ନୂଆଦିଲ୍ଲୀ,୩୧।୭: ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ବଡ଼ ଖବର। ୟୁକେ ଏବଂ ଫ୍ରାନ୍ସ ପରେ ଏବେ ପାଲେଷ୍ଟାଇନ୍କୁ କାନାଡାର ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା। ଏନେଇ ଆଜି ଘୋଷଣା କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି। ଫଳରେ ଇସ୍ରାଏଲକୁ ଲାଗିପାରେ ଝଟକା। ଏହି ଘୋଷଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ କାନାଡାକୁ ଦେଇଛନ୍ତି ଧମକ। ସେ କହିଛନ୍ତି କାନାଡାର ଏହି ନିଷ୍ପତ୍ତି ପରେ ବାଣିଜ୍ୟିକ ଚୁକ୍ତି କରିବା କଷ୍ଟକର ହୋଇଯିବ।
ମଧ୍ୟ ପ୍ରାଚ୍ୟରେ ପ୍ରତି ଦିନ ବଦଳିବାରେ ଲାଗିଛି ରାଜନୈତିକ ସ୍ଥିତି। ଇସ୍ରାଏଲର ଓ ପାଲେଷ୍ଟାଇନ୍ ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଜାରି ରହିଛି ସଂଘର୍ଷ। ଫଳରେ ଗାଜାର ସ୍ଥିତି ସଙ୍ଗୀନ ହୋଇପଡିଛି। ମଧ୍ୟସ୍ଥତାର ଚେଷ୍ଟାରେ ବହୁ ଦେଶ ଅଛନ୍ତି। ବାରମ୍ବାର ଅପିଲ ପରେ ମଧ୍ୟ ଅସ୍ତ୍ରବିରତି ହେଉନି। ଏହା ମଧ୍ୟରେ ଏକ ପାଲେଷ୍ଟାଇନକୁ ସ୍ବତନ୍ତ୍ର ରାଷ୍ଟ୍ର ଭାବରେ ମାନ୍ୟତା ଦେବାର ଘୋଷଣା କରିଛି କାନାଡା । ତେବେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି। ସେ କହିଛନ୍ତି ୨୦୨୬ ରେ ହମାସର ବିନା ହସ୍ତକ୍ଷେପରେ ପାଲେଷ୍ଟାଇନ୍ରେ ନିର୍ବାଚନ, ନିରସ୍ତ୍ରୀକରଣ ଏବଂ ଶାସନରେ ସୁଧାର ଆଣିବାକୁ ପଡିବ। ପୂର୍ବରୁ ଫ୍ରାନ୍ସ ଓ ୟୁକେ ମଧ୍ୟ ସେପ୍ଟେମ୍ବରରେ ଜାତିସଂଘର ମହାସଭାରେ ପାଲେଷ୍ଟାଇନ୍କୁ ମାନତ୍ୟା ଦେବାର ଘୋଷଣା କରିଥିଲେ।
ଏବେ କାନାଡା ଏଭଳି ଘୋଷଣା କରିବା ପରେ ଆମେରିକା-ଇସ୍ରାଏଲ ମେଣ୍ଟ ପାଇଁ ଅଡୁଆ ସୃଷ୍ଟି ହୋଇପାରେ। କାନାଡାର ଘୋଷଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ପ୍ରତିକ୍ରିୟା ଆସିଛି। ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଇ ସୋସିଆଲ’ରେ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, କାନାଡା ଏବେ ଘୋଷଣା କରିଛି ପାଲେଷ୍ଟାଇନ୍ର ଷ୍ଟେଡ୍ ହୁଡ୍କୁ ସମର୍ଥନ କରୁଛି। ଏହାପରେ ତା ସହ ଆମର ବାଣିଜ୍ୟିକ ଚୁକ୍ତି କରିବା କଷ୍ଟକର ହୋଇଯିବ।’ ସେପଟେ ଫ୍ରାନ୍ସ ଏବଂ ୟୁକେ ପରେ, ପାଲେଷ୍ଟାଇନକୁ କାନାଡା ମାନ୍ୟତା ଏବେ ଇସ୍ରାଏଲ ଉପରେ ମଧ୍ୟ ପ୍ରଭାବ ପକାଇପାରେ। G7ର ତିନୋଟି ଦେଶ ଜାତିସଂଘ ମହାସଭାରେ ପାଲେଷ୍ଟାଇନକୁ ମାନ୍ୟତା ଦିଆଯିବା ନେଇ ଇସ୍ରାଏଲ ଉପରେ ଯୁଦ୍ଧ ରୋକିବା ପାଇଁ ଚାପ ପକାଇ ପାରନ୍ତି।