ରାୟଗଡ଼ା, ୦୮/୦୮ : ରେଳ ଧାରଣା ଉପରେ ପଥର। ଅଳ୍ପକେ ଟଳିଗଲା ବଡ଼ ଅଘଟଣ। ଗୁରୁବାର ବିଳମ୍ବିତ ରାତିରେ ରାୟଗଡ଼ା ସହର ଉପକଣ୍ଠ ମଝିଘରିଆଣୀ ମନ୍ଦିର ନିକଟରେ ରହିଥିବା ରେଳ ଧାରଣାରେ ଏକ ବଡ଼ ପଥର ପଡ଼ିଥିଲା। ଫଳରେ ବିଶାଖାପାଟଣାରୁ କୋରବା ଯାଉଥିବା ଏକ୍ସପ୍ରେସ୍ ଟ୍ରେନ୍ ଦୀର୍ଘ ସମୟ ଯାଏଁ ଅଟକି ରହିଥିଲା। ଖବର ପାଇବା ପରେ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପଥରଟିକୁ ହଟାଇଥିଲେ। ଏହାପରେ ଉକ୍ତ ରୁଟ୍ରେ ଟ୍ରେନ୍ ଚଳାଚଳ ସ୍ଵାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, ବିଶାଖାପାଟଣା ଠାରୁ କୋରବା ଯାଉଥିବା ଏକ୍ସପ୍ରେସ୍ ଟ୍ରେନ୍ ରାୟଗଡ଼ା ରେଳ ଷ୍ଟେସନରେ ପହଞ୍ଚିବା ବେଳେ ପଥର ପଡ଼ିଥିବା କାରଣରୁ ଟ୍ରେନ୍ ରାୟଗଡ଼ା ଭିତରେ ପ୍ରବେଶ କରିନପାରି ସେଠାରେ ଅଟକି ରହିଥିଲା। ରାୟଗଡ଼ା ରେଳ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଏନେଇ ସୂଚନା ଦିଆଯାଇଥିଲା। ଖବର ପାଇ ରେଳ ଡିଭିଜନ ଡିଆରଏମ ଅମିତାଭ ସିଂଘଲ ଓ ଅନ୍ୟାନ୍ୟ କର୍ମଚାରୀ ପହଞ୍ଚି ତୁରନ୍ତ ପଥରକୁ ଧାରଣାରୁ ବାହାର କରିଥିଲେ। ଏହାପରେ ରେଳ ଚଳାଚଳ ସ୍ଵାଭାବିକ ହୋଇଥିଲା। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳି ଯାଇଛି। ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ନିକଟସ୍ଥ ପାହାଡ଼ରୁ ଏକ ବିରାଟ ପଥର ଖସି ରେଳ ଟ୍ରାକ ଉପରେ ପଡିଥିବା କୁହାଯାଉଛି।