବଜା କରି ବସିଲେଣି l ଏଥିପ୍ରତି ନା ପ୍ରଶାସନର ଦୃଷ୍ଟି ଅଛି ନା ସରକାରଙ୍କର l ଯାହାକୁ ନେଇ ଆଳି ଅଞ୍ଚଳର ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l
ଏ ନେଇ ଆଳି ଉଦ୍ୟାନ କୃଷି ଅଧିକାରୀ ସୌମ୍ୟ ରଞ୍ଜନ ସେଠିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏ ସମସ୍ୟା ସମ୍ବନ୍ଧରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛଯାନ୍ତି l ଖୁବଶୀଘ୍ର ଏହି ସମସ୍ୟା ଗୁଡିକର ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି l