ନୂଆଦିଲ୍ଲୀ ୦୧/୦୮: ଶରୀରରେ ଯେକୌଣସି ଅଙ୍ଗରେ କର୍କଟ ବିପଦପୂର୍ଣ୍ଣ ଏବଂ ସାଂଘାତିକ। ମାରାତ୍ମକ ଫୁସ୍ଫୁସ୍ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧ ତାରିଖକୁ ଫୁସ୍ଫୁସ୍ କର୍କଟ ଦିବସ ଭାବରେ ପାଳନ କରାଯାଏ। ବିଶ୍ୱବ୍ୟାପୀ ପୁରୁଷ ଏବଂ ମହିଳାମାନଙ୍କଠାରେ ଦ୍ୱିତୀୟ ସାଧାରଣ ପ୍ରକାରର କର୍କଟ ଭାବରେ ଫୁସ୍ଫୁସ୍ କ୍ୟାନ୍ସର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି କାରଣରୁ ଅଧିକାଂଶ ପୁରୁଷ ଏବଂ ମହିଳାଙ୍କର ଜୀବନ ମଧ୍ୟ ଯାଉଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ, ୨୦୨୦ ମସିହାରେ ଫୁସ୍ଫୁସ୍ କର୍କଟ ହେତୁ ସାରା ବିଶ୍ୱରେ ୧୮ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ୨୦୧୨ ମସିହାରେ ପ୍ରଥମ ଥର ଏହି କାର୍ଯ୍ୟକ୍ରମକୁ ‘ଫୋରମ୍ ଅଫ୍ ଇଣ୍ଟରନ୍ୟାସନାଲ୍ ରେସପେରେଟାରୀ ସୋସାଇଟିଜ୍’ ଦ୍ୱାରା ‘ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର୍ ଲଙ୍ଗ କ୍ୟାନ୍ସର୍ ଆଣ୍ଡ ଆମେରିକାନ୍ କଲେଜ ଅଫ୍ ଚେଷ୍ଟ ଫିଜିସିଆନ’ଙ୍କ ସହାୟତାରେ ଆୟୋଜିତ କରାଯାଇଥିଲା।
ତମାଖୁ ସେବନ ଫୁସ୍ଫୁସ୍ କର୍କଟର ମୁଖ୍ୟ କାରଣ ହୋଇଥାଏ। ତାଛଡା ପ୍ରଦୂଷଣ କାରଣରୁ ଫୁସ୍ଫୁସ୍ କର୍କଟ ହୋଇଥାଏ। ପ୍ରଦୂଷଣ ଯୋଗୁ ବିଷାକ୍ତ ରାସାୟନିକ ଗ୍ୟାସଗୁଡିକ ଆମ ଫୁସ୍ଫୁସ୍ରେ ପ୍ରବେଶ କରି ଏହା କର୍କଟ ସୃଷ୍ଟି କରିଥାଏ। ଗୋବର ଘସି ଜାଳିବା ସହ ଯେଉଁମାନେ ଧୂଳି, ବାଲି, କୋଇଲାରେ ଅଧିକ ସମୟ କାମ କରୁଛନ୍ତି ସେମାନଙ୍କୁ ଏହି କର୍କଟ ହେବା ଆଶଙ୍କା ଅଧିକ ଥାଏ। ଫୁସ୍ଫୁସ୍ ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, କାରଣ ଏହା ଶସ୍ୱାସକ୍ରିୟା ଏବଂ ଶରୀରକୁ ଅମ୍ଳଜାନ ଯୋଗାଇବା ପାଇଁ କାମ କରେ। ତେଣୁ ଫୁସ୍ଫୁସ୍ର ଯତ୍ନ ନେବା ଅତ୍ୟନ୍ତ ଜରୁରୀ।