ଭୁବନେଶ୍ୱର/ଭଦ୍ରକ/ଆରଡ଼ି,୨୭/୦୯: ସେ ଝିଅ ସବୁବେଳେ ଜାଣିଶୁଣି ଭାଇ ସହ ଝଗଡ଼ା କରୁଥିଲା । ଭଲ ପାଇବା ନାଁରେ ନିର୍ଯାତନା ଦେଉଥିଲା । ସବୁବେଳେ ଭାଇକୁ ଟଙ୍କା ମାଗୁଥିଲା । ନ ଦେଲେ ବିଭିନ୍ନ ଧମକ ଦେଉଥିଲା । ହତ୍ୟା କରି ପ୍ରେସର୍ କୁକରରେ ସିଝାଇ ଫିଙ୍ଗିଦେବା ଧମକ ଦେଉଥିଲା । ନିର୍ଯାତନା ଅସହ୍ୟ ହେଲା । ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲା, ତା'କୁ ହିଁ ନିର୍ମମ ଭାବେ ହତ୍ୟା କରି ଛୁରିରେ ଖଣ୍ଡ ଖଣ୍ଡ କରିଦେଲା ମୋ ଭାଇ । ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡରେ ଅଭିଯୁକ୍ତ ତଥା ମୃତ ମୁକ୍ତିରଞ୍ଜନ ରାଏଙ୍କ ସାନ ଭାଇ ଶକ୍ତିରଞ୍ଜନ ଏଭଳି ବିସ୍ଫୋରଣ ବୟାନ ଦେଇଛନ୍ତି ।
ମହାଲକ୍ଷ୍ମୀ ହତ୍ୟା ଘଟଣାରେ ନୂଆ ମୋଡ଼ ଦେଇଛନ୍ତି ଶକ୍ତିରଞ୍ଜନ । ବ୍ରହ୍ମପୁରରେ ବିଟେକ୍ ପଢୁଥିବା ଶକ୍ତିରଞ୍ଜନ ହତ୍ୟା ପଛର ରହସ୍ୟ ଖୋଲିଛନ୍ତି । କର୍ଣ୍ଣାଟକ ପୁଲିସ୍ର ନିର୍ଯାତନାର କାହାଣୀ ବି ବଖାଣିଛନ୍ତି । ସେ କହିଛନ୍ତି, ହତ୍ୟା ପରେ ଭାଇ ବେଙ୍ଗାଲୁରୁରୁ ଫେରି ଆସି ମୋ ମେସ୍ରେ ୧୦ ଦିନ ରହିଥିଲେ । ୩ ଦିନ ପରେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା କଥା ମାନିଥିଲେ । ମହାଲକ୍ଷ୍ମୀଙ୍କ ସହ ଭାଇଙ୍କ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା । ହେଲେ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା । ବିବାହ ପାଇଁ ମହାଲକ୍ଷ୍ମୀ ଧମକାଉଥିଲା । ଟଙ୍କା ନେଉଥିଲା । ଏପରିକି ଭାଇ ନିଜ ସୁନା ମୁଦି ଓ ଚେନ୍ ମଧ୍ୟ ବିକି ତାଙ୍କୁ ଟଙ୍କା ଦେଇଛନ୍ତି ।
ଭାଇର ପୂରା ରୋଜଗାର ସେ ନେଇଯାଉଥିଲା । ଅଯଥାରେ ଖର୍ଚ୍ଚାନ୍ତ ହେଉଥିବାରୁ ମୋ ଭାଇ ବେଙ୍ଗାଲୁରୁ ଛାଡ଼ି କେରଳ ବଦଳି ହୋଇ ଯିବାକୁ ଯୋଜନା କରିଥିଲେ । ତାକୁ ସାଙ୍ଗରେ ବାଇକ୍ରେ ନେଇ କେରଳ ଯାଉଥିଲେ । ହେଲେ ମହାଲକ୍ଷ୍ମୀ ଅଧାବାଟରେ ଅପହରଣ କରାଯାଉଥିବାର ନାଟକ ରଚିଥିଲା । ସ୍ଥାନୀୟ ଲୋକେ ଭାଇଙ୍କୁ ନିର୍ଧୁମ ମାଡ଼ ମାରିଲେ । ପୁଲିସ୍ ଜିମା ଦେଲେ । ସେଠାକାର ପୁଲିସ୍ ଭାଇଙ୍କୁ ଥାନାକୁ ନେଇ ନିର୍ଧୁମ ପିଟିଥିଲା । ୧୦୦୦ ଟଙ୍କା ଲାଞ୍ଚ ଦେଇ ଭାଇ ପୁଲିସ କବଳରୁ ମୁକୁଳିଥିଲେ । ପୁଣି ମହାଲକ୍ଷ୍ମୀ ତାଙ୍କୁ ବେଙ୍ଗାଲୁରୁ ନେଇଯାଇଥିଲେ ।
ସେ ଆହୁରି କହିଛନ୍ତି, ସେହି ଝିଅ ସବୁବେଳେ ଛୁରି ଦେଖାଇ ଭାଇକୁ ହତ୍ୟା କରିବାକୁ ଧମକ ଦେଉଥିଲା । ଦିନେ ମହାଲକ୍ଷ୍ମୀ ତଣ୍ଟିରେ ଛୁରି ଲଗାଇ ହତ୍ୟା କରି ପ୍ରେସର୍ କୁକରରେ ସିଝାଇ ଫିଙ୍ଗି ଦେବ ବୋଲି କହିବାରୁ ଭାଇଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଥିଲା । ତା’ର ତଣ୍ଟି ଚିପି ଧରିବାରୁ ସେ ମରିଗଲା । ଫ୍ୟାନ୍ରେ ଝୁଲାଇ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରି ବିଫଳ ହେବାରୁ ଛୁରିରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲେ । ହତ୍ୟା ପରେ ଭାଇ ପ୍ରଥମେ ମଝିଆଁ ଭାଇ ସତ୍ୟରଞ୍ଜନ ପାଖକୁ ଗଲେ । ପରେ ଓଡ଼ିଶା ଫେରି ମୋ ସହ ରହୁଥିଲେ । ବେଙ୍ଗାଲୁରୁ ପୁଲିସ୍ ଭାଇକୁ ଖୋଜି ଖୋଜି ମୋ ପାଖରେ ପହଞ୍ଚିଲେ । ମତେ ନିର୍ଧୁମ ପିଟି ଥିଲେ । ଭାଇକୁ ଖୋଜିବାକୁ ସେମାନେ ମତେ ଧରି ବ୍ରହ୍ମପୁର, ବାଲେଶ୍ୱର, ସୋର, ଭଦ୍ରକ ବୁଲିଲେ । ବୁଧବାର ସନ୍ଧ୍ୟା ବେଳେ ଭାଇର ଆତ୍ମହତ୍ୟା ଖବର ପାଇ ପୁଲିସ୍ ମୋତେ ଭୁବନେଶ୍ୱରରେ ଛାଡ଼ି ପଳାଇଲା । ମଝିଆ ଭାଇ ସତ୍ୟରଞ୍ଜନ ଏବେ ବେଙ୍ଗାଲୁରୁ ପୁଲିସ ହେପାଜତରେ ରହିଛନ୍ତି ।
ଅନ୍ୟପଟେ ପୁଅ ମୃତ୍ୟୁ ପାଇଁ ମହାଲକ୍ଷ୍ମୀଙ୍କୁ ଦାୟୀ କରିଛନ୍ତି ମୁକ୍ତିରଞ୍ଜନଙ୍କ ମା’ କୁଞ୍ଜଲତା । ସେ କହିଛନ୍ତି, ୫ ବର୍ଷ ହେଲା ପୁଅ ଘରକୁ ଟଙ୍କାଟିଏ ବି ଦେଉ ନ ଥିଲା । ୨ ବର୍ଷ ଧରି କଥା ହେଉ ନ ଥିଲା । ସେଇ ଝିଅ ମୋ ପୁଅକୁ ସମ୍ପୂର୍ଣ୍ଣ ଭାବେ ବଶ କରିନେଇଥିଲା । ପୁଅ ଯାହା ରୋଜଗାର କରୁଥିଲା, ସେ ଝିଅ ସବୁ ଉଡ଼ାଇ ଦେଉଥିଲା । ମୋ ପୁଅ ସବୁବେଳେ ଅଶାନ୍ତିରେ ରହୁଥିଲା । ଶେଷରେ ସେ ଝିଅ ନିଜେ ମଲା, ପୁଅକୁ ବି ମାରିଦେଲା । ମୋ ସଂସାର ଉଜାଡ଼ି ଗଲା ବୋଲି କୁଞ୍ଜଲତା କାନ୍ଦି କାନ୍ଦି କହିଛନ୍ତି ।
ଭଦ୍ରକ ଏସ୍ପି ବରୁଣ ଗୁଣ୍ଠୁପାଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ବେଙ୍ଗାଲୁରୁ ପୁଲିସ ଗୁରୁବାର ସନ୍ଧ୍ୟାରେ ଧୁଷୁରୀ ଥାନାରେ ପହଞ୍ଚି ତଦନ୍ତ କରିଛି। କେଉଁ ପରିସ୍ଥିତିରେ ମୁକ୍ତିରଞ୍ଜନ ଆତ୍ମହତ୍ୟା କଲେ, ସେସବୁର ତଥ୍ୟ ସଂଗ୍ରହ କରୁଛି । ମୃତଦେହ ନିକଟରୁ ଡାଇରୀ ଓ ସୁଇସାଇଡାଲ୍ ନୋଟ୍କୁ ନେଇ ତନାଘନା ଚଳାଇଛି ।
ସୂଚନାଯୋଗ୍ୟ, ମୁକ୍ତିରଞ୍ଜନ ଦୀର୍ଘଦିନ ହେଲା ବେଙ୍ଗାଲୁରୁରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ବେଙ୍ଗାଲୁରୁର ମହାଲକ୍ଷ୍ମୀ ନାମକ ଉକ୍ତ ୨୯ ବର୍ଷୀୟା ମହିଳାଙ୍କ ହତ୍ୟା ମାଲାରେ ସେ ସଂପୃକ୍ତ ଥିବା ପୁଲିସ୍ ସନ୍ଦେହ କରିଥିଲା । ମହାଲକ୍ଷ୍ମୀ ନିଜ ସ୍ୱାମୀଙ୍କୁ ଛାଡ଼ି ଅଲଗା ରହୁଥିଲେ । ତାଙ୍କ ସହ ମୁକ୍ତିରଞ୍ଜନଙ୍କ ସମ୍ପର୍କ ଥିଲା ବୋଲି ବେଙ୍ଗାଲୁରୁ ପୁଲିସ୍ ଜାଣିବାକୁ ପାଇଥିଲା । ମୁକ୍ତିରଞ୍ଜନ ଫେରାର ହୋଇ ବୁଲୁଥିଲେ । ତାଙ୍କୁ ଧରିବା ପାଇଁ ପୁଲିସ୍ ଜାଲ ବିଛାଇଥିଲା । ମଙ୍ଗଳବାର ରାତିରେ ମୁକ୍ତିରଞ୍ଜନ ଭୁଇଁପୁର ଗାଁ ସ୍ଥିତ ନିଜ ଘରେ ପହଞ୍ଚିଥିଲେ। ଭୋର୍ ୪ଟାରେ ଏକ ସ୍କୁଟିରେ ଭଦ୍ରକ ଯିବେ ବୋଲି କହି ଘରୁ ବାହାରିଥିଲେ । ବୁଧବାର ସକାଳେ କୁଳେଇପଦା ଶ୍ମଶାନ ନିକଟ ଏକ ଗଛରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରୁ ଏକ ଡାଇରୀ ଓ ସୁଇସାଇଡ୍ ନୋଟ୍ ଜବତ କରିଥିଲା ।
ସ୍ୱାମୀଠୁ ଅଲଗା ରହୁଥିଲେ ମହାଲକ୍ଷ୍ମୀ
ମହାଲକ୍ଷ୍ମୀଙ୍କ ମୂଳ ଘର ନେପାଳ । ତାଙ୍କ ବାପା ପୂର୍ବରୁ ଭାରତ ଚାଲି ଆସିଥିଲେ । ଦୁଇ ଭଉଣୀ ସହ ମା’, ବାପାଙ୍କୁ ନେଇ ମହାଲକ୍ଷ୍ମୀଙ୍କ ପରିବାର । କିଛି ଦିନ ବେଙ୍ଗାଲୁରୁରେ ରହଣି ପରେ ବାପାଙ୍କ ଦେହାନ୍ତ ହୋଇଥିଲା । ଉଚ୍ଚଶିକ୍ଷିତା ମହାଲକ୍ଷ୍ମୀ ସଫ୍ଟୱୟାର କମ୍ପାନିରେ ଚାକିରି କରୁଥିଲେ । ସେ ହେମନ୍ତ ଦାସଙ୍କୁ ବିବାହ କରିଥିଲେ । ବିବାହ ପରେ ବେଙ୍ଗାଲୁରୁର ମାଲେଶ୍ୱରମରେ ରହୁଥିଲେ । ଉଭୟଙ୍କ ମନମାଳିନ୍ୟ ହେବାରୁ ୨୦୨୩ ନଭେମ୍ବରରୁ ମହାଲକ୍ଷ୍ମୀଙ୍କୁ ଛାଡି ହେମନ୍ତ ନିଜ ଝିଅକୁ ଧରି ଅନ୍ୟତ୍ର ରହୁଥିଲେ । ମହାଲକ୍ଷ୍ମୀ ଏକା ରହିବା ବେଳେ କୋଭିଡ୍ ପରବର୍ତ୍ତୀ ସମୟରେ ମୁକ୍ତିରଞ୍ଜନଙ୍କ ସମ୍ପର୍କରେ ଆସିଥିଲେ ।
ଦୁର୍ଗନ୍ଧ ହେବାରୁ ପୁଲିସ୍କୁ ଡାକିଥିଲେ ଘର ମାଲିକ
ମାଲେଶ୍ୱରମ ଅଞ୍ଚଳରେ ମହାଲକ୍ଷ୍ମୀ ରହୁଥିବା ଘରେ ସେପ୍ଟେମ୍ବର ୩ ତାରିଖରୁ ତାଲା ପଡ଼ିଥିଲା । ପରେ ସେହି ଫ୍ଲାଟ୍ରୁ ଦର୍ଗୁନ୍ଧ ବାହାରିବାରୁ ଘର ମାଲିକ ପୁଲିସ୍ ସହ ୧୭ ତାରିଖ ଯୋଗାଯୋଗ କରିଥିଲେ । ମହାଲକ୍ଷ୍ମୀଙ୍କ ମା’ଙ୍କ ସହ ଯୋଗାଯୋଗ କରାଯାଇଥିଲା । ଚାବି ଆଣି ପୁଲିସ୍ ଘର ଖୋଲିଥିଲା । ଫ୍ରିଜ୍ରୁ ୫୯ ଖଣ୍ଡ ମାଂସ ମିଳିଥିଲା । ପରେ ତାହା ମହାଲକ୍ଷ୍ମୀଙ୍କର ବୋଲି ଚିହ୍ନଟ ହୋଇଥିଲା । କିଏ ତାଙ୍କୁ ମାରିଲା? ତଦନ୍ତ କରି ପୁଲିସ ତାଙ୍କ ସ୍ୱାମୀ ହେମନ୍ତଙ୍କ ନିକଟରେ ପହଞ୍ଚିଥିଲା । ଉତ୍ତରାଖଣ୍ଡରୁ ଆସି ସେଠାରେ ଏକ ସେଲୁନ୍ କରିଥିବା ଯୁବକଙ୍କ ସହ ତାଙ୍କ ପତ୍ନୀଙ୍କ ପ୍ରେମ ସମ୍ପର୍କ ଥିଲା ବୋଲି ହେମନ୍ତ କହିଥିଲେ । ପୁଲିସ୍ ସେଲୁନ ଯୁବକକୁ ପଚରାଉଚୁରା କରିଥିଲା । ହେଲେ ଘଟଣାର କିଛି ଖିଅ ପାଇ ନ ଥିଲା । ସିସିଟିଭି ଘାଣ୍ଟି ଥିଲା ପୁଲିସ୍ । ସିସିଟିଭି ଫୁଟେଜ୍ରେ ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ଶେଷଥର ପାଇଁ ଉକ୍ତ ଘରେ ତାଲା ପକାଇ ଯାଇଥିବା ଜଣାପଡ଼ିଥିଲା । ମୁକ୍ତିରଞ୍ଜନ ନିଜ ଭାଇ ସତ୍ୟରଞ୍ଜନ ସହ ରହୁଥିବା ଘରେ ପୁଲିସ ଚଢ଼ଉ କରିଥିଲା । ପରେ ମୁକ୍ତିରଞ୍ଜନ ଓଡ଼ିଶା ଚାଲି ଆସିଥିଲେ । ମୁକ୍ତିରଞ୍ଜନଙ୍କ ମଝିଆ ଭାଇ ସତ୍ୟରଞ୍ଜନଙ୍କୁ ପୁଲିସ୍ ଟେକି ନେଇ ପଚରାଉଚରା କରିବା ପରେ ମହାଲକ୍ଷ୍ମୀଙ୍କୁ ବଡ଼ ଭାଇ ହତ୍ୟା କରିଥିବା ସେ ମାନିଥିଲେ । ସବୁକଥା ମୁକ୍ତିରଞ୍ଜନ ତାଙ୍କୁ କହିଥିବା ସ୍ୱୀକାର କରିଥିଲେ । ତାଙ୍କ ମୋବାଇଲ୍ରୁ ଫୋନ୍ ନମ୍ବର ଟ୍ରାକିଂ କରି ପୁଲିସ୍ ମୁକ୍ତିରଞ୍ଜନଙ୍କୁ ଧରିବାକୁ ପିଛା କରିଥିଲା ।