ନୂଆଦିଲ୍ଲୀ,୧୪/୦୪: ଗଣତନ୍ତ୍ର ହେଉଛି ଏମିତି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ବିନା ରକ୍ତପାତରେ ଜନତାଙ୍କ ଆର୍ଥିକ ଏବଂ ସାମାଜିକ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବ ହୋଇଥାଏ । ଏମିତି ବିଚାର ଚିନ୍ତାଧାରା ରଖୁଥିବା ଯୋଗଜନ୍ମା ହେଉଛନ୍ତି ବାବା ସାହେବ ଆମ୍ବେଦକର । ସେ ଭାରତବର୍ଷର ନବ ନିର୍ମାତା ଥିଲେ । ସମ୍ବିଧାନ ନିର୍ମାତା,ସୁଧାରକ ଏବଂ ଭାରତରତ୍ନ ଡ଼ଃ ଭୀମରାଓ ଆମ୍ବେଦକରଙ୍କର ଆଜି ୧୩୫ତମ ଜୟନ୍ତୀ । ଦିନେ ତାଙ୍କୁ ବହି ଛୁଇଁବାର ଅନୁମତି ନଥିଲା, ହେଲେ ସେ ସବୁଠୁ ବଡ଼ ପାଠାଗାର ତିଆରି କରିଦେଲେ ।
ମଧ୍ୟପ୍ରଦେଶର ମୋହଠାରେ ଭୀମରାଓ ରାମଜୀ ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ରେ ଜନ୍ମଗ୍ରହଣ କରିଥିଲେ । ପିତାମାତଙ୍କର ୧୪ତମ ସନ୍ତାନ ଥିଲେ ଆମ୍ବେଦକର । ବାପା ମାଲୋଜୀ ମକପାଲ ସୈନ୍ୟବାହିନୀ ଅଫିସର ଥିଲେ । ମାଆ ଭୀମବାଇ ଗୃହିଣୀ ଥିଲେ । ଆମ୍ବେଦକର ବିଦ୍ୟାଳୟରେ ପଢିବା ସମୟରେ ତାଙ୍କୁ ପିଇବା ପାଇଁ ପାଣି ବା ବସିବା ପାଇଁ ଖଣ୍ଡେ ଖଣ୍ଡେ ପୁରୁଣା ଅଖା ମିଳୁନଥିଲା । ଏହାକୁ ଅନ୍ୟମାନେ ସହିଯାଉଥିଲେ ହେଲେ ଆମ୍ବେଦକର ସ୍ୱର ଉଠାଇଥିଲେ । ଏହାକୁ ଏକ ନୂତନ ଶିକ୍ଷା ଭାବରେ ଗ୍ରହଣ କରିଥିଲେ ।
ଭୀମରାଓଙ୍କର ଅସାଧାରଣ ଆତ୍ମବଳ ଏବଂ ଜ୍ଞାନ ଗ୍ରହଣ କରିବାର ନିଶା ଥିଲା । ଯାହାଙ୍କୁ ଦିନେ ବହି ଛୁଇଁବାକୁ ଅନୁମତି ନଥିଲା ସେ ଏସିଆର ସବୁଠୁ ବଡ଼ ଲାଇବ୍ରେରୀ ଛିଡା କରିଦେଲେ । ମୁମ୍ବାଇ ସ୍ଥିତ ତାଙ୍କ ନିବାସ ରାଜଗୃହ ରେ ତାଙ୍କ ପାଖରେ ପ୍ରାୟ ୫୦ ହଜାର ପୁସ୍ତକ ଥିଲା । ଯେଉଁଥିରେ ଅର୍ଥଶାସ୍ତ୍ର, ରାଜନୀତି, ସମାଜଶାସ୍ତ୍ର, ଧର୍ମଠୁ ନେଇ ସାହିତ୍ୟ ଯାଏ ବିଷୟକୁ ନେଇ ପୁସ୍ତକ ରହିଥିଲା ।
ଭୀମରାଓ ଭଲ ପଢୁଥିଲେ । ବରୋଦା ଗାଏକ୍ବାର୍ଡ ବୃତ୍ତି ପାଉଥିଲେ। ଏଥିପାଇଁ ସେ ଏଲଫିନଷ୍ଟୋନ୍, ବମ୍ବେରେ ସ୍ନାତକ ଡିଗ୍ରୀ ପଢୁଥିଲେ । ତାଙ୍କ ଅଞ୍ଚଳରୁ ଅତି ଭଲ ଗ୍ରେଡରେ ତାଙ୍କ ପୂର୍ବରୁ କେହି ଅର୍ଥଶାସ୍ତ୍ରରେ ବି.ଏ. ଓ ରାଜନୀତି ବିଜ୍ଞାନରେ ଏମ୍ଏପାସ୍ କରି ନଥିଲେ । ସେ ବୃତ୍ତି ପାଇ ୟୁଏସ୍ରେ ପ୍ରସିଦ୍ଧ କଲମ୍ବିଆ ବିଶ୍ୱବିଦ୍ୟାଳୟକୁ ଯାତ୍ରା କଲେ । ସେଠାରେ ଅର୍ଥଶାସ୍ତ୍ର ଏମ୍ଏ ଓ ପିଏଚଡି କଲେ । ଅର୍ଥାଭାବରୁ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଅଧିକ ପଢିପାରିଲେ ନାହିଁ ।
୧୯୧୭ରେ ଭାରତ ଫେରିଥିଲେ । ବାର୍ ଆଟ୍ ଲ ପାସ୍ କଲେ । ଦିନକୁ ୧୮ ଘଣ୍ଟା ପାଠ ପଢୁଥିଲେ । ୮ ବର୍ଷର ପାଠପଢା ୨ ବର୍ଷରେ ଶେଷ କରିଥିଲେ । ସମ୍ବିଧାନ ପ୍ରଣାଳୀରେ ଆମ୍ବେଦକରଙ୍କ ଜ୍ଞାନୀ ଥିଲେ । ୧୯୪୯ ନଭେମ୍ବର ୨୬ରେ ଭାରତର ସମ୍ବିଧାନ ଗ୍ରହଣ ହେଲା । ସେ ଏହାର ଅଧ୍ୟକ୍ଷ ଥିଲେ । ୧୯୪୭ରୁ ୧୯୫୧ ଯାଏ ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଥିଲେ ବି ଆର ଆମ୍ବେଦକର । ସମ୍ବିଦାନ ନିର୍ମାତଙ୍କୁ ଜୟନ୍ତୀରେ ମନେ ପକାଉଛି ଦେଶ ।