ନୂଆଦିଲ୍ଲୀ,୦୨/୦୯: ଚନ୍ଦ୍ର ଅଭିଯାନର ସଫଳତା ପରେ ଭାରତ ଏବେ ସୂର୍ଯ୍ୟ ମିଶନ ଆରମ୍ଭ କରିବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ) ସୂର୍ଯ୍ୟଯାନ ଆଦିତ୍ୟ ଏଲ୍-୧କୁ ଶନିବାର ପୂର୍ବାହ୍ନ ୧୧ଟା ୫୦ରେ ପିଏସ୍ଏଲ୍ଭି-ସି୫୭ ରକେଟ ଜରିଆରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ପ୍ରକ୍ଷେପଣ କରିବ । ଏଥିଲାଗି ଇସ୍ରୋ ଶୁକ୍ରବାର ଦ୍ୱିପ୍ରହର ୧୨ଟା ୧୦ ମିନିଟରୁ ସୋଲାର ମିଶନ ଆଦିତ୍ୟ ଏଲ୍-୧ ଲଞ୍ଚ୍ କରିବା ଲାଗି ଅବଗଣନା ଆରମ୍ଭ କରିଦେଇଛି । ସୂର୍ଯ୍ୟକୁ ଅଧ୍ୟୟନ କରିବାରେ ଏହା ପ୍ରଥମ ଭାରତୀୟ ମିଶନ ହେବ ।
ମିଶନ ଆରମ୍ଭ ହେବା ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ ଶନିବାର ଆନ୍ଧ୍ରପ୍ରଦେଶର ଚେଙ୍ଗଲମ୍ମା ପରମେଶ୍ୱରୀ ମନ୍ଦିରରେ ପହଞ୍ଚିଛନ୍ତି । ସେଠାରେ ସେ ମିଶନର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି । ଏହା ପୂର୍ବରୁ ଗତ ସୋମବାର ମଧ୍ୟ ଇସ୍ରୋ ମୁଖ୍ୟ ତାମିଲନାଡ଼ୁର ସୁଲ୍ଲୁରପେଟା ସ୍ଥିତ ଶ୍ରୀ ଚେଙ୍ଗଲମ୍ମା ପରମେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । କୌଣସି ମିଶନ ଲଞ୍ଚ୍ ହେବା ପୂର୍ବରୁ ଇସ୍ରୋ ବୈଜ୍ଞାନିକ ଏହି ମନ୍ଦିର ଯାଇଥାନ୍ତି । ଏହି ପରମ୍ପରା ଗତ ୧୫ ବର୍ଷ ହେଲା ଚାଲି ଆସୁଛି ।
ଆଦିତ୍ୟ ଏଲ୍-୧ ଏବଂ ଏହାକୁ ପରିବହନ କରି ନେବାକୁ ପ୍ରସ୍ତୁତ ହୋଇଥିବା ରକେଟର ଆଭ୍ୟନ୍ତରୀଣ ଯାଞ୍ଚ କରାଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହା ପ୍ରାୟ ୪ ମାସରେ ପୃଥିବୀରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂର ଲାଗରେଞ୍ଜ ପଏଣ୍ଟ-୧ ବା ଏଲ୍-୧ ପଏଣ୍ଟର ଚାରିପାଖେ ଘୂରି ସୂର୍ଯ୍ୟରେ ଉଠୁଥିବା ଝଡ଼କୁ ବୁଝିବ । ଏଥିସହ ମ୍ୟାଗ୍ନେଟିକ୍ ଫିଲ୍ଡ ବା ଚୁମ୍ବକୀୟ କ୍ଷେତ୍ର, କ୍ରୋମୋସ୍ଫିୟର, ଫଟୋସ୍ଫିୟର ସମେତ ସୋଲାର ୱିଣ୍ଡ୍ ଭଳି ଘଟଣାକୁ ମଧ୍ୟ ଏହା ଅଧ୍ୟୟନ କରିବ । ଆଦିତ୍ୟ ଏଲ୍-୧ରେ ୭ଟି ପେଲୋଡ୍ ଲାଗିଛି । ଏହାକୁ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ହେଲୋ ଅର୍ବିଟରେ ସ୍ଥାପନ କରାଯିବ । ଏଲ୍-୧ ପଏଣ୍ଟର ଚାରିପାଖରେ ଥିବା କକ୍ଷପଥକୁ ହେଲୋ ଅର୍ବିଟ କୁହାଯାଏ । ଏହି ଅର୍ବିଟରେ ରଖାଯାଉଥିବା ସାଟେଲାଇଟ ବା ଉପଗ୍ରହ ସୂର୍ଯ୍ୟକୁ ବିନା କୌଣସି ଗ୍ରହଣରେ ଲଗାତର ଦେଖିପାରିବ ।
ଆଦିତ୍ୟ ଏଲ୍-୧ ବାସ୍ତବ ସମୟ ସୋଲାର ଆକ୍ଟିଭିଟି ବା ସୌର କାର୍ଯ୍ୟକଳାପ, ସୌରଝଡ଼ ଏବଂ ମହାକାଶର ପାଣିପାଗ ଉପରେ ମଧ୍ୟ ନଜର ରଖିବ । ଏଥିରେ ଥିବା ପେଲୋଡ୍ କୋରୋନାଲ ହିଟିଂ, କୋରୋନାଲ୍ ମାସ୍ ଇଜେକ୍ସନ, ପ୍ରି-ଫ୍ଲେୟାର ଏବଂ ଫ୍ଲେୟାର ଆକ୍ଟିଭିଟିର ବିଶେଷତ୍ୱ, କଣିକାଗୁଡ଼ିକର ଗତିବିଧି ସହ ମହାକାଶୀୟ ପାଣିପାଗକୁ ଭଲ ଭାବେ ବୁଝିବା ଦିଗରେ ତଥ୍ୟ ଦେବ । ସୂର୍ଯ୍ୟର ଉପର ବାୟୁମଣ୍ଡଳ ଉପରେ ଏହି ମିଶନ ଜରିଆରେ ଅଧ୍ୟୟନ କରାଯିବ । ସୂର୍ଯ୍ୟର କ୍ରୋମୋସ୍ଫିୟର, କୋରୋନା ହିଟିଂ, ଆଂଶିକ ଭାବେ ଆୟୋନାଇଜ୍ ହେଉଥିବା ପ୍ଲାଜମା , କୋରୋନାଲ ମାସ୍ ଇଜେକ୍ସନ ଇନ୍ଫ୍ଲେସନ ଅଫ୍ ଫ୍ଲେୟାର ପଛରେ ଥିବା ପଦାର୍ଥ ବିଜ୍ଞାନକୁ ଏହା ମାଧ୍ୟମରେ ବୁଝାଯିବ । ସୌର କୋରୋନାରେ ଚୁମ୍ବକୀୟ କ୍ଷେତ୍ର ବାବଦରେ ତଥ୍ୟ ହାସଲ ସହ ମହାକାଶୀୟ ପାଣିପାଗର ପରିଚାଳକ ଯଥା ସୌର ପ୍ରବାହର ଉତ୍ପତ୍ତି, ସଂରଚନା ଏବଂ ଗତିଶୀଳତା ଉପରେ ମଧ୍ୟ ଏହି ମିଶନ ଜରିଆରେ ଅଧ୍ୟୟନ କରାଯିବ ।
ଏଲ୍-୧ ପଏଣ୍ଟ କ’ଣ
