ନୂଆଦିଲ୍ଲୀ,୨୮।୧୧: ଇସ୍ରାଏଲ ଓ ଲେବାନନ୍ର ହିଜବୁଲ୍ଲା ଆତଙ୍କବାଦୀଙ୍କ ମଧ୍ୟରେ ଅସ୍ତ୍ରବିରତିକୁ ୨୪ ଘଣ୍ଟା ବିତିନି ପୁଣି ଆକ୍ରମଣ। ଇସ୍ରାଏଲ ସେନା ଲେବାନନ୍ର ତିନୋଟି ସହର ଉପରେ କରିଛି ଆକ୍ରମଣ। ଲେବାନନ୍ ସୁରକ୍ଷା ସୁତ୍ର ଅନୁସାରେ, ଅସ୍ତ୍ରବିରତୀ ଲାଗୁ ହେବାର ଦିନକ ପରେ ଇସ୍ରାଏଲ ଟ୍ୟାଙ୍କର ଲେବାନନ୍ର ଦକ୍ଷିଣ-ପୂର୍ବ ସୀମାରେ ଥିବା ତିନୋଟି ସହରକୁ ଟାର୍ଗେଟ କରିଛି। ଏହି ଆକ୍ରମଣ ସେତେବେଳେ ହୋଇଥିଲା, ଯେତେବେଳେ ଅସ୍ତ୍ରବିରତି ପରେ ବିସ୍ଥାପିତ ହୋଇସାରିଥିବା ଲେବାନନ୍ବାସୀ ଘରକୁ ଫେରୁଥିଲେ। ଇସ୍ରାଏଲ ସେନା ଲେବାନନ୍ବାସୀଙ୍କୁ ଏବେ ସୀମା ପାଖରେ ଥିବା ନିଜ ଘରକୁ ନଯିବାକୁ ମଧ୍ୟ କହିଛି।
ଲେବାନନ୍ ସୁରକ୍ଷା ଅଧିକାରୀ ଗୁରୁବାର ସୂଚନା ଦେଇଛନ୍ତି ଯେ, ଆକ୍ରମଣ ମାର୍କବା, ଓ୍ବାଜାନୀ ଓ କଫରଚୌବା ସହରରେ ଘଟିଛି। ଏହି ଆକ୍ରମଣ ଇସ୍ରାଏଲ ଓ ଲେବାନନ୍ ଭିତରେ ସୀମା ନିର୍ଦ୍ଧାରଣ କରୁଥିବା ବ୍ଲୁ ଲାଇନର ଦୁଇ କିଲୋମିଟର ଭିତରେ କରାଯାଇଛି। ଏହା ପୂର୍ବରୁ ବୁଧବାର ଆମେରିକା ଓ ଫ୍ରାନ୍ସର ମଧ୍ୟସ୍ଥତା କାରଣରୁ ଇସ୍ରାଏଲ ଓ ଲେବାନନ୍ ସଶସ୍ତ୍ର ବାହିନୀ ହିଜବୁଲ୍ଲା ଭିତରେ ଯୁଦ୍ଧବିରତି ଲାଗୁ ହୋଇଥିଲା। ଏହି ଯୁଦ୍ଧବିରତି ଦୁଇ ଦେଶର ଲୋକଙ୍କୁ ନିଜ ଘରକୁ ଫେରିବାର ଅନୁମତି ଦେବାର ଥିଲା।
ଇସ୍ରାଏଲ ସୈନିକ ଏବେ ଲେବାନନ୍ କ୍ଷେତ୍ର ଭିତରେ ସୀମାକୁ ଲାଗିଥିବା ସହରରେ ମୁତୟନ ରହିଛି। ଗୁରୁବାର ସକାଳେ ଇସ୍ରାଏଲ ସେନା ସୀମା ନିକଟରେ ଥିବା ଲୋକଙ୍କୁ ନିଜ ଜୀବନ ବଞ୍ଚାଇ ଫେରିଯିବାକୁ କହିଥିଲା। ଗୁରୁବାର ସକାଳେ ହୋଇଥିବା ଏହି ଆକ୍ରମଣକୁ ନେଇ ହିଜବୁଲ୍ଲା କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଉଲ୍ଲେଖନୀୟ ଯେ, ହିଜବୁଲ୍ଲା ଓ ଇସ୍ରାଏଲ ଭିତରେ ଏହି ଚୁକ୍ତି ଏକ ଦୁର୍ଲଭ କୁଟନୈତିକ ଉପଲବ୍ଧି ବୋଲି କୁହାଯାଉଥିଲା, କିନ୍ତୁ ଇସ୍ରାଏଲର ଅସ୍ତ୍ରବିରତିର ଦିନକ ପରେ କରାଯାଇଥିବା ଆକ୍ରମଣ ଯୋଗୁଁ ଯୁଦ୍ଧ ବଢିବାର ଆଶଙ୍କା କରାଯାଉଛି।