ମୁମ୍ବାଇ,୧୨/୦୬: ବମ୍ବେ ହାଇକୋର୍ଟ ଜଣେ ୧୪ ବର୍ଷୀୟା ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ କରାଇବା ଲାଗି ଅନୁମତି ପ୍ରଦାନ କରିଛନ୍ତି । ସେ ୨୪ ସପ୍ତାହର ଗର୍ଭବତୀ ଥିଲେ । ନାବାଳିକା ପୀଡ଼ିତା ଚାହିଁଲେ ଗର୍ଭପାତ କରାଇ ପାରିବେ ବୋଲି ଅଦାଲତ ନିଜ ରାୟରେ କହିଛନ୍ତି ।
ଏହି ମାମଲା ମହାରାଷ୍ଟ୍ରସ୍ଥିତ ରାୟଗଡ଼ ଜିଲ୍ଲାର । ଜଣେ ଯୁବକ ଇନ୍ଷ୍ଟାଗ୍ରାମ୍ରେ ନାବାଳିକାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା । ଏହାପରେ ତାଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିଥିଲା । ଭୟରେ ନାବାଳିକା କାହାକୁ କହିନଥିଲେ । ୬ ମାସ ଧରି ପୀଡ଼ିତାଙ୍କର ଋତୁସ୍ରାବ ନ ହେବା ଯୋଗୁ ତାଙ୍କ ମାଆଙ୍କର ସନ୍ଦେହ ଉପୁଜିଥିଲା । ସେ ହସ୍ପିଟାଲ ଯାଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ଯାଞ୍ଚରୁ ଝିଅ ଗର୍ଭବତୀ ଥିବା ମାଆ ଜାଣିବାକୁ ପାଇଥିଲେ । ଏହାପରେ ଅଭିଯୁକ୍ତ ଯୁବକ ବିରୋଧରେ ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଥିଲା । ମାମଲା ବମ୍ବେ ହାଇକୋର୍ଟ ଯାଇଥିଲା ।
ଜୁନ୍ ୬ରେ ହାଇକୋର୍ଟ ରାୟଗଡ଼ର ଅଲିବାଗ ସିଭିଲ ହସ୍ପିଟାଲର ସର୍ଜନଙ୍କୁ ମେଡିକାଲ ବୋର୍ଡ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାଞ୍ଚରୁ ବୋର୍ଡ ଜାଣିବାକୁ ପାଇଥିଲା ଯେ ପୀଡ଼ିତା ରକ୍ତହୀନତାରେ ପୀଡ଼ିତ ଥିବାରୁ ହେମୋଗ୍ଲୋବିନ ସ୍ତର ଠିକ୍ କରିବାକୁ ହେବ । ମଙ୍ଗଳବାର ମାମଲାର ପୁନର୍ବାର ଶୁଣାଣି ବେଳେ ସର୍ଜରି ପାଇଁ ନାବାଳିକା ଉପଯୁକ୍ତ ଥିବା ବୋର୍ଡ ଅଦାଲତଙ୍କୁ ଜଣାଇଥିଲା । ଏଥିସହ ଭବିଷ୍ୟତରେ ତାଙ୍କର ପ୍ରଜନନ କ୍ଷମତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଥିଲା । ଏହାପରେ ଅଦାଲତ ତାଙ୍କର ଗର୍ଭପାତ କରାଇବା ଲାଗି ଅନୁମତି ଦେଇଥିଲେ ।