ମୁମ୍ବାଇ ୧୭/୦୧: ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କୁ ଗତକାଲି ମରଣାନ୍ତକ ଆକ୍ରମଣ ହୋଇଥିଲା। ତାଙ୍କ ଘରେ ପଶି ଦୁର୍ବୃତ୍ତ ତାଙ୍କୁ ୬ ଥର ଛୁରିରେ ହମ୍ଲା କରିଛି । ମେରୁଦଣ୍ଡ, କାନ୍ଧ ଓ ହାତ ଆଦି ୬ଟି ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଲୀଳାବତି ହସ୍ପିଟାଲରେ ସର୍ଜରି ପରେ ମେରୁ ହାଡ଼ରୁ ଛୁରି ଖଣ୍ଡ ବାହାରିଛି । କାନ୍ଧ ଓ ହାତରେ ବି ଅସ୍ତ୍ରୋପଚାର ହୋଇଛି । ବର୍ତ୍ତମାନ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ତେବେ ଅଭିନେତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିକୁ ମୁମ୍ବାଇ ପୋଲିସ ଗିରଫ କରିଛି। ଗିରଫ ପରେ ତାକୁ ବାନ୍ଦ୍ରା ପୋଲିସ ଷ୍ଟେସନକୁ ନିଆଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ଅନେକ ପୋଲିସ ଟିମ୍ ଗଠନ କରାଯାଇଥିଲା। ୩୩ ଘଣ୍ଟାରେ ଅଭିଯୁକ୍ତକୁ ଗିରଫ କରିବା ପୋଲିସ ପାଇଁ ଏକ ବଡ ସଫଳତା ହୋଇଛି।
ସୂଚନାନୁସାରେ, ପୋଲିସ ଅଭିଯୁକ୍ତକୁ ଏକ ଅଜ୍ଞାତ ସ୍ଥାନରୁ ଗିରଫ କରିଛି। ଅଭିଯୁକ୍ତକୁ ବାନ୍ଦ୍ରା ପୋଲିସ ଷ୍ଟେସନର ପ୍ରଥମ ମହଲାକୁ ନିଆଯାଇଛି। ଏଠାରେ ବରିଷ୍ଠ ପୋଲିସ ଅଧିକାରୀମାନେ ତାକୁ ପଚରାଉଚରା କରୁଛନ୍ତି। ଆଜି ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରାଯିବ। ପୋଲିସ ତାର ରିମାଣ୍ଡ ମାଗିବ। ଏହି ଆକ୍ରମଣରେ ସେ ଏକାକୀ ସମ୍ପୃକ୍ତ ଅଛି ନା ଏହି ଷଡଯନ୍ତ୍ରରେ ଅନ୍ୟ କେହି ଅଛନ୍ତି ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି। ଏଥିସହିତ ଆପାର୍ଟମେଣ୍ଟରେ କିପରି ପ୍ରବେଶ କଲା ଏବଂ ଅନ୍ୟ ବଲିଉଡ ସେଲିବ୍ରିଟିମାନେ ଏହାର ଟାର୍ଗେଟରେ ଥିଲେ ତାହା ଜାଣିବାକୁ ପ୍ରୟାସ କରୁଛି।
ତେବେ ଏହି ଅଭିଯୁକ୍ତ କିଏ, ଏହା ଏପର୍ଯ୍ୟନ୍ତ ଜଣା ପଡିନାହିଁ କିନ୍ତୁ ଖୁବ୍ ଶୀଘ୍ର ତାର ପରିଚୟ ପ୍ରକାଶ ପାଇବ। ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ସୈଫଙ୍କ ଘରୁ ପଳାଇ ସିଧା ବାନ୍ଦ୍ରା ଷ୍ଟେସନ ଆଡକୁ ଯାଇଥିଲେ। ମୁମ୍ବାଇ ପୋଲିସ ଆକ୍ରମଣକାରୀଙ୍କୁ ବାନ୍ଦ୍ରା ଷ୍ଟେସନର ସିସିଟିଭି ଫୁଟେଜରେ ଦେଖିଥିଲା।