ନୂଆଦିଲ୍ଲୀ,୦୩/୧୧: ଜଳବାୟୁ ପରିବର୍ତ୍ତନ ଯୋଗୁ ବଢୁଛି ସମୁଦ୍ର ସ୍ତର । ଶ୍ରମ ଉତ୍ପାଦକତାରେ ଦେଖାଦେଉଛି ବୃହତ୍ ହ୍ରାସ । ଆଗାମୀ ଦିନରେ ଭାରତୀୟ ଅର୍ଥନୀତି ଉପରେ ଏହାର ବିଶାଳ ପ୍ରଭାବ ଦେଖିବାକୁ ମିଳିବ । ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ସମସ୍ୟା ଦ୍ୱାରା ୨୦୭୦ ସୁଦ୍ଧା ଭାରତର ଜିଡିପି ୨୪.୭% ଧୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଛି ଏସିଆନ୍ ଡେଭଲପ୍ମେଣ୍ଟ ବ୍ୟାଙ୍କ (ଏଡିବି)। ଏହା ଭାରତକୁ ଏସିଆ- ପ୍ରଶାନ୍ତ ଅଞ୍ଚଳର ଅନ୍ୟତମ ସର୍ବାଧିକ ପ୍ରଭାବିତ ରାଷ୍ଟ୍ରରେ ପରିଣତ କରିବ ବୋଲି ଏଡିବି କହିଛି ।
ଯଦି ଗ୍ରୀନ୍ହାଉସ୍ ଗ୍ୟାସ ନିର୍ଗମନ ସ୍ଥିତି ଅତି ଖରାପ ରୁହେ ତେବେ ବିକାଶମୁଖୀ ଏସିଆ-ପ୍ରଶାନ୍ତ ଅଞ୍ଚଳରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ୨୦୭୦ ସୁଦ୍ଧା ୧୭.୯% ସଂକୁଚିତ ହେବ । ଏପରିକି ୨୧୦୦ ମସିହା ସୁଦ୍ଧା ଏହି ହ୍ରାସ ୪୧%କୁ ବଢ଼ିପାରେ ବୋଲି ଏଡିବି ଏହାର ରିପୋର୍ଟ ‘ଏସିଆ-ପାସିଫିକ୍ କ୍ଲାଇମେଟ୍ ରିପୋର୍ଟ’ରେ ଉଲ୍ଲେଖ କରିଛି ।
ତେବେ ଜଳବାୟୁ ପରିବର୍ତ୍ତନର ସର୍ବାଧିକ ପ୍ରଭାବ ବାଂଲାଦେଶ ଉପରେ ପଡ଼ିପାରେ ବୋଲି ରିପୋର୍ଟରେ କୁହାଯାଇଛି । ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାଗୁଡ଼ିକ ଯୋଗୁ ୨୦୭୦ ସୁଦ୍ଧା ବାଂଲାଦେଶ ଜିଡିପି ୩୦.୫% ଖସିପାରେ । ଭିଏତ୍ନାମରେ ପ୍ରଭାବ ୩୦.୨%, ଇଣ୍ଡୋନେସିଆରେ ୨୬.୮% ଏବଂ ଭାରତରେ ୨୪.୭% ରହିବ ବୋଲି ରିପୋର୍ଟରେ ଅନୁମାନ କରାଯାଇଛି ।
ସେହିଭଳି ଏହି ସମସ୍ୟା ଯୋଗୁ ଉଚ୍ଚ-ଆୟ ଦକ୍ଷିଣପୂର୍ବ ଏସିଆର ଜିଡିପି ୨୨%, ପାକିସ୍ତାନର ଜିଡିପି ୨୧.୧%, ପାସିଫିକ୍ର ୧୮.୬% ଏବଂ ଫିଲିପାଇନ୍ସର ଜିଡିପି ୧୮.୧% ଖସିପାରେ ବୋଲି ଆକଳନ କରାଯାଇଛି ।
ରିପୋର୍ଟରେ ଆହୁରି ସତର୍କ କରାଯାଇଛି ଯେ, ଯଦି ଜଳବାୟୁ ସମସ୍ୟା ବଢ଼େ ତେବେ ୨୦୭୦ ସୁଦ୍ଧା ଏସିଆ- ପ୍ରଶାନ୍ତ ଅଞ୍ଚଳର ୩୦ କୋଟି ପର୍ଯ୍ୟନ୍ତ ଲୋକେ ଉପକୂଳ ବନ୍ୟା ବିପତ୍ତିର ସାମ୍ନା କରିବେ । ଏହା ଦ୍ୱାରା ବହୁ ଟ୍ରିଲିୟନ ଡଲାର କୋଷ୍ଟାଲ ପ୍ରପର୍ଟି ଧୂଳିସାତ୍ ହୋଇଯିବ ।
ସମୁଦ୍ରର ବର୍ଦ୍ଧିତ ସ୍ତର ଏବଂ ଶ୍ରମ ଉତ୍ପାଦକତା ହ୍ରାସ ଯୋଗୁ ଏସିଆ ପ୍ରଶାନ୍ତ ଅଞ୍ଚଳରେ ବ୍ୟାପକ କ୍ଷତି ହେବ । ନିମ୍ନ ଆୟ ଏବଂ ଦୁର୍ବଳ ଅର୍ଥନୀତିଗୁଡ଼ିକ ଅଧିକ ପ୍ରଭାବିତ ହେବେ । ବିଶାଳ ଉପକୂଳ ଜନସଂଖ୍ୟାଯୁକ୍ତ ରାଷ୍ଟ୍ରଗୁଡ଼ିକୁ ଜଳବାୟୁ ପରିବର୍ତ୍ତନ ସର୍ବାଧିