ଭାପୁର, ୧୨।୮(ଆପ୍ର): ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷା ନିର୍ବାଚନ ଅଗଷ୍ଟ ୨୨ ତାରିଖରେ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସଚିବ ରବିନ୍ଦ୍ର ନାଥ ସାହୁ ଏ ନେଇ ବିଭିନ୍ନ ସ୍ଥାନରେ ଖାଲି ଥିବା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆସନ୍ତା ୧୪ତାରିଖରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନୋଟିସ ପ୍ରଦାନ କରାଯିବ। ୨୨ ତାରିଖ ସକାଳ ୧୦ଟାରୁ ସାଢେ ଏଗାରଟା ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ମଧ୍ୟାହ୍ନ ୧୨ଟାରେ ପ୍ରତ୍ୟାହାର ଓ ସାଢେ ୧୨ଟାରୁ ୨ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ଭାପୁର ବ୍ଲକ ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ସହିତ ରାଜ୍ୟର ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍କକ ଉପାଧ୍ୟକ୍ଷ ,ଗଞ୍ଜାମ ଜିଲ୍ଲାର କବି ସୂର୍ଯ୍ୟନଗର , ଖଲ୍ଲିକୋଟ ଓ କୁକୁଡାଖଣ୍ଡିରେ ବ୍ଲକ ଅଧ୍ୟକ୍ଷା ନିର୍ବାଚନ ହେବ। ସେହିପରି କଳାହାଣ୍ଡି ଜିଲ୍ଲା ନର୍ଲା, ନବରଙ୍ଗପୁର ଜିଲ୍ଲା ରାଇଘର ବ୍କକ ଅଧ୍ୟକ୍ଷ ପଦବୀ ପାଇ ନିର୍ବାଚନ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି।
ସୂଚନା ଅନୁଯାୟୀ ଭାପୁର ବ୍କକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଗତ ସାଧାରଣ ନିର୍ବାଚନରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳରୁ ଟିକେଟ ପାଇ ବିଧାୟକ ଭାବେ ଲଢିଥିଲେ। ସେଥିପାଇ ସେ ବ୍କକ ଅଧ୍ୟକ୍ଷା ପଦବୀରୁ ମେ ମାସରେ ଇସ୍ତଫା ଦେଇଥିଲେ। ଯାହାକୁ ନେଇ ସେହିଦିନ ଠାରୁ ଉକ୍ତ ପଦବୀ ଖାଲି ପଡିଥିବା ବେଳେ ଆଜି ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଥିବା ସୂଚନା ମିଳିଛି। ଏହାକୁ ନେଇ ଭାପୁର ବ୍କକ ରାଜନୀତି ଚର୍ଚ୍ଚା ଜୋର ଧରିଥିବା ବେଳେ ଭାପୁର ବ୍ଲକ ସମିତିସଭ୍ୟମାନେ ବର୍ତ୍ତମାନ ଅଜ୍ଞାତବାସରେ ଥିବା ନେଇ ଚର୍ଚ୍ଚା ହେଉଛି।
ଏନେଇ ଭାପୁର ବ୍କକ ବିଜେଡି ସଭାପତି ଶିବ ପ୍ରସାଦ ଷଢଙ୍ଗୀ କହିଛନ୍ତି ଭାପୁର ବ୍ଲକ ବିଜେଡି ଗଡ । ଏହି ସାନି ବ୍ଲକ ଅଧ୍ୟକ୍ଷା ନିର୍ବାଚନ କିଛି ଫରକ ପଡିବନି । ପୁଣି ସେହି ବିଜେଡି ଦଖଲରେ ବ୍ଲକ ରହିବ। ଆମର ସ°ଖ୍ୟା ଗରିଷ୍ଠତାରୁ ଉର୍ଦ୍ଧ୍ୱ ସମିତସଭ୍ୟ ରହିଛନ୍ତି।