ନୂଆଦିଲ୍ଲୀ, ୪/୭: ଲୋକସଭାରେ ରାହୁଲ ଗାନ୍ଧୀ କରିଥିବା ଅଭିଯୋଗର ଜବାବ ରଖିଛି ଭାରତୀୟ ସେନା। ରାହୁଲ ଗାନ୍ଧୀ କହିଥିଲେ ଯେ, ଶହୀଦ ଅଗ୍ନିବୀର କର୍ମଚାରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ମିଥ୍ୟା କହିଛନ୍ତି। ଏଥିପାଇଁ ସେ କ୍ଷମା ମାଗିବା ଉଚିତ । ତେବେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଭାରତୀୟ ସେନାର ଏଡିଜିପିଆଇ ଙ୍କ ବିବୃତ୍ତି ସାମ୍ନାକୁ ଆସିଛି।
ଏଡିଜିପିଆଇ କହିଛି ଯେ, ”ଅଗ୍ନିବୀର ଅଜୟ କୁମାରଙ୍କ ସର୍ବୋଚ୍ଚ ବଳିଦାନକୁ ଭାରତୀୟ ସେନା ନମସ୍କାର କରୁଛି। ତାଙ୍କୁ ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହିତ ତାଙ୍କର ଶେଷ ବିଦାୟ ଦିଆଯାଇଥିଲା। ଏହା ସହିତ ଅଜୟଙ୍କ ପରିବାର ସଦସ୍ୟଙ୍କୁ ୯୮.୩୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।ଅଗ୍ନିବୀର ଯୋଜନାର ବ୍ୟବସ୍ଥା ଅନୁଯାୟୀ ପ୍ରାୟ ୬୭ ଲକ୍ଷ ଟଙ୍କା ମୂଲ୍ୟର ଆର୍ଥିକ ସହାୟତା ଏବଂ ଅନ୍ୟାନ୍ୟ ସୁବିଧା ପୋଲିସ ଯାଞ୍ଚ ପରେ ପ୍ରଦାନ କରାଯିବ। ମୋଟ ପରିମାଣ ପ୍ରାୟ ୧.୬୫ କୋଟି ଟଙ୍କା ହେବ। ଏହି ବିବୃତ୍ତିରେ ଜୋର ଦିଆଯାଇଛି ଯେ ଅଗ୍ନିବୀରଙ୍କ ସମେତ ଶହୀଦ ସୈନିକଙ୍କ ପରିବାରକୁ ଆର୍ଥିକ ସହାୟତା ଯଥାଶୀଘ୍ର ପ୍ରଦାନ କରାଯିବା ଉଚିତ।