ନୁଆଦିଲ୍ଲୀ: ମହାଶିବରାତ୍ରୀ ପାଇଁ ଉତ୍ସବମୁଖର ଥିଲା ଝାରଖଣ୍ଡର ହାଜିରାବାଗ ଅଞ୍ଚଳ। ଉତ୍ସବକୁ ନଜରରେ ରଖି ସାରା ଅଞ୍ଚଳରେ ସାଜସଜ୍ଜା ପାଇଁ ପତାକା ସାଙ୍ଗକୁ ମାଇକ ଲାଇଟର ବ୍ୟବସ୍ଥା କରାଯାଇଥିଲା। ହେଲେ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ହାଜିରାବାଗର ହିନ୍ଦୁସ୍ତାନ ଚୌକରେ ହୋଇଥିବା ଏହି ଦଙ୍ଗାରେ ଅତ୍ୟନ୍ତ ହିଂସାତ୍ମକ ପରିସ୍ଥିତିର ସାମ୍ନା କରିବାକୁ ପଡିଛି। ଉଭୟ ଗୋଷ୍ଠି ପରସ୍ପର ଉପରେ ପଥର ଫିଙ୍ଗାଫୋପଡା କରିଛନ୍ତି। ଯେଉଁଥିରେ ଉଭୟ ଗୋଷ୍ଠୀର ଅନେକ ଲୋକ ଗୁରୁତର ଆହାତ ହୋଇଛନ୍ତି।
ଗୋଟିଏ ଗୋଷ୍ଠୀର କିଛି ସଦସ୍ୟ ସ୍ଥାନିୟ ଅଞ୍ଚଳରେ ଥିବା ଦୋକାନ ଓ ଗାଡିରେ ନିଆଁ ଲଘାଇଦେବା ପରେ ପରିସ୍ଥିତି ଆହୁରି ଭୟଙ୍କର ହୋଇଥିଲା। ଏହି ହିଂସାତ୍ମକ ଦଙ୍ଗାରେ ଅନେକ ଲୋକ ଆହାତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହାଜିରାବାଗ ସଦର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଏହି ହିଂସାତ୍ମକ ଦଙ୍ଗାକୁ ଲକ୍ଷ୍ୟକରି କେନ୍ଦ୍ର ମନ୍ତ୍ରୀ ତଥା ରାଞ୍ଚିର ବିଜେପି ସାଂସଦ ସଞ୍ଜୟ ସେଠ କ୍ଷୋଭ ପ୍ରକାଶ କରିଛନ୍ତି। ସରସ୍ୱତୀ ପୂଜା, ରାମନବମି, ହୋଲିରେ ଝାରଖଣ୍ଡରେ ଦଙ୍ଗା ହେବା ଅତି ସାଧାରଣ କଥା ହୋଇଗଲାଣି। ବାଂଲାଦେଶି ଅନୁପ୍ରବେଶକାରି ମାନେ ଏହି ଦଙ୍ଗା ସୃଷ୍ଟିର ମୂଳକାରଣ ବୋଲି ସେ ଅଭିଯୋଗ କରିଛନ୍ତି।
ସଞ୍ଜୟ ସେଠ ଆହୁରି କହିଛନ୍ତି ଯେ “କେଉଁ ଲୋକମାନେ ଶାନ୍ତି ଭଙ୍ଗ କରିବାକୁ ଚାହୁଁଛନ୍ତି। ଏବେ ସାରାଦେଶରେ କେଉଁଠି ବି ଏତେ ହିଂସା ପରିଲକ୍ଷିତ ହେଉନି। ତ ଝାରଖଣ୍ଡରେ ଏତେ ହିଂସା କଣ ପାଇଁ ହେଉଛି। କାରଣ ବାଂଲାଦେଶି ଅନୁପ୍ରବେଶକାରି ମାନେ ରାଜ୍ୟର ଆଇନ ପରିସ୍ଥିତିକୁ ବିଗାଡୁଛନ୍ତି।”