ବାଉଁଶୁଣୀ,୦୮/୦୮,ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଜାତୀୟ ରାଜପଥ ନଂ ୫୭ ର ବାଉଁଶୁଣୀ ଥାନା ଗଜରାଜପୁର ଗାଁ ନିକଟରେ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ସହ ବୁଲେଟ୍ ଧକ୍କା ହେବା ଫଳରେ ୨ ବୁଲେଟ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ବାଉଁଶୁଣୀ ଥାନା ପିଙ୍ଗଳାବେଡ଼ା ଗ୍ରାମର ଅମିତ ଝାଂକର ଓ ତାଙ୍କ ସମ୍ପର୍କୀୟ ଭଣଜା ବୌଦ୍ଧ ଥାନା କୃଷ୍ଣ ପାଲି ଗ୍ରାମର ସିଦ୍ଧାନ୍ତ ପ୍ରଧାନ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଅମିତ ଝାଂକର ଓ ତାଙ୍କ ସମ୍ପର୍କୀୟ ଭଣଜା ସିଦ୍ଧାନ୍ତ ପ୍ରଧାନ ଏକ ବୁଲେଟ୍ ଯୋଗେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଭୁବନେଶ୍ୱରରୁ ଉମରକୋଟ ଅଭିମୁଖେ ଯାଉଥିବା ରଘୁନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ସହ ଗଜରାଜପୁର ନିକଟରେ ଧକ୍କା ହୋଇଥିଲା । ଫଳରେ ଉଭୟ ବୁଲେଟ୍ ଆରୋହୀ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ବାଉଁଶୁଣୀ ପୁଲିସ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ମହାପ୍ରୟାଣ ଗାଡ଼ି ସାହାଯ୍ୟରେ ବୌଦ୍ଧ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବାଉଁଶୁଣୀ ପୁଲିସ ଏକ ମାମଲା ରୁଜୁ କରି ଉଭୟ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।