ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଅଙ୍ଗୁଳିମୁଖରେ ଶୈଶବ...

ଏଇ ମାର୍ଚ୍ଚ ମାସ ଶେଷ ସପ୍ତାହର ଘଟଣା । ଆମେ ଯାଇଥାଉ ଆମର ଜଣେ ନିକଟ ସମ୍ପର୍କୀୟ ଘରକୁ । ପୁଅ ତାର ଏବେ ତୃତୀୟ ଶ୍ରେଣୀର ଛାତ୍ର । ଆଗୁଆ ଖରାଛୁଟିକୁ ଦେଖି ତା’ ଇଂଲିଶ ମିଡିୟମ ସ୍କୁଲ କର୍ତ୍ତୃପକ୍ଷ ସକାଳୁ ସକାଳୁ ଅନଲାଇନ କ୍ଲାସ ଆରମ୍ଭ କରିଦେଇଥାନ୍ତି ସେତେବେଳକୁ, ସିଏ ପୁଣି ସାଢେ ସାତଟାରୁ ଦଶଟା । ପୂରାପୂରି ଖରାଦିନର ସ୍କୁଲ ସମୟ ନିର୍ଘଣ୍ଟ, ପାଞ୍ଚ ପାଞ୍ଚଟି ପିରଅଡ ସହିତ ଲଗାତାର ଅଧଘଣ୍ଟାଏ ଲେଖାଏଁ କ୍ଲାସ । ଗୋଟାଏ ପିରିଅଡ ନସରୁଣୁ ଆଉ ଗୋଟାକର ଲିଙ୍କ୍‌ ଆସି ହାଜର । ମୁଁ ବସିଥାଏ କୁନି ପିଲାଟିର ଗୋଟିଏ ପାଖରେ, ନିଉଜ ପେପରଟିଏ ଧରି । ଆରପଟେ ମାଆ ତାର ବସିଥାଏ ତାକୁ ଲାଗି, ତା’ ଫୋନ ଅପରେଟର୍‌ ତଥା ଶୁଣାଶୁଣି ସହକାରୀ ଭାବରେ । ନିଉଜ ପେପରଟି ଆଢୁଆଳ ମାତ୍ର, ମୋର ତ ମନ ଯାଇ ସେ ଭଣଜାର ପାଠ ଉପରେ । ପିଲାଙ୍କ କେଁ-କାଁ-ପେଁ-ପାଁ ଭିତରେ ପାଠ । ପାଠ ମଝିରେ କିଏ ଜଣେ କୁନି ଝିଅ ପାଟି କରୁଥାଏ ‘ମେମ୍‌, କୋଇ ଏକ ମେସେଜ୍‌ ଭେଜ୍‌ ରହା ହେ' । ପରେ ପରେ ମେମ୍‌ଙ୍କ ତାଗିଦ୍‌ । ଓଡ଼ିଆ ମେମ୍‌ ଏକଲୟରେ ଡାକି ଚାଲିଥାନ୍ତି ‘ମାଙ୍କଡ଼ ମାନେ ଜହ୍ନକୁ...' । 

ଏସବୁ ଭିତରେ ମୁଁ ରୀତିମତ ଲକ୍ଷ୍ୟ କରୁଥାଏ ମୋ ଭଣଜାର ହାବଭାବକୁ । ଚୁପ୍‌ଚାପ ଲେଖୁଥାଏ ସେ କିଛି ବି ନକହି, ବେଳେବେଳେ ଯାହା ଖାଲି ‘ଗୁଡ୍‌ମର୍ଣ୍ଣିଂ ମେମ୍‌' ବା ‘ବାଏ ମେମ୍‌' ଛଡ଼ା । ହେଲେ, ଆଖିଟା ତାର ନିବଦ୍ଧ ଥାଏ ସେ ଛୋଟ ମୋବାଇଲରେ ଆହୁରି ଛୋଟିଆ ଜୁଳୁକା ଜୁଳୁକା ହୋଇ ସଜାଇ ହୋଇଥିବା ଚଳଚଞ୍ଚଳ ଗୁଡ଼ିଏ ପରଦା ଉପରେ, ତା’ ମେମ୍‌ର ଭିଡିଓଟିକୁ ବାଦ୍‌ ଦେଇ । ଆଖି ଦିଇଟା ହୁଏତ ତାର କଷ୍ଟ ପାଉଥାଏ । କେତେଥର ସେ ଆଖି ମଳୁଥାଏ ଆଉ ମିଟିମିଟି କରୁଥାଏ ତାର ହିସାବ ନାହିଁ । ବେଳେବେଳେ ତା’ ମାଆକୁ ବିକଳରେ କହୁଥାଏ ‘ମାଆ, ଫୋନ ପୂରା ଗରମ ହୋଇଗଲାଣି, ଫାଟି ଯିବନି ତ?' ମାଆ ଫୋନକୁ ଛୁଏଁ  ଆଉ କୁହେ- ନାଁରେ, ନୂଆ ଫୋନଟା, କିଛି ହବନି, ତୁ ତୋ ପାଠରେ ମନ ଦେ । ଏମିତି ଚାଲେ ଦଶଟାଯାଏଁ । ସେତେବେଳକୁ ଫୋନଟା ଖାଲି ନାଲି ଦିଶିବା ବାକିଥାଏ ବୋଲି ମତେ କାହିଁକି ମନେ ହେଉଥାଏ ।

ସ୍ମାର୍ଟଫୋନ୍‌ ନୁହେଁ ତ ସେ ମିନି କମ୍ପ୍ୟୁଟର । ତା’ ମାୟାରେ ଆଜିର ଦୁନିଆ । ଟର୍ଚ୍ଚ, କାଲ୍‌କୁଲେଟର୍‌, କେମେରା, ଘଣ୍ଟାଠୁ ଆରମ୍ଭ କରି ଅଡିଓ-ଭିଡିଓ ଫୋନ୍‌ କଲ୍‌, ସୁର ସଂଗୀତ, ଜାତୀୟ-ଅନ୍ତର୍ଜାତୀୟ ସମ୍ବାଦ, ବ୍ୟାଙ୍କସେବା, ପାଣିପାଗ ସୂଚନା, ଚିଠିପତ୍ର ଆଦାନ ପ୍ରଦାନ, ବୀମା, ସପିଙ୍ଗ, ସୋସିଏଲ ମିଡିଆ, ସିନେମା! ବାବାରେ ବାବା, ତା’ ମେଜିକ୍‌ର ଚିଠା ବହୁତ ବଡ଼ । ଏଣୁ, ସେ ଜାତି ଜାତିର ଆକର୍ଷଣ ପଛରେ ପାଇଡ ପାଇପର ପରି ଢେର୍‌ ଲମ୍ବା ଧାଡ଼ି । ଅନ୍ତୁଡ଼ିଶାଳର ବକଟେ ଶିଶୁ ହେଉ ବା ଶାଶ୍ୱତ ନିଦ୍ରା ଆପେକ୍ଷମାଣ ଶତାୟୁ ବୃଦ୍ଧ, ସଭିଙ୍କ ହାତବାରିସି ଏ ଅଦ୍ଭୁତ ଯନ୍ତ୍ର ଗୋଟିକ । ତାକୁ ନଦରାଣ୍ଡିଲେ କ୍ଷଣିକ ବି ଯୁଗପରିକା ଲାଗେ କୁଆଡେ ଏମାନଙ୍କୁ? ବେକ୍ଲିଙ୍କୋ ଡାଟା କହେ ୨୦୧୪ ମସିହାରେ ମାତ୍ର ୧ ବିଲିୟନ ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ଥିବାବେଳେ ୨୦୨୪ ହେଉ ହେଉ ଏହା ପ୍ରାୟ ପାଞ୍ଚଗୁଣ ପାଖାପାଖି ହୋଇସାରିଲାଣି । ପୁଣି, ୨୦୨୭ ସୁଦ୍ଧା କୁଆଡ଼େ ଏହା ୬ ବିଲିୟନ ଉପରକୁ ଚାଲିଯାଇଥିବ ବୋଲି ଏଥିରେ ଆକଳନ ବି କରାଯାଇଛି । ସତରେ, ମାଙ୍କଡ଼ସା ଜାଲଠୁ କାହିଁ କେତେଗୁଣ ତଗଡା ଏ ଇଣ୍ଟରନେଟ ଜାଲରେ ମାଛି ପରିକା ଛନ୍ଦି ହୋଇ ହୋଇ ଯାଆନ୍ତି ସଭିଙ୍କ ସହ ଆଜିର ଶିଶୁ ସମାଜ ବି । ଚାଇଲ୍ଡ ମାଇଣ୍ଡ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ନାମକ ଏକ ସଂସ୍ଥାର ଏଡିଟୋରିଏଲ ଡାଇରେକ୍ଟର କେରୋଲିନ୍‌ ମିଲର୍‌ଙ୍କ ଏକ ଆଲେଖ୍ୟରୁ ଜଣାଯାଏ, କମନ ସେନ୍‌ସ ମିଡିଆର ସର୍ଭେ ରିପୋର୍ଟ ଅନୁଯାୟୀ ୧୦ବର୍ଷ ବୟସ ହେବା ବେଳକୁ ପ୍ରାୟ ୪୨ ପ୍ରତିଶତ ଶିଶୁଙ୍କ ହାତକୁ ନିଜସ୍ୱ ମୋବାଇଲଟିଏ ଆସିଯାଇଥାଏ, ଯାହାକି ୧୨ବର୍ଷ ବେଳକୁ ୭୧ ପ୍ରତିଶତ ତଥା ୧୪ବର୍ଷ ବେଳକୁ ୯୧ ପ୍ରତିଶତରେ ପହଞ୍ଚି ସାରିଥାଏ । 

ସେହିପରି ସେଲ୍‌-ଶେଲ୍‌ ଡାଟା କହେ, ୨୦୨୧ ମସିହା ବେଳକୁ ବିଶ୍ୱରେ ୧୩୪କୋଟି ୫ରୁ ୧୪ବର୍ଷୀୟ ଶିଶୁଙ୍କ ଭିତରୁ ପ୍ରାୟ ୫୦ ପ୍ରତିଶତ ବା ୬୭କୋଟିଙ୍କ ହାତରେ ଏ ଯନ୍ତ୍ରଟି ରହିଥିଲା । ଏଥିରୁ ଭାରତର ମଧ୍ୟ ୧୨କୋଟିରୁ ଉକାଟ ଶିଶୁ ସ୍ମାର୍ଟଫୋନ ବ୍ୟବହାରକାରୀ ପାଲଟିଯାଇ ସାରିଥିଲେ ବୋଲି ଜଣାଯାଏ ।

ଏତେସବୁ ଆକର୍ଷଣ ଭିତରେ ଜନ୍ମନିଏ ସ୍ମାର୍ଟ ଫୋନ ନିଶା ଏବଂ ଏହାର ପ୍ରଥମ ଶିକାର ହୁଅନ୍ତି କୋମଳମତି ଶିଶୁଗଣ । ୨୦୦୯ ମସିହାରେ କେମ୍‌ବ୍ରିଜ ୟୁନିଭରସିଟି ପ୍ରେସ୍‌ ତରଫରୁ ପ୍ରକାଶିତ ‘ଜିରୋ ଟୁ ଥ୍ରୀ' ଜର୍ଣ୍ଣାଲର ଏକ ଗବେଷଣାତ୍ମକ ପ୍ରବନ୍ଧରେ ଦୁଇ ଲେଖକ ଟିମେ ଏବଂ ନେଲସନ୍‌ ଆମ ମସ୍ତିଷ୍କର ବିକାଶ ସମ୍ପର୍କରେ ଏକ ସୁନ୍ଦର ଧାରଣା ପ୍ରଦାନ କରିଛନ୍ତି । ଗର୍ଭଧାରଣର ଦୁଇ ସପ୍ତାହ ପରେ ପରେ ଆରମ୍ଭ ହେଉଥିବା ଏ ପ୍ରକରଣଟି ପ୍ରାୟ ୨୦ବର୍ଷରୁ ବେଶୀ ସମୟ ଧରି ଜାରି ରହେ । ଏହାର ମୂଳ ଢାଞ୍ଚା ପ୍ରାରମ୍ଭିକ-ଶୈଶବ ବେଳକୁ ତିଆରି ସରିଥିଲେ ହେଁ, ସ୍ନାୟୁତନ୍ତ୍ରର ଉଭୟ ତିଆରି ଏବଂ ବିକାଶ ନାନା ସ୍ତର ଦେଇ ଦୀର୍ଘବର୍ଷ ପର୍ଯ୍ୟନ୍ତ ଚାଲିଥାଏ । ଏସବୁ ମଧ୍ୟରେ ବିଭିନ୍ନ ପ୍ରକାର ଧ୍ୱନି ଓ କଥା କହିବା ଶୈଳୀ ସହ ପରିଚିତ ହେବା, ମୁହଁ ଚିହ୍ନିବା ଆଦି କେତେ କଥା ଧୀରେ ଧୀରେ ଅବୋଧ ଶିଶୁଟିର ମସ୍ତିଷ୍କର ପରିଧି ଭିତରକୁ ଆପେ ଆପେ ଚାଲିଆସେ । ଆହୁରି ମଧ୍ୟ ଇନ୍ଦ୍ରିୟବୋଧ (ସେନ୍‌ସେସନ୍‌) ଏବଂ ଧାରଣା (ପର୍‌ସେପ୍ସନ୍‌) ଶିଶୁର କିଣ୍ଡରଗାର୍ଟନ ସ୍ତର ପର୍ଯ୍ୟନ୍ତ ପୂର୍ଣ୍ଣତଃ ବିକଶିତ ହୋଇଯାଉଥିବା ବେଳେ ଅନ୍ୟ ବିଷୟ- ସ୍ମୃତିଶକ୍ତି, ନିର୍ଣ୍ଣୟ କରିବା ଶକ୍ତି, ଭାବ ପ୍ରକଟ କରିବା ଆଦି ପ୍ରଖର ହେବାପାଇଁ ଆଉ ବେଶ୍‌ କିଛିବର୍ଷ ଲାଗିଯାଇଥାଏ । ଆଦ୍ୟ ପ୍ରାପ୍ତ-ବୟସ୍କ ସ୍ତର ପର୍ଯ୍ୟନ୍ତ ମସ୍ତିଷ୍କର ବିକାଶ ହେଉଥିଲେ ମଧ୍ୟ ଏକ ସୁସ୍ଥ ତଥା ବିକଶିତ ମସ୍ତିଷ୍କ ପାଇଁ ଶୈଶବ କାଳରେ ହେଉଥିବା ସାମଗ୍ରିକ ପରିବର୍ତ୍ତନକୁ କେବେବି ଅଣଦେଖା କରିହୁଏନାହିଁ ବୋଲି

ଏଥିରେ ସ୍ପଷ୍ଟ ରୂପେ କୁହାଯାଇଛି । ଏତେସବୁ କଥା ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିବା ଭିତରେ ଲୁକ୍କାୟିତ ଥିବା ବିଷୟଟି ହେଉଛି, ଆଜିକାର ଆଧୁନିକ ଜୀବନଶୈଳୀର କେନ୍ଦ୍ରସ୍ଥଳରେ ଥିବା ମୋବାଇଲ ଫୋନ କିଭଳି ପାଣ୍ଡୋରାର ବାକ୍ସ ସାଜି ଶିଶୁମାନଙ୍କଠାରେ ନାନାଦି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି? ଏହାକୁ ହୃଦୟରୁ ବୁଝିବାକୁ ହେଲେ ଆମକୁ କେତେକ ଅତି ସମ୍ବେଦନଶୀଳ ବିଷୟକୁ ବିଚାରକୁ ନେବାକୁ ହେବ । ମୋବାଇଲ ନିଶା ଦୁଇ ପ୍ରକାରେ ଶିଶୁ ଉପରେ କୁପ୍ରଭାବ ବିସ୍ତାର କରିଥାଏ । ପ୍ରଥମ, ପିତାମାତାଙ୍କ ଅତ୍ୟଧିକ ସ୍ମାର୍ଟଫୋନ୍‌ ପ୍ରୀତି, ଛୋଟ ଅବସ୍ଥାରେ ଶିଶୁକୁ ତା’ ପ୍ରାପ୍ୟ ପିତୃମାତୃ ସ୍ନେହରୁ ବଞ୍ଚିତ କରିଥାଏ । ଫଳରେ ଠିକ୍‌ଭାବରେ ପ୍ରକାଶ କରିପାରୁନଥିବା ଅବୋଧ ଶିଶୁଟି ଏକାକୀ ହୋଇ ମାନସିକ ସ୍ତରରେ ଯଥେଷ୍ଟ ଆଘାତ ପାଇଥାଏ । ଆଉ ଗୋଟିଏ କଥା, ଅଭିଭାବକ ସଦାବେଳେ ମୋବାଇଲ କୀଟ ହେଲେ, ଟିକିଏ ବଡ଼ ଶିଶୁ ପାଇଁ ବି ସମସ୍ୟା କିଛି କମ୍‌ ନଥାଏ । ଏହା ଅନେକ ସମୟରେ ପିତାମାତା ସହ ସନ୍ତାନର ମତାନ୍ତରର କାରଣ ମଧ୍ୟ ହୋଇଥାଏ, ଯେତେବେଳେ କି ସେମାନେ ଶିଶୁର ମୋବାଇଲ ବ୍ୟବହାରକୁ ଆକଟ କରିଥାନ୍ତି । ସିଏ ଆମେରିକାର ବୋଷ୍ଟନ ମେଡିକାଲ ସେଣ୍ଟରର ଡ. ରେଡେସ୍କିଙ୍କ କାମ ହେଉ କି ଅଷ୍ଟ୍ରିଆର ଭିଏନା ବିଶ୍ୱବିଦ୍ୟାଳୟର ମାଥେସ୍‌ଙ୍କ ଗବେଷଣା । ପିତାମାତାଙ୍କ ମୋବାଇଲ ନିଶାର କୁପ୍ରଭାବ ଶିଶୁ ଉପରେ ଯେ ନିଶ୍ଚିତରେ ପଡ଼ିଥାଏ ଏକଥା ଉପରେ ଦୋହରା ମୋହର ଲଗାଇଥାଏ । ଦ୍ୱିତୀୟ ପ୍ରକାର କୁପ୍ରଭାବ କିନ୍ତୁ ଆହୁରି ସାଂଘାତିକ । କାରଣ, ଏହା ସିଧାସଳଖ ଶିଶୁର ମାନସିକ ଓ ଶାରୀରିକ ବିକାଶରେ ବାଧକ ସାଜିଥାଏ । ମୋବାଇଲ ଫୋନ ସାଥିରେ ଆଖିର ସମ୍ପର୍କ ଅତି ନିବିଡ଼ । ଶିଶୁଟି ପଲକ ନପକାଇ ଏକଲୟରେ ଛୋଟିଆ ମାତ୍ର ଉଜ୍ଜଳ ସ୍କ୍ରିନ୍‌କୁ ବହୁ ସମୟ ଚାହିଁ ରହିବାରୁ ତା’ ଆଖିକୁ ହାଲିଆ କରିପକାଏ । ଏହା ସହିତ ଆଖିଦ୍ୱୟ ବାରମ୍ବାର ସ୍କ୍ରିନରେ ହେଉଥିବା ପରିବର୍ତ୍ତନକୁ ଧରିବାକୁ ଚେଷ୍ଟା କରୁଥାଏ । ଯାହାଫଳରେ ଆଖି ଠିକ୍‌ଭାବରେ ଓଦାଳିଆ ରହିପାରେନାହିଁ । ଏହା କ୍ରମେ ଦୃଷ୍ଟିଶକ୍ତିକୁ ଅସ୍ପଷ୍ଟ କରିବା ସହିତ ମୁଣ୍ଡବ୍ୟଥାର ବି କାରଣ ହୋଇଥାଏ । ଏହାଦ୍ୱାରା ସମୀପ ଦୃଷ୍ଟିଦୋଷ ହେବାର ସମ୍ଭାବନା ବହୁଗୁଣରେ ବୃଦ୍ଧିପାଏ ଏବଂ ଆଖି ଉପରେ ଦୀର୍ଘସ୍ଥାୟୀ କୁପ୍ରଭାବ ପକାଇବାର ସାମର୍ଥ୍ୟ ରଖେ । ବହୁଦିନର ମୋବାଇଲ ବ୍ୟବହାର ନିଦ୍ରାହୀନତାର ଏକ ମୁଖ୍ୟ କାରଣ ରୂପେ ଉଭା ହେବା ବି ଜଣାପଡ଼ିଲାଣି । ଫଳରେ ଶିଶୁଟି ଦିନରେ ଝୁମ୍ପୁଝୁମ୍ପୁ ହେବା ସଙ୍ଗେ ସଙ୍ଗେ ତାହାର ମନୋଦଶାରେ ଅହେତୁକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇ, ସାମଗ୍ରିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ । ଯନ୍ତ୍ରଟିରୁ ନିର୍ଗତ ହେଉଥିବା ରେଡିଓ-ତରଙ୍ଗର ବିପରୀତ ପ୍ରଭାବ ବିକାଶଶୀଳ ମସ୍ତିଷ୍କର ଉଭୟ ଗାଠନିକ ତଥା କାର୍ଯ୍ୟଦକ୍ଷତାକୁ ସୀମିତ କରିବାର କଥା ଅନେକ ଯୁକ୍ତି କରନ୍ତି । ଦେଖାଯାଇଛି ଯେ, ଫୋନ ସହ ବେଶୀ ସମୟ ଅତିବାହିତ କରିବା ଶିଶୁର ସୃଜନଶୀଳତା, ଆବିଷ୍କାର କରିବାର ଆନ୍ତରିକ ଇଚ୍ଛା ଏବଂ ସମସ୍ୟା ସମାଧାନ କରିବାର ସାମର୍ଥ୍ୟକୁ ଦୁର୍ବଳ କରିଦେଇଥାଏ । ଅଳ୍ପ ସମୟରେ ଭେଳିକି ଭେଳି ଚିନ୍ତା ହେତୁ ଶିଶୁର ମନୋନିବେଶ କରିବା ତଥା ମନେ ରଖିବା ଶକ୍ତି ଧୀରେ ଧୀରେ କମିବାରେ ଲାଗେ । 

ବିଡ଼ମ୍ବନାର ବିଷୟ, ଦିନେ ସୁଚାରୁ ରୂପେ ଭାବର ଆଦାନ ପ୍ରଦାନ ପାଇଁ ମାନବ-ଉର୍ବର-ମସ୍ତିଷ୍କ ସଂଭୂତ ଏ ଯନ୍ତ୍ରଟି ସାମାଜିକ ଅଭାବବୋଧର ମୂଳ କାରଣ ଭାବରେ ଉଭା ହେଲାଣି । ପରିସ୍ଥିତି ଏଭଳି ବିଷମ ହେବାକୁ ବସିଲାଣି ଯେ, ଶିଶୁମାନେ ଏକସଙ୍ଗରେ ବସି ସୁଖ-ଦୁଃଖ ବାଣ୍ଟିବା ଏକ ପୁରୁଣାକାଳିଆ ସଭ୍ୟତା ପାଲଟି ଗଲାଣି । ଏହାଦ୍ୱାରା ଆବହମାନ କାଳରୁ କଷି ହୋଇ ହୋଇ ଆସୁଥିବା ସାମାଜିକ ଗଣ୍ଠି ସବୁ ହୁଗୁଳି ଯିବାକୁ ବସିଲେଣି । ଏହା ତ ନିରାଟ ସତ ଯେ, ମୋବାଇଲ ଫୋନର ଅପବ୍ୟବହାର ଶିଶୁଙ୍କର ପାଠପଢାକୁ ମଧ୍ୟ ସିଧାସଳଖ ପ୍ରହାର କରିଥାଏ । କାରଣ, ବଢୁଥିବା ମସ୍ତିଷ୍କଟି ଇତର କଥା ଚିନ୍ତା କରି କରି ଏତେ ଥକିଯାଏ ଯେ ପଢ଼ାପଢ଼ି ବିଷୟଟି ତାକୁ ବିଷ ପରି ଲାଗେ । ଆତ୍ମହତ୍ୟା କରିବାର ଇଚ୍ଛାକୁ ଜାଗ୍ରତ କରିବା, ଅପରାଧପ୍ରବଣତା ବୃଦ୍ଧି କରିବା, ଏପରିକି କର୍କଟ ରୋଗର ଲକ୍ଷଣ ସୃଷ୍ଟି କରିବା, କହି କହି ଥକିଗଲେ ବି ତାଲିକା ସରିବାର ନାଁ ନିଏନି । ତା’ସାଙ୍ଗକୁ ପୁଣି ମେରୁଦଣ୍ଡ ରୋଗ, ମେଦବହୁଳତା, କାହାକୁ ବା ଅଣଦେଖା କରିବା, ସଭିଏଁ ତ ଏକକୁ ଆରେକ ବଳି । ଲେଖିବାକୁ ତ ଅନେକ କିଛି, ଜାଗା ଅଭାବରୁ ଯାହା ନିଜ ଉପରେ ଲଗାମ କଷିବା କଥା । କହିଲେ ବି ନା ଶୁଣିବାକୁ ନା ମାନିବାକୁ ଲୋକ ଅଛନ୍ତି? ଗୁରୁଜନମାନେ ଆଗ ନିଜଆଡୁ ସଂଯମତା ରକ୍ଷାକରି ଶିଶୁମାନଙ୍କୁ ଏନେଇ ଯଥାସମ୍ଭବ ଆକଟ କରିପାରିଲେ ଯାଇ କିଛିଟା ନିସ୍ତାର ହୋଇପାରେ ।

ବେଳେବେଳେ ନିଜକୁ ନିଜେ ମୁଁ ପ୍ରଶ୍ନ କରେ ଆଲାଦିନ୍‌ର ଜିନ୍‌ ପରି କାମ କରୁଥିବା ଏ ଯନ୍ତ୍ରଟି ତାହେଲେ ଭଲ ନା ଖରାପ ବୋଲି? ଉତ୍ତର ଭାବି ବସିଲେ ମୁଣ୍ଡ ଘୂରିଯାଏ । ଚିନ୍ତାର ଖିଅ ଲମ୍ବି ଲମ୍ବି ଯାଇ ଜଡ଼ାଇ ଧରେ କେଉଁ ଏକ ୟୁରେନିଅମ କି ପ୍ଲୁଟୋନିଅମର ଧାଉଁଥିବା ନ୍ୟୁଟ୍ରନ୍‌ ଗୋଟାକୁ, ଯେତେବେଳେ ଫେରେ ସାଙ୍ଗରେ ଆଣିଥାଏ ସେଇ କଥା ପଦକ ‘ଆଣବିକ ଶକ୍ତିର ସୁବିନିଯୋଗ ଯହିଁ ଅପାର ଶକ୍ତିର ମାଧ୍ୟମ ହୋଇଥାଏ, ଏଥିରେ ସାମାନ୍ୟତମ ବ୍ୟତିକ୍ରମ ସମଗ୍ର ସୃଷ୍ଟିକୁ ନିମିଷକରେ ଛାରଖାର କରିବାର ସାମର୍ଥ୍ୟ ରଖେ । ପ୍ରକୃତିସ୍ଥ ହୋଇ ସମୟ ଦେଖିବାକୁ ‘ଅନ୍‌' ସ୍ୱିଚ୍‌ଟାରେ ଟିପ ବାଜିବାମାତ୍ରେ ମୋ ସ୍ମାର୍ଟଫୋନ୍‌ ପରଦାରେ ଏକ ପରମାଣୁର ସଂରଚନା ଆପେ ଆପେ ଉକୁଟି ଆସେ, ଦୁହିଁଙ୍କ ମଧ୍ୟରେ ସମ୍ପର୍କର ସେତୁଟିଏ ବାନ୍ଧି ଦେବାକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.