ହରଭଙ୍ଗା, ୬।୮ : ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ବଜାରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଣେତେଣେ ଜମି ରହୁଛି ଆବର୍ଜନା । ଯାହା ବିଭିନ୍ନ ରୋଗକୁ ନିମନ୍ତ୍ରଣ ଦେଉଛି । ବୁଧବାର ହଠାତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆସି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାକୁ ବ୍ଲକ ,ତହସିଲ, ଥାନାର ସମସ୍ତ କର୍ମଚାରୀ ସହ ସ୍ଥାନୀୟ ସରପଞ୍ଚ , ଆଶା ଅଙ୍ଗନବାଡି କର୍ମଚାରୀଙ୍କୁ ଡାକି ଏକାଠି କରିଥିଲେ । ସାଙ୍ଗରେ ସଫେଇ ସରଞ୍ଜାମ ସହ ସ୍ବଚ୍ଛ ଭାରତ ମିଶନର ସଚେତନତା ବାର୍ତ୍ତା ନେଇ ଚାରିଛକ ବଜାର ସଫା କରିବା ପାଇଁ ବାହାରି ପଡ଼ିଥିଲେ ।
ଜିଲ୍ଲାପାଳଙ୍କ ସହ ହରଭଙ୍ଗା ତହସିଲଦାର ,ବିଡ଼ିଓ, ଥାନା ଅଧିକାରୀ ମିଶି ବଜାର ଅଳିଆ ସଫା ଆରମ୍ଭ କରିଥିଲେ । ଦୋକାନ ଗୁଡିକ ଆଗରେ ପଡିଥିବା ଅଳିଆ ନିଜେ ଜିଲ୍ଲାପାଳ ସଫା କରିବା ସହ ପ୍ରତ୍ୟେକ ଦୋକାନୀଙ୍କୁ ଆବର୍ଜନା ଏଣେତେଣେ ନ ଫିଙ୍ଗିବା ପାଇଁ ସଚେତନତା କରାଇଥିଲେ । ସମସ୍ତ ଦୋକାନ ଆଗରେ ଡ଼ଷ୍ଟବିନ ରଖିବା ସହ ଆବର୍ଜନା ସେଠି ପକାଇ ପରବର୍ତ୍ତୀ ସମୟରେ ଡ଼ମ୍ପିଙ୍ଗୟାଡ଼ ରେ ପକାଇବା ପାଇଁ କହିଥିଲେ । ନିୟମକୁ ଅମାନ୍ୟ କଲେ ଆଗାମୀ ଦିନରେ ଫାଇନ ଗଣିବେ ଦୋକାନୀ ବୋଲି ହରଭଙ୍ଗା ବିଡ଼ିଓ ସୂଚନା ଦେଇଛନ୍ତି ।
ଦୋକାନ ସମ୍ମୁଖରେ ଅଳିଆ ପଡିଲେ ମୋଟା ଅଙ୍କର ଫାଇନ ଆଦାୟ ହେବ ବୋଲି ସରପଞ୍ଚ ସୌଦାମିନୀ ମଲ୍ଲିକ କହିଛନ୍ତି। ତେଣୁ ଏହାର ସମାଧାନ ପାଇଁ ନିଜେ ଜନସାଧାରଣ ସଚେତନ ହେବା ଆବଶ୍ୟକ ରହିଛି । ନିଜେ ନିଜ ପରିବେଶ ସଫା ରଖିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ସରକାରୀ ବା ବେସରକାରୀ ଅନୁଷ୍ଠାନ ଓ ଦୋକାନଗୁଡିକ ସମ୍ମୁଖରେ ଆବର୍ଜନା ରହିବ ତାଙ୍କ ନିକଟରୁ ଫାଇନ ଆଦାୟ କରାଯିବ ବୋଲି ବଜାର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଶାସନ ଉପରେ ଭରସା ନକରି ଆମେ ପରିବେଶ ଆମେ ସଫା ରଖିବାର ଆବଶ୍ୟକ ରହିଛି । ତାହାହେଲେ ଯାଇ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଚାରିଛକ ଶୌଚାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବାରୁ ସ୍ଥାନୀୟ ମା’ ଦୁର୍ଗା ବଜାର କମିଟିର ଉପସଭାପତି ଦିଲ୍ଲୀପ ପ୍ରଧାନ, ସଦସ୍ୟ ସନ୍ତୋଷ ପତ୍ର ଓ ଅନ୍ୟ ସଦସ୍ୟମାନେ ମିଶି ଏହାର ମରାମତି ପାଇଁ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଶୌଚାଳୟ ନଥିବାରୁ ଯାତ୍ରୀମାନେ ବହୁ ହଇରାଣ ହେଉଥିବା କଥା କହିଥିଲେ । ପରେ ନୂତନ ଭାବେ ନିର୍ମାଣାଧୀନ ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ । ଅନ୍ୟପଟେ ଜିଲ୍ଲାପାଳ ଚାରିଛକ ସେବାଶ୍ରମ ବୁଲିବା ସହ ସ୍କୁଲର ସୌନ୍ଦର୍ଯ୍ୟକରଣକୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ କିଚେନ ଗାର୍ଡେନ ସହ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପଟେ ଦୀର୍ଘ ୪ଦିନ ହେଲା ଅକାମି ହୋଇ ପଡ଼ିଥିବା ଚାରିଛକ ପାନୀୟଜଳ ପ୍ରକଳ୍ପ କୁ ପରିଦର୍ଶନ କରିଥିଲେ । ମୋଟ ପୋଡିଯାଇଥିବାରୁ ଏଭଳି ହୋଇଛି। ଖୁବଶୀଘ୍ର ଏହାର ମରାମତି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।