ଥିରୁଅନନ୍ତପୁରମ,୨୮/୦୫: ଋଣ ଭାର ଉଜାଡ଼ି ଦେଉଛି ସୁନା ସଂସାର । ଅସହ୍ୟ ହେଉଛି ଋଣ ବୋଝ । ଜୀବନ ହାରୁଛନ୍ତି ପରିବାର । ଗତକାଲି ହରିୟାଣା ପରେ ଆଜି କେରଳରେ ଋଣ ଚିନ୍ତାରେ ଆଉ ଏକ ପରିବାର ଜୀବନ ହାରିଛନ୍ତି । ଋଣଗ୍ରସ୍ତ ହୋଇ ପୁରା ପରିବାର ଜୀବନ ଶେଷ କରିଥିବା ସନ୍ଦେହ କରାଯାଉଛି । କେରଳର ଭକ୍କମରେ ଗୋଟିଏ ପରିବାରର ୪ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତକାଲି (ମଙ୍ଗଳବାର) ଉତ୍ତରାଖଣ୍ଡର ଏକ ପରିବାର ହରିୟାଣାର ପଞ୍ଚକୁଲା ସେକ୍ଟର ୭ରେ ବିଷ ପିଇ ଆତ୍ମହତ୍ୟା କରିିଥିଲେ । ଦୁଇ ଦିନରେ ଅକାଳରେ ୧୧ ଜଣଙ୍କର ଜୀବନ ଚାଲି ଯାଇଛି ।
କେରଳ ଭକ୍କମରେ ବନ୍ଦ ଘରୁ ୪ ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବାପାମାଆ ଓ ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ୫୫ ବର୍ଷୀୟ ଅନୀଲ କୁମାର, ପତ୍ନୀ ୫୦ ବର୍ଷୀୟ ଶିଜା ଏବଂ ସେମାନଙ୍କ ଦୁଇ ପୁଅ । ପଡ଼ୋଶୀଙ୍କୁ କହିବା ଅନୁସାରେ ମୃତ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ଘରୁ କୌଣସି ସୁଇସାଇଟ୍ ନୋଟ ଜବତ ହୋଇନାହିଁ । ଘରର କେହି ବାହାରକୁ ନ ଆସିବାରୁ ପଡୋଶୀ ଘର ଭିତରକୁ ଯିବାରୁ ଘଟଣା ଜଣାପଡ଼ିଥିଲା । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ପରିବାର ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
କହି ରଖୁଛୁ କି, ଗତକାଲି ହରିୟାଣାର ପଞ୍ଚକୁଲାରେ ଜଣେ ବ୍ୟବସାୟୀ ପରିବାର ସମୂହ ଆତ୍ମହତ୍ୟା କରିଥିଲେ । ଦିନେ ବିଳାସବ୍ୟସନରେ କଟୁଥିବା ଜୀବନ ଋଣ ବୋଝରେ ବୁଡିଥିଲେ । ଶେଷରେ ପରିବାରର ୭ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିଲେ । ମୃତ ପରିବାର ଉତ୍ତରାଖଣ୍ଡର ପ୍ରବୀଣ ମିତ୍ତଲ, ତାଙ୍କ ପତ୍ନୀ, ବାପାମାଆ ଓ ୩ ପିଲା । ଋଣ ପରିଶୋଧ ନ ପାରି ଶେଷରେ ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେଇଥିଲେ ।