ପୁରି, ୨୭/୫: ବଳିଆପଣ୍ଡା ଥାନା ଅଧୀନ ନାଲିଫିଲ୍ଡରେ ଘୋଡ଼ା ଚାଳକ ଓ ଜଣେ ଯାତ୍ରୀ ଗୁମସ୍ତା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏଥିରେ ଉଭୟ ଗୁରୁତର ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏହି କାଣ୍ଡ ଘଟିଛି। ଘୋଡ଼ା ଚାଳକ ହେଲା ବଳିଆପଣ୍ଡା ଧୋବାଖାଲର ଭଗବାନ ସାହୁ (୨୩) ଓ ଯାତ୍ରୀ ଗୁମାସ୍ତା ହେଲା ବଳିଆପଣ୍ଡା ସିଂହସାହିର ରାଜା ପ୍ରଧାନ (୨୭) ବୋଲି ଜଣାପଡିଛି।
ଏନେଇ ଭଗବାନ କହିଛି ଯେ, ସେ ଫେରୁଥିବାବେଳେ ନାଲିଫିଲ୍ଡ ଠାରେ ରାଜା ତାକୁ ଅଟକାଇଥିଲେ। ପରେ ଦାଦାବଟି ମାଗିଥିଲା। ସେ ମନା କରିବାରୁ ହଠାତ ରାଜ ତାକୁ ଧାରୁଆ ଛୁରିରେ ଆକ୍ରମଣ କରିଥିଲା। ଯେଉଁଥିପାଇଁ ହାତ ଓ ଆଙ୍ଗୁଠିରେ କ୍ଷତ ସୃଷ୍ଟି ହୋଇଥିବାବେଳେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ଅନ୍ୟପଟେ ରାଜା ପୁଲିସକୁ ସୂଚନା ଦେଇ କହିଛି ଯେ, ତାକୁ ୨ଜଣ ଦାଦାବଟି ମାଗି କାଚ ବୋତଲରେ ଆକ୍ରମଣ କରିଛନ୍ତି। ଏଥିରେ ତା' ର କାନରେ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହୋଇଛି। ପୁଲିସ ତାକୁ ନେଇ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଛି। ଦୁହେଁ ଆକ୍ରମଣ ଓ ପ୍ରତିଆକ୍ରମଣରେ ରକ୍ତାକ୍ତ ହୋଇଥିବା ପୁଲିସ ସୂଚନା ଦେଇଛି।