ଲାଗ୍ରେଞ୍ଜ ପଏଣ୍ଟ ହେଉଛି ପୃଥିବୀରୁ ସୂର୍ଯ୍ୟ ମଧ୍ୟରେ ଥିବା ଏକ ସ୍ଥାନ ଯେଉଁଠି ଦୁଇଟି ବସ୍ତୁ ମଧ୍ୟରେ ମାଧ୍ୟାକର୍ଷଣ ବଳ ଏପରି କାର୍ଯ୍ୟ କରିଥାଏ ଯେପରି ସେଠାରେ ଏକ ବସ୍ତୁ ଦୀର୍ଘ ସମୟ ଧରି ସନ୍ତୁଳିତ ବା ସ୍ଥିର ଅବସ୍ଥାରେ ରହିପାରିବ । ପ୍ରସିଦ୍ଧ ଇଟାଲୀୟ-ଫ୍ରେଞ୍ଚ ଗଣିତଜ୍ଞ ଜୋସେଫ ଲୁଇ ଲାଗ୍ରେଞ୍ଜଙ୍କ ନାମରେ ଏହାର ନାମକରଣ କରାଯାଇଛି । ସାଧାରଣ ଭାବେ ଏହାକୁ ଏଲ୍-୧ ଭାବେ ଜଣାଯାଏ । ଏପରି ୫ଟି ପଏଣ୍ଟ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ରହିଛି, ଯେଉଁଠି ସୂର୍ଯ୍ୟ ଏବଂ ପୃଥିବୀର ଗୁରୁତ୍ୱାକର୍ଷଣ ବଳ ସନ୍ତୁଳିତ ହୋଇଯାଏ ଏବଂ ସେଣ୍ଟ୍ରିଫୁଗାଲ ଫୋର୍ସ ହୋଇଯାଏ । ଏପରି ସ୍ଥାନରେ କୌଣସି ବସ୍ତୁକୁ ରଖାଗଲେ ତାହା ସହଜରେ ସ୍ଥିର ରହିବା ସହ କମ୍ ଶକ୍ତି ମଧ୍ୟ ଆବଶ୍ୟକ କରିଥାଏ । ପ୍ରଥମ ଲାଗରେଞ୍ଜ ପଏଣ୍ଟ ପୃଥିବୀଠାରୁ ସୂର୍ଯ୍ୟ ମଧ୍ୟରେ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି ।
କିପରି ଆଗକୁ ବଢ଼ିବ ଆଦିତ୍ୟ ଏଲ୍-୧
ଆଦିତ୍ୟ-ଏଲ୍୧ ସ୍ପେସ୍କ୍ରାଫ୍ଟ ଶ୍ରୀହରିକୋଟାରୁ ପ୍ରକ୍ଷେପଣ ପରେ ପ୍ରଥମେ ଏହାକୁ ପୃଥିବୀର ନିମ୍ନ କକ୍ଷପଥରେ ରଖାଯିବ । ପରେ କକ୍ଷକୁ ଅଧିକ ଦୀର୍ଘବୃତ୍ତାକାର କରାଯିବ । ପରେ ସ୍ପେସ୍କ୍ରାଫ୍ଟକୁ ପୃଥିବୀର ମାଧ୍ୟାକର୍ଷଣ କ୍ଷେତ୍ରରୁ ଦୂର ଲାଗ୍ରେଞ୍ଜ ପଏଣ୍ଟ-୧(ଏଲ୍-୧) ଅଭିମୁଖେ ପଠାଯିବ । ପୃଥିବୀର ମାଧ୍ୟାକର୍ଷଣ କ୍ଷେତ୍ରରୁ ବାହାରିବା ପରେ ଆଦିତ୍ୟ ଏଲ୍-୧ର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବ । କ୍ରୁଜ୍ ଷ୍ଟେଜ୍ ପରେ ଏହା ଏଲ୍-୧ର ଚାରିପଟେ ଏକ ହେଲୋ କକ୍ଷପଥରେ ପ୍ରବେଶ କରିବ । ଏଲ୍-୧ ପର୍ଯ୍ୟନ୍ତ ପହଞ୍ଚିବାକୁ ପ୍ରାୟ ୪ ମାସ ସମୟ ଲାଗିବ । ଆଦିତ୍ୟ ଏଲ୍-୧ରେ ୭ଟି ପେଲୋଡ୍ ରହିଛି । ଏଥିରେ ୪ ରିମୋଟ ସେନ୍ସିଂ ପେଲୋଡ୍ ଅଛି ଏବଂ ୩ ଇନ୍ସିଟୁ ପେଲୋଡ୍ । ଆଦିତ୍ୟ ଏଲ୍-୧ର ଉପକରଣ ମୁଖ୍ୟ ଭାବେ କ୍ରୋମୋସ୍ଫିୟର, କୋରାନା ଏବଂ ସୌର ବାୟୁମଣ୍ଡଳର ନୀରିକ୍ଷଣ ନିମନ୍ତେ ପ୍ରସ୍ତୁତ କରାଯାଇଛି ।