ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଲାଞ୍ଚ ଯାଚିବାର ସଙ୍ଗୀନ ଅଭିଯୋଗ ଆସିବା ପରେ ଗୌତମ ଆଦାନୀ ଓ ଆଦାନୀ ଗ୍ରୁପର ମୁସ୍କିଲ ବଢିବାରେ ଲାଗିଛି। ସେୟାର ମାର୍କେଟ୍ ଓ ବିଶ୍ବ ବଜାରରେ ଆଦାନୀ ଗ୍ରୁପର ସେୟାର ମୂଲ୍ୟ ନିମ୍ନଗାମୀ ହୋଇଛି। ଆଉ ଏଥିରେ ଗୌତମ ଆଦାନୀଙ୍କ ଲକ୍ଷାଧିକ କୋଟି ଟଙ୍କା କ୍ଷତି ଘଟିଛି। ଏହା ମଧ୍ୟରେ ଇସ୍ରାଏଲ ପକ୍ଷରୁ ଆଦାନୀ ଗ୍ରୁପକୁ ନେଇ ଆସିଛି ସକରାତ୍ମକ ଖବର। ଇସ୍ରାଏଲ ଚାହୁଁଛି ଭାରତର ଉଦ୍ୟୋଗପତି ଗୌତମ ଆଦାନୀ ତାଙ୍କ ଦେଶରେ ନିବେଶ କରୁ ।
ଗୁରୁବାର ଇସ୍ରାଏଲର ରାଷ୍ଟ୍ରଦୂତ ନିଜର ଏକ ବିବୃତି ଜାରି କରି କହିଛନ୍ତି ଆମେ ଭାରତକୁ ଏହା ଜଣାଇ ବାକୁ ଚାହୁଁ ଯେ ଆମେରିକା ଆଣିଥିବା ଲାଞ୍ଚ ଅଭିଯୋଗରେ ଫସିଥିବା ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀଙ୍କୁ ଇସ୍ରାଏଲ ତାଙ୍କ ଦେଶରେ ନିବେଶକୁ ସମର୍ଥନ କରିବ। ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ରେଉଭେନ ଅଜାର ଗୁରୁବାର ରୟଟର୍ସକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ“ଆମେରିକା ନ୍ୟାୟିକ ବିଭାଗ ଦ୍ୱାରା ଆଦାନୀଙ୍କ ଉପରେ ଲଗାଯାଇଥିବା ଲାଞ୍ଚ ଅଭିଯୋଗ, ଇସ୍ରାଏଲର ଦୃଷ୍ଟିକୋଣରେ ସେତେ ବଡ କାରଣ ନୁହେଁ । ଆମେ ଆଶା କରୁ ଆଦାନୀ ଓ ସମସ୍ତ ଭାରତୀୟ କମ୍ପାନୀ ଇସ୍ରାଏଲରେ ପୂର୍ବବତ ନିଜର ନିବେଶ ଜାରି ରଖନ୍ତୁ।”
ଆଦାନୀ ଗ୍ରୁପ୍ ଉତ୍ତର ଇସ୍ରାଏଲର ହାଇଫା ବନ୍ଦରରେ ୭୦ ପ୍ରତିଶତ ଅଂଶଧନରେ ନିବେଶ କରିଛି । ଏହା ସହ ଇସ୍ରାଏଲର କୃଷି କ୍ଷେତ୍ର ସମେତ ଦେଶରେ ସାମରିକ ଡ୍ରୋନ ଓ ପ୍ଲେନ ମାନୁଫ୍ୟାକଚରିଂ ଏବଂ କମର୍ଶିଆଲ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ମଧ୍ୟ ନିବେଶ କରିଛି ।
ସୂଚନାଯୋଗ୍ୟ, ଆମେରିକାର ନ୍ୟାୟ ବିଭାଗ ଗତ ସପ୍ତାହରେ ଗୌତମ ଆଦାନୀ ଓ ତାଙ୍କ ପୁତୁରାଙ୍କ ସମେତ ଆଦାନୀ ଗ୍ରୀନ ମ୍ୟାନେଜିଂର ନିର୍ଦ୍ଦେଶକଙ୍କ ଉପରେ ସୌର ଶକ୍ତି ଯୋଗାଣରେ ଟେଣ୍ଡର ହାସଲ ପାଇଁ ଭାରତର କିଛି ରାଜ୍ୟର ଅଧିକାରୀଙ୍କୁ ୨୬୫ ମିଲିୟନ ଆମେରିକୀୟ ଡଲାରର ଲାଞ୍ଚ ଦେଇଥିବା ଅଭିଯୋଗ ଆଣିଥିଲା । ତେବେ ଆଦାନୀ ଗ୍ରୁପ୍ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ସବୁକିଛି ଭିତ୍ତିହୀନ ବୋଲି କହିଛି । ତେବେ, ଗତ ସପ୍ତାହରେ ଆଦାନୀ କମ୍ପାନିର ସେୟାର ଓ ବଣ୍ଡ ଗୁଡିକର ମୂଲ୍ୟ ଖସିବା ସହ ତାଙ୍କର କିଛି ଅଂଶୀଦାରଙ୍କ ଆର୍ଥିକ କ୍ଷତି ଘଟିଛି। ହାଇଦ୍ରାବାଦରେ ଅନୁଷ୍ଠିତ ଏକ ଇଭେଣ୍ଟରେ ଯୋଗ ଦେଇ ଆଜାର କହିଛନ୍ତି “ମୁଁ ନିଶ୍ଚିନ୍ତ ଆଦାନୀ ଗ୍ରୁପ୍ ଏହି କଠିନ ସମୟରୁ ଶୀଘ୍ର ମୁକୁଳିବ।”