ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି

Published By : Prameya | April 1, 2025 7:42 AM

ଭୁବନେଶ୍ୱର,୦୧/୦୪:  ଏପ୍ରିଲରୁ ଜୁନ୍‌ ବର୍ଷିବ ନିଆଁ । ବେଶି  ଛଟପଟ କରାଇବ ଏପ୍ରିଲ ତାତି ।  ସ୍ୱାଭାବିକଠାରୁ ଅଧିକ ଲମ୍ବିବ ଗ୍ରୀଷ୍ମ ପ୍ରବାହ (ହିଟ୍‌ ୱେଭ୍‌) ଦିନ ସଂଖ୍ୟା ।  ବର୍ଷା ସମ୍ଭାବନା ବି କମ୍‌ । ଏମିତି  ପୂର୍ବାନୁମାନ ଚିତ୍ର ଦେଖାଇଛି ଭାରତୀୟ  ପାଣିପାଗ ବିଭାଗ । 

ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ତାଜା ଆକଳନ ହେଲା,  କାଳବୈଶାଖୀ ବର୍ଷା ସମ୍ଭାବନା ଥିବାରୁ  ଏବେ ରାଜ୍ୟରେ ଗରମ ପ୍ରକୋପ କମ୍‌ ରହିବ । ମାତ୍ର ୮ ତାରିଖରୁ ହୁ  ହୁ ହୋଇ ବଢ଼ିବ ତାପମାତ୍ରା । ତାତି  ଏତେ ବଢ଼ିବ ଯେ ଆସନ୍ତା ୯/୧୦  ତାରିଖବେଳକୁ ପାରଦ ୪୪-୪୫  ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ ।  

ଆଇଏମ୍‌ଡି ମହାନିର୍ଦ୍ଦେଶକ ଡା.  ମୃତ୍ୟୁଞ୍ଜୟ ମହାପାତ୍ର ସୋମବାର  ଏପ୍ରିଲରୁ ଜୁନ୍‌ ମାସ ଯାଏଁ ଗ୍ରୀଷ୍ମ  ଅବଧିର ପୂର୍ବାନୁମାନ ଜାରି କରିଛନ୍ତି । ଏହି ଆକଳନରୁ ଜଣାପଡ଼ିଛି, ଏପ୍ରିଲ,  ମେ’ ଓ ଜୁନ୍‌ ମାସରେ ଦେଶର  ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା  ସ୍ୱାଭାବିକଠାରୁ ଅଧିକ ରହିପାରେ ।  ଏ ବର୍ଷ ବି ଓଡ଼ିଶାରେ ସ୍ୱାଭିବାକଠାରୁ  ଅଧିକ ଗରମ ରହିବ । ଏପ୍ରିଲ ମାସରେ  ସାଂଘାତିକ ତାତି ପ୍ରକୋପ ଛଟପଟ  କରିବ ଓଡ଼ିଶାକୁ ।  

ଏପ୍ରିଲ ମାସର ସମ୍ଭାବ୍ୟ ତାତି  ପ୍ରକୋପ ନେଇ ପୂରା ଓଡ଼ିଶାକୁ ଲାଲ୍‌  ଚିତ୍ରରେ ଚିହ୍ନଟ କରିଛି ଆଇଏମ୍‌ଡି ।  ଦିନ ତାପମାତ୍ରା ଅସହ୍ୟ ହେବ ଉପକୂଳ,  ଦକ୍ଷିଣ, ଉତ୍ତର, ଆଭ୍ୟନ୍ତରୀଣ ଏବଂ  ପଶ୍ଚିମ ଓଡ଼ିଶାରେ । ରାତିରେ ମଧ୍ୟ ନିସ୍ତାର  ମିଳିବନି ଗରମରୁ । ସର୍ବନିମ୍ନ ତାପମାତ୍ରା  ସ୍ୱାଭାବିକଠାରୁ ଅଧିକ ରହିବ । ଏପ୍ରିଲରେ  ସାଧାରଣତଃ ୩ ଦିନ ଗ୍ରୀଷ୍ମ ପ୍ରବାହ (ହିଟ୍‌  ୱେଭ୍‌) ରହିବା କଥା । ମାତ୍ର ଏ ବର୍ଷ  ହିଟ୍‌ ୱେଭ୍‌ ଦିନ ସଂଖ୍ୟା ସ୍ୱାଭାବିକଠାରୁ  ୪ରୁ ୫ ଦିନ ଅଧିକ ରହିପାରେ ।  ଅର୍ଥାତ୍‌ ଏପ୍ରିଲରେ ହିଟ୍‌ ୱେଭ୍‌ ଦିନ  ସଂଖ୍ୟା ୭/୮ ଦିନ ରହିପାରେ ।  

ଚିନ୍ତାର ବିଷୟ ହେଲା, ଏପ୍ରିଲରେ  ବର୍ଷା ବି କମ୍‌ ରହିବ । କେବଳ ଉପକୂଳ ଓଡ଼ିଶା ସମୁଦ୍ର ସଂଲଗ୍ନ କିଛି  ଅଞ୍ଚଳରେ କାଳବୈଶାଖୀ ବର୍ଷା ଅଧିକ ହୋଇପାରେ ।  ହେଲେ ବାକି ସବୁଠି ବର୍ଷା କମ୍‌ ରହିବ । ଏପ୍ରିଲରୁ  ଜୁନ୍‌ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ସ୍ୱାଭାବିକଠାରୁ  ଅଧିକ ରହିବ । ଏହି ୪ ମାସରେ ଯେତିକି ଗ୍ରୀଷ୍ମ ପ୍ରବାହ  ଦିନ ଅନୁଭୂତ ହୋଇଥାଏ, ଏଥର ତା’ଠାରୁ ଅଧିକ  ରହିବା ଆଶଙ୍କା ଅଛି । ୨୦୨୩ ଓ ୨୦୨୪ରେ ଏପ୍ରିଲ  ମାସରେ ତାତି ରେକର୍ଡ ଭାଙ୍ଗିଥିଲା ଓଡ଼ିଶା ।   

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର (ସିଇସି)  ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ  ହେଲା, ଏପ୍ରିଲ ମାସରେ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ  ପ୍ରକୋପ ରହିବ । ମେ’ରେ ଗରମ ରହିଲେ ମଧ୍ୟ  କାଳବୈଶାଖୀ ଅଧିକ ରହିବ । ତେବେ ଚଳିତ  ମାସରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି ।  

ଡକ୍ଟର ସାହୁ କହିଛନ୍ତି, ଏପ୍ରିଲ ୪ ଯାଏଁ ବିଭିନ୍ନ  ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ଆସନ୍ତା ୫  ତାରିଖରୁ ବର୍ଷା କମିଯିବ । ୮ରୁ ତାପମାତ୍ରା ଦ୍ରୁତଗତିରେ  ବଢ଼ିବ । ୯/୧୦ ତାରିଖବେଳକୁ ନିଆଁ ବର୍ଷୁଥିବ ।  ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪-୪୫  ଡିଗ୍ରୀ ସେଲସିୟସ୍‌ ପହଞ୍ଚିପାରେ । ଉପକୂଳ ଓଡ଼ିଶାର  ଭୁବନେଶ୍ୱର, ଚାନ୍ଦବାଲି ଓ କଟକରେ ସର୍ବାଧିକ ତାତି  ଅନୁଭୂତ ହୋଇପାରେ । ୯ ତାରିଖବେଳକୁ ଉପକୂଳରେ  ବି ପାରଦ ୪୦ ଛୁଇଁପାରେ । ୧୧ ତାରିଖବେଳକୁ  ଉପକୂଳରେ ତାତି ଆହୁରି ବଢ଼ିବା ଆଶଙ୍କା ଅଛି ।  

ଭାରତୀୟ ପାଣିପାଗ ବିଭାଗ କହିଛି, ଆସନ୍ତା  ସପ୍ତାହ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଅଛି ।  ମଙ୍ଗଳବାର(୧ ତାରିଖ)ରୁ ୬ ତାରିଖ ଯାଏ ଘଡ଼ଘଡ଼ି  ସହିତ ବର୍ଷା ହୋଇପାରେ ।  

ସୋମବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା  ୪୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିଲା ।  ସମ୍ବଲପୁରରେ ୪୦.୬ ଡିଗ୍ରୀ, ହୀରାକୁଦରେ ୩୯.୯,  ରାଉରକେଲାରେ ୩୮.୬ ଓ ଭୁବନେଶ୍ୱରରେ  ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.