ପୁରୀ, ୨୯/୦୫ : ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଆକାଶ ଅମ୍ବାନୀ। ବୁଧବାର ବିଳମ୍ବିତ ରାତିରେ ବିଶିଷ୍ଟ ଶିଳ୍ପପତି ତଥା ରିଲିଆନ୍ସ ଜିଓର ପ୍ରତିଷ୍ଠାତା ମୁକେଶ ଅମ୍ବାନୀଙ୍କ ଜ୍ୟେଷ୍ଠ ପୁତ୍ର ଆକାଶ ଅମ୍ବାନୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ସିଂହଦ୍ଵାର ଥାନା ପାଖରେ ଆକାଶ ଅମ୍ବାନୀ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା। କୌଳିକପଣ୍ଡା ଜଗନ୍ନାଥ କର ଆକାଶ ଅମ୍ବାନୀଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ଭିତରକୁ ଯାଇ ସେ ମହାପ୍ରଭୁଙ୍କ ଦର୍ଶନ ସହିତ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିଥିଲେ।
ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥିବାରୁ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା। ତେଣୁ ବିଳମ୍ବିତ ରାତିରେ ସନ୍ଧ୍ୟା ଧୂପ ସମୟରେ ଆକାଶ ଅମ୍ବାନୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ସେ ଶ୍ରୀମନ୍ଦିର ଭିତରେ ସମୟ ଅତିବାହିତ କରିଥିବା ବେଳେ ପ୍ରାୟ ୧୫ ମିନିଟ ଧରି ସେ କେବଳ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଇଥିଲେ। ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ସମୟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରାଯିବା ସହ କୌଳିକପଣ୍ଡା ଜଗନ୍ନାଥ କର ମଧ୍ୟ ତାଙ୍କୁ ଖଣ୍ଡୁଆ ଓ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଭେଟି ଆକାରରେ ପ୍ରଦାନ କରିଥିଲେ। ପରେ ଆକାଶ ଅମ୍ବାନୀ ତାଙ୍କ କୌଳିକପଣ୍ଡାଙ୍କ ପାଦଛୁଇଁ ଆର୍ଶୀବାଦ ନେଇ କଡ଼ା ସୁରକ୍ଷା ମଧ୍ୟରେ ଫେରିଯାଇଥିଲେ।