ପୁରୀ,୨୬/୦୫: ତିନି ରଥର ୪୨ ତୁମ୍ବ(ଚକର ମଝି ଅଂଶ)ରେ ୬୭୨ ଅର(ସ୍ପୋକ୍) ଫିଟିଂ କାର୍ଯ୍ୟ ରବିବାର ଶେଷ ହୋଇଛି । ଯନ୍ତାଗାଡ଼ରେ ପଡ଼ି ଶେଷ ତିନୋଟି ଚକର ସିଙ୍ଗଡ଼ା(ତୁମ୍ବ ସଂଯୁକ୍ତ ଅର) ପ୍ରସ୍ତୁତ କରିଛନ୍ତି ଭୋଇ ସେବକ । ତିନିଟି ତୁମ୍ବରେ ୪୮ ଟି ଅର ଭୁଞ୍ଜାଯାଇ ତିନି ସିଙ୍ଗଡ଼ା ପ୍ରସ୍ତୁତ ହୋଇଛି । ସେଥିରେ ଅର କଣ୍ଟା ପିଟା ସରିଛି । ଏଥିସହ ରଥ ଖଳାରେ ଚଉତାରେ ବିନ୍ଧ ଅନୁକୂଳ କରାଯାଇଛି। ମୁଖ୍ୟ ବିଶ୍ୱକର୍ମା ମାଳ, ମାହାର୍ଦ୍ଦ ଓ ଶ୍ରୀଫଳ ଦେଇ ଚଉତା(ଭୂଇଁର ଅଂଶ) କାଠରେ ଖୋଦେଇ ଆରମ୍ଭ କରିବା ପରେ ନିପୁଣ କାରିଗରମାନେ ବିନ୍ଧ ଖୋଦେଇ କରୁଛନ୍ତି ।
ରବିବାର ଝିପି ଝିପି ବର୍ଷାକୁ ଖାତିର ନକରି ରଥ କାର୍ଯ୍ୟ ଜାରି ରଖିଥିଲେ ନିର୍ମାଣକାରୀ । ରଥତ୍ରୟର ଶେଷ ଚକ ଏକା ସମୟରେ ପ୍ରସ୍ତୁତ ହେବାର ପରମ୍ପରା ରହିଛି । ସିଙ୍ଗଡ଼ା ବାଡ଼ିଆ ଆରମ୍ଭରେ ଅନୁକୂଳ ଭଳି ଶେଷ ସିଙ୍ଗଡ଼ା ୩ଟି ପ୍ରସ୍ତୁତି ପୂର୍ବରୁ ମଧ୍ୟ ଅନୁକୂଳ ହୋଇଥାଏ । ମା’ଚର୍ଚ୍ଚିକା ଠାକୁରାଣୀଙ୍କୁ ପୂଜା ପରେ ସିନ୍ଦୁର ଦେଇ ଓ ଶ୍ରୀଫଳ ବାଡ଼େଇ ଶେଷ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟର ଶୁଭାରମ୍ଭ ହେଲା । ତାଳଧ୍ୱଜ, ନନ୍ଦିଘୋଷ ଓ ଦେବଦଳନ ରଥର କାର୍ଯ୍ୟ କ୍ରମାନ୍ୱୟରେ ଅନୁଷ୍ଠିତ ହୋଇଥିଲା । ଏହାପରେ ରଥ ଖଳାରେ ବିଲେଇ ବାଡ଼ିଆ ପ୍ରକ୍ରିୟାରେ ସିଙ୍ଗଡ଼ାରେ ପହି ପିନ୍ଧା ଯାଇ ଏକକାଳୀନ ତିନି ରଥର ଶେଷ ଚକ ସରିବ । ଏହାପରେ ଅଖ କାର୍ଯ୍ୟ ଆରମ୍ଭ ହେବ । ରଥ ଖଳାରେ ଜାରି ରହିଛି ଚଉଦାନାହାକା ହଣା କାର୍ଯ୍ୟ । ରୂପକାର, କରତି ଓ କମାର ସେବକ ନିଜ ନିଜ କାର୍ଯ୍ୟରେ ଲାଗିଛନ୍ତି । ରଥ ଅମିନ ତିନି ଖଳାକୁ କାଠ ଯୋଗାଡ଼ିବା ଦେବାରେ ବ୍ୟସ୍ତ । ମୁଖ୍ୟ ବିଶ୍ୱକର୍ମାଙ୍କ ପରାମର୍ଶ ଅନୁସାରେ ଚାଲିଛି ରଥ ନିର୍ମାଣ ।