ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ପୁଣି ଥରେ ସୁଯୋଗ ନମିଳିବାରୁ ଏକନାଥ ସିନ୍ଦେ ଦୁଃଖି ଥିବା ଦାବିକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହା ସହ ମନ୍ତ୍ରୀ ପଦ ଆବଣ୍ଟନକୁ ନେଇ ମଧ୍ୟ ସିନ୍ଦେ ଦୁଃଖିତ ନାହାନ୍ତି ବୋଲି କହିଛନ୍ତି ଶାହ । ସେ କହିଛନ୍ତି, ‘ଏଭଳି କୌଣସି କାରଣ ନାହିଁ ଯେଉଁଥିପାଇଁ ସିନ୍ଦେ ମନ ଦୁଃଖ କରିବେ ।
ବିଜେପି ମହାରାଷ୍ଟ୍ରରେ ସବୁଠୁ ଅଧିକ ଆସନରେ ବିଜୟୀ ହୋଇଛି । ପୂର୍ବ ସରକାରରେ ଅଧିକ ଆସନ ପାଇବା ସତ୍ତ୍ବେ ଆମେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲୁ । ଗତ ଅଢ଼େଇ ବର୍ଷ ହେଲା ଆମେ ତାଙ୍କୁ ନିଃସ୍ବାର୍ଥପର ଭାବରେ ସମର୍ଥନ କରିଛୁ ।’ ଆଜତକ୍ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି, ନିର୍ବାଚନୀ ଫଳକୁ ନେଇ ମୁଖ୍ୟମନ୍ତ୍ରୀ ଚୟନ ହେବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା । ମହାରାଷ୍ଟ୍ର କ୍ୟାବିନେଟ ଆବଣ୍ଟନକୁ ନେଇ କୌଣସି ପ୍ରକାର ବିବାଦ ନାହିଁ । ଯୋଜନା ମୁତାବକ ସବୁ କାମ ହେଉଛି । ମହାବିକାଶ ଅଘାଡ଼ି ସରକାର ତୁଳନାରେ କମ୍ ଦିନରେ ଆମେ ରାଜ୍ୟରେ ସରକାର ଗଠନ କରିଛୁ ବୋଲି ଶାହ କହିଛନ୍ତି ।
ସେପଟେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ରବିବାର ସନ୍ଧ୍ୟାରେ ହେବ । ୩୦-୩୨ ମହାୟୁତି ବିଧାୟକ ମନ୍ତ୍ରୀ ପଦର ଶପଥ ନେବେ ବୋଲି କୁହାଯାଉଛି । ନିକଟରେ ମହାରାଷ୍ଟ୍ରର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଥିଲା । ଏହି ସମୟରେ ମହାରାଷ୍ଟ୍ର କ୍ୟାବିନେଟ୍ର ରୂପରେଖକୁ ନେଇ ଆଲୋଚନା ହୋଇଥିଲା । କିନ୍ତୁ ଏହି ବୈଠକରେ ଏକନାଥ ସିନ୍ଦେ ସାମିଲ ହୋଇନଥିଲେ ।