କୋଲକାତା,୨୭/୦୪: ନିଶାରେ ନାବାଳିକାଙ୍କ ଛାତିକୁ ଛୁଇଁବା ଶିଶୁ ଯୌନ ଅପରାଧ ନିବାରଣ (ପୋକ୍ସୋ) ଆଇନ ଅନୁସାରେ ଦୁଷ୍କର୍ମ ଉଦ୍ୟମ ନୁହେଁ । ଏହାକୁ ଗମ୍ଭୀର ଯୌନ ଉତ୍ପୀଡନ ମାମଲା ଭାବେ ବିବେଚନା କରାଯାଇପାରିବ ବୋଲି କଲିକତା ହାଇକୋର୍ଟ କହିଛନ୍ତି । ଏଥିସହ ଏଭଳି ଏକ ମାମଲାରେ ଅଭିଯୁକ୍ତ ଯୁବକଙ୍କୁ ଜାମିନ ପ୍ରଦାନ କରିଛନ୍ତି । କଲିକତା ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସେହି ସମୟରେ ଆସିଛି ଯେତେବେଳେ ସୁପ୍ରିମକୋର୍ଟ କିଛିଦିନ ତଳେ ଆହ୍ଲାବାଦ ହାଇକୋର୍ଟଙ୍କ ଏଭଳି ଏକ ରାୟକୁ ଅସମ୍ବେଦନଶୀଳ ବୋଲି କହିଥିଲେ । ଏପରିକି ହାଇକୋର୍ଟଙ୍କ ରାୟ ଉପରେ ମଧ୍ୟ ସର୍ବୋଚ୍ଚ ଅଦାଲତ ରୋକ୍ ଲଗାଇଥିଲେ ।
କଲିକତା ହାଇକୋର୍ଟର ବିଚାରପତି ଅରିଜିତ ବାନାର୍ଜୀ ଓ ବିଚାରପତି ବିଶ୍ୱରୂପ ଚୌଧୁରୀଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ କହିଛନ୍ତି ଯେ ଅଭିଯୁକ୍ତ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ମେଡିକାଲ ରିପୋର୍ଟରୁ ପ୍ରମାଣ ମିଳିନାହିଁ । ପୀଡିତା ବୟାନରେ ଦର୍ଶାଇଛନ୍ତି କି ଅଭିଯୁକ୍ତ ନିଶାରେ ଥିଲେ ଏବଂ ତାଙ୍କ ଛାତିକୁ ଛୁଇଁବାକୁ ଉଦ୍ୟମ କରିଥିଲେ । ଏହା ପୋକ୍ସୋ ଆଇନ ଅନୁସାରେ ଗମ୍ଭୀର ଯୌନ ଉତ୍ପୀଡନ ହୋଇପାରେ । କିନ୍ତୁ ପ୍ରାଥମିକ ଦୃଷ୍ଟିରୁ ଦୁଷ୍କର୍ମ ଉଦ୍ୟମ କରିଥିବାର ଇଶାରା ଏଥିରୁ ଜଣାପଡୁନାହିଁ । ତଳକୋର୍ଟ ଏହି ମାମଲାରେ ଅଭିଯୁକ୍ତକୁ ପୋକ୍ସୋ ଆଇନର ଧାରା ୧୦ ଏବଂ ଆଇପିସିର ଅନ୍ୟାନ୍ୟ ଦଫାରେ ଦୋଷୀ ସାବ୍ୟସ୍ତ କରି ୧୨ ବର୍ଷ ଜେଲ୍ ଓ ୫୦ ହଜାର ଟଙ୍କା ଜରିମାନା କରିଥିଲେ ।
ଏହା ବିରୋଧରେ ଅଭିଯୁକ୍ତ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଅଭିଯୁକ୍ତ ଦର୍ଶାଇଥିଲେ ଯେ ସେ ଦୁଇବର୍ଷ ହେଲା ଜେଲ୍ରେ ଅଛନ୍ତି । ତା’ଛଡା ଏହି ମାମଲାରେ ରାୟ ଶୀଘ୍ର ଆସିବାର ସମ୍ଭାବନା ମଧ୍ୟ ନାହିଁ । ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ । ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଏହି ମାମଲା ଆଇପିସିର ଦଫା ୩୭୬ ଅନୁସାରେ ଅପରାଧ ବିବେଚନା କରାଯାଇପାରିବ ନାହିଁ । ଅଧିକରୁ ଅଧିକ ପୋକ୍ସୋ ଆଇନର ଧାରା ୧୦ ଅନୁସାରେ ଅପରାଧ ଭାବେ ବିବେଚନା କରାଯାଇପାରିବ ।