ଭୁବନେଶ୍ୱର ୨୧/୦୪: ମୋହନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବଧିର ବିଦ୍ୟାଳୟ ନିକଟରେ ବାଇକ୍କୁ ଧକ୍କା ଦେଇ ଚଢ଼ିଗଲା ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବୋଲେରୋ। ଦୁର୍ଘଟଣାରେ ବାଇକ୍ ଭାଙ୍ଗି ଚୁର୍ମାର ହୋଇଯାଇଥିବା ବେଳେ ଦୁଇ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ମୋହନା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାଇ, ଆଜି ମୋହନା ବ୍ଲକ ଡ଼ମ୍ବଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଅଛି। ସେଥିପାଇଁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ( ସିଡିଏମଓ) ଡ଼.ମୁବାରକ ଅଲି ନିଜ ସରକାରୀ ଗାଡ଼ିରେ ଅଭିଯୋଗ ଶୁଣାଣିରେ ଯୋଗଦେବାକୁ ଯାଉଥିଲେ। ମୋହନା ବଧିର ବିଦ୍ୟାଳୟ ନିକଟରେ ଏକ ବାଇକ ସହ ସିଡିଏମଓଙ୍କ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସିଡିଏମଓ ଗାଡି ବାଇକ ଉପରେ ଚଢ଼ିଯିବା ସହ ବୁଦା ଭିତରକୁ ପଶି ଯାଇଛି। ବାଇକ ଆରୋହୀ ଦିବ୍ୟ ନାୟକ ଓ ବାଇକରେ ବସିଥିବା ମହିଳା ବୃନ୍ଦାବତୀ ନାୟକ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ସିଡିଏମଓଙ୍କ କିଛି କ୍ଷତି ହୋଇନଥିବା ବେଳେ ଗୁରୁତରଙ୍କୁ ମୋହନା ମେଡିକାଲ ପଠାଇଥିଲେ। ମୋହନା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।