ନୂଆଦିଲ୍ଲୀ,୧୦।୫: ‘ଅପରେସନ୍ ସିନ୍ଦୂର’ ପରେ ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ଚରମ ସ୍ଥିତିରେ ରହିଛି। ଦୁଇ ଦେଶ ଭିତରେ ଅଘୋଷିତ ଯୁଦ୍ଧ ସ୍ଥିତି। ଏହାପରେ ଏବେ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି। ବାଡମେର ଓ ଯୋଧପୁରରେ ହାଇ ରେଡ ଆଲର୍ଟ ଜାରି କରାଯାଇଛି। ଏହା ସହ ଲୋକଙ୍କୁ କେଉଁଠିକୁ ଯାତ୍ରା ନକରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି।
ବାଡ଼ମେର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦିଆଯାଇଛି। ଜିଲ୍ଲାର ଯେଉଁ ବ୍ୟକ୍ତି ଗାଁ କିମ୍ବା ସହରରେ ହେଉଛନ୍ତି ସେମାନେ ବାଡମେର ଯାତ୍ରା ନକରନ୍ତୁ। ସେମାନଙ୍କୁ ଅନୁରୋଧ କରାଯାଇଛି ବାଡ଼ମେର ସହରକୁ ଯାଆନ୍ତୁ ନାହିଁ। ବାଡମେର ରେଡ୍ ଆର୍ଲଟରେ ରହିଛି। ତେଣୁ ଆପଣ ନିଜର ଯାତ୍ରାକୁ ତୁରନ୍ତ ସ୍ଥଗିତ କରନ୍ତୁ। ରେଡ ଆଲର୍ଟ ଜାରି କରି ଲୋକଙ୍କୁ ତୁରନ୍ତ ଘରକୁ ଯିବାକୁ କୁହାଯାଇଛି। ଏହା ସହ ବଜାର ମଧ୍ୟ ବନ୍ଦ କରି ଦିଆଯାଇଛି। ସବୁ ପ୍ରକାର ଗତିବିଧି ଉପରେ ରୋକ ଲଗାଇ ଦିଆଯାଇଛି।
ସେଭଳି ଯୋଧପୁରରେ ମଧ୍ୟ ପାକିସ୍ତାନ ଏୟାରଷ୍ଟ୍ରାଇକର ଆଶଙ୍କା କରାଯାଇଛି। ଲୋକଙ୍କୁ ତୁରନ୍ତ ଘର ଭିତରକୁ ଯିବାକୁ କୁହାଯାଇଛି। ଜିଲ୍ଲପାଳଙ୍କ ପକ୍ଷରୁ ଜାରି ଆଲର୍ଟରେ କୁହାଯାଇଛି ବିମାନ ଆକ୍ରମଣର ସମ୍ଭାବନା ରହିଛି। ସାଇରନ୍ ବଜାଯିବ, ସମସ୍ତଙ୍କୁ ଭିତରକୁ ଯିବାକୁ କୁହାଯାଇଛି। ଏହା ସହ ରାସ୍ତାକୁ ମଧ୍ୟ ଖାଲି କରି ଦିଆଯାଇଛି। କେବଳ ସେତିକି ନୁହେଁ ଚୁରୁରେ ମଧ୍ୟ ବିପଦର ଆଶଙ୍କାକୁ ଦେଖି ଆର୍ଲଟ ଜାରି କରାଯାଇଛି। ଉଲ୍ଲେଖନୀୟ ଯେ, ଭାରତର ଅପରେସନ୍ ସିନ୍ଦୁର ପରେ ପାକିସ୍ତାନ ଜମ୍ମୁ-କାଶ୍ମୀର, ରାଜସ୍ଥାନ ଓ ଗୁଜରାଟର ବହୁ ସୀମାବର୍ତ୍ତୀ ଅଞ୍ଚଳରେ ମିସାଇଲ ଓ ଡ୍ରୋନ୍ ଯୋଗେ ହମଲା କରିବାର ଚେଷ୍ଟା କରାଯାଉଛି। ତେବେ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ପ୍ରତ ଆକ୍ରମଣକୁ ବିଫଳ କରୁଛି। ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଏୟାରବେସ୍କୁ ମଧ୍ୟ ଉଡାଇ ଦିଆଯାଇଛି।