କୋକସରା/ଜୟପାଟଣା,୨୪/୭ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାନେରଠାରୁ କୋକସରା ବ୍ଲକ ଲଡ଼ୁଗାଁକୁ ସଂଯୋଗ କରୁଥିବା ପିଡବ୍ଲୁଡ଼ି ରାସ୍ତାର ମରାମତି ପାଇଁ ବିଗତ କିଛି ବର୍ଷ ହେବ ଦାବି ହୋଇ ଆସୁଛି । ବୁଧବାରଠାରୁ ରାସ୍ତା ନିର୍ମାଣ ଦାବିରେ ଯୁବ ସମାଜସେବୀ ବିଘ୍ନରାଜ ପଣ୍ଡା, ଅନନ୍ତ କୁମାର ପଟ୍ଟନାୟକ, ଚିନ୍ତାମଣି କୁମ୍ଭାର ବାନେର ଛକଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ ଆରମ୍ଭ କରିଥିଲେ ।
ସୂଚନା ଅନୁସାରେ ଜୟପାଟଣା ବ୍ଲକ ବାନେର ଛକରୁ କୋକସରା ବ୍ଲକ ଲଡୁଗାଁକୁ ସଂଯୋଗ କରୁଥିବା ୧୪କିମି ରାସ୍ତାର ଅବସ୍ଥା ଦୀର୍ଘ ବର୍ଷ ଧରି ଶୋଚନୀୟ ହୋଇ ପଡିଛି । ଅଞ୍ଚଳବାସୀ ବହୁବାର ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦାବି ଓ ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନର ପ୍ରତିଶ୍ରୁତି ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ଅଧୁରା ହୋଇପଡ଼ିଛି । ଅନ୍ୟପକ୍ଷରେ କୋକସରା ବ୍ଲକର ଏକ ବ୍ୟବସାୟିକ ପେଣ୍ଠସ୍ଥଳି ହେଉଛି ଲଡୁଗାଁ ସହର ଏହି ସହର ଉପରେ ଦୈନିକ କୋକସରାର ୨୨ପଞ୍ଚାୟତ ସମେତ ଜୟପାଟଣା ବ୍ଲକର ବାନେର, ଭଇଁରି ପାଲି, ରେଙ୍ଗାଲପାଲି ଉଛୁଲା, ବଡ଼ ପୁଝାରିଗୁଡା, ଅଁଳାଭଟା, କୁଚାଗାଁ ଆଦି ପଞ୍ଚାୟତବାସୀ ନିର୍ଭରଶୀଳ।
ପୂର୍ବରୁ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବାବେଳେ ଏହା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଛି । ରାସ୍ତା ନିର୍ମାଣ ପାଇଁ ନିର୍ବାଚନ ପୂର୍ବରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଅମିତ ସାହା ଭୁବନେଶ୍ୱରର ଏକ ବୈଠକରେ ଅଟକଳର ପରିମାଣ ମଧ୍ୟ ଘୋଷଣା କରିଥିଲେ । ଲୋକେ ଆଶା କରିଥିଲେ ରାସ୍ତା ପ୍ରଶସ୍ତିକରଣ ହେବା ସହ ଯାତାୟତରେ ସୁବିଧା ହେବ, ହେଲେ ମୋଟେରଠାରୁ ଲଡୁଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଲଡୁଗାଁରୁ ବାନେର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଅସନ୍ତୋଷ ପ୍ରତିବାଦରେ ବାନେର ଛକ ଠାରେ ତିନି ଜଣ ଯୁବକ ଆମରଣ ଅନଶନରେ ଓଲ୍ଲାଇ ସରକାରକୁ ଚେତାବନୀ ଦେଇଛନ୍ତି।
ଏହି ଘଟଣାରେ ଗୁରୁବାର ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ପ୍ରଶାସନିକ ଅଧିକାରୀଙ୍କ ସହ ଫୋନ ଯୋଗେ ଆଲୋଚନା କରି ଘଟଣାସ୍ଥଳକୁ ଡକାଇ ସମାଧାନ ପାଇଁ ହସ୍ତକ୍ଷେପ କରିଥିଲେ। ଜୟପାଟଣା ବିଡିଓ ଧର୍ମରାଜ ମାଝୀ, ତହସିଲଦାର ରଘୁନାଥ ମୁଣ୍ଡାରୀ, ବ୍ଲକ ଅଧ୍ୟକ୍ଷ ଥବିର ବାଗ ସମେତ ପୂର୍ତ୍ତି ବିଭାଗର ସହକାରୀ ଯନ୍ତ୍ରୀ ଡି. ସି ଟୁଡୁ ପହଞ୍ଚି ଅନଶନରେ ବସିଥିବା ଯୁବକଙ୍କ ସହ ଆଲୋଚନା କରି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇ ସାରିଛି । ଦୁଇଟି ପର୍ଯ୍ୟାୟରେ ରାସ୍ତା ନିର୍ମାଣ କାର୍ଯ୍ୟ ହେବ ବୋଲି ସୂଚନା ଦେବା ସହ ରାସ୍ତା ନିର୍ମାଣ ନ ହେବା ପର୍ଯ୍ୟନ୍ତ ସାମୟିକ ଭାବେ ରାସ୍ତା ମରାମତି କରିବା ପାଇଁ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା।