ଭୁବନେଶ୍ୱର, ୩୧/୦୩: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସହିଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ରାଜକିଶୋର ମୁଣ୍ଡାଙ୍କ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱର୍ଗତ ରାଜକିଶୋର ମୁଣ୍ଡା ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଠାରେ କର୍ତ୍ତବ୍ୟରତ ଥିବା ବେଳେ ଗତ ୨୯ ତାରିଖରେ ସହିଦ ହୋଇଯାଇଛନ୍ତି ।
ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ନୂଆଗାଁ ଗ୍ରାମର ବିହାର ରେଜିମେଣ୍ଟର ଷଷ୍ଠ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିବା ରାଜକିଶୋର ମୁଣ୍ଡା ସହିଦ ହୋଇଛନ୍ତି । ତାଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ରାଜକିଶୋରଙ୍କ ଅମର ଆତ୍ମାର ସଦଗତି କାମନା କରୁଛି । ତାଙ୍କ ପରିବାରକୁ ସମବେଦନା ଜଣାଉଛି । ରାଜକିଶୋରଙ୍କ ଘର ମୋ ନିଜ ନିର୍ବାଚନ ମଣ୍ଡଳୀରେ । ମୁଁ ତାଙ୍କ ପରିବାରକୁ ଭଲ ଭାବେ ଜାଣିଛି । ରାଜକିଶୋର ମୁଣ୍ଡା ଅତ୍ୟନ୍ତ ଶାନ୍ତ ଏବଂ ସରଳ ସ୍ଵାଭବର ଥିଲେ । ଦେଶ ସେବା କାମରେ ନିୟୋଜିତ ଥିଲେ । ଏଭଳି ଜଣେ ଯବାନଙ୍କୁ ଦେଶ ହରେଇଛି । ଏହା ଦେଶ ପାଇଁ ବହୁତ ବଡ କ୍ଷତି। ତାଙ୍କ ପରିବାରକୁ ସମବେଦନା ଜଣାଉଛି।