ବୌଦ୍ଧ,୨୭/୧୧: ଗଞ୍ଜେଇ ଚାଷକୁ ସମ୍ପୂର୍ଣ ଭାବେ ନଷ୍ଟ କରିବା ପାଇଁ ଅଣ୍ଟା ଭିଡ଼ିଛି ବୌଦ୍ଧ ପୋଲିସ । ବୌଦ୍ଧ ଏସପି ନାଗାରାଜ ଦେବାରକୋଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଥାନା ପକ୍ଷରୁ ଅପରେସନ ଗ୍ରୀନ କ୍ଲିନ୍ ଅଭିଯାନକୁ ଜୋରଦାର କରାଯାଇଛି । ଦୁଇଟି ଥାନା ଅଞ୍ଚଳରୁ ଗୋଟିଏ ଦିନରେ ୧୨୧ ଏକର ଜଙ୍ଗଲ ଜମିର ୧ ଲକ୍ଷ ୨୦ ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛକୁ କାଟିବା ସହିତ ତାକୁ ସମ୍ପୂର୍ଣ ଭାବେ ପୋଡ଼ି ନଷ୍ଟ କରିଛି ପୋଲିସ । ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି ।
କଣ୍ଟାମାଳ ଥାନା ପାନାଜୋର୍ ସଂରକ୍ଷିତ ଜଙ୍ଗଲରୁ ୭୬ ଏକର ଜମିର ପ୍ରାୟ ୭୬ ହଜାର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯାଇଥିବା ବେଳେ ବୌଦ୍ଧ ଆଦର୍ଶ ଥାନା ବବଡା ସଂରକ୍ଷିତ ଜଙ୍ଗଲରୁ ୪୫ ଏକର ଜମିର ୪୪ ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ । ତେବେ ଗୋଟିଏ ଦିନରେ ଦୁଇଟି ଥାନା ଅଞ୍ଚଳରୁ ୧ ଲକ୍ଷ ୨୦ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରିଛି ପୋଲିସ । ତେବେ ଆଗାମୀ ଦିନରେ ମଧ୍ୟ ଏହିଭଳି ଭାବେ ଜିଲ୍ଲାରୁ ଗଞ୍ଜେଇ ଚାଷକୁ ନଷ୍ଟ କରିବା ସହିତ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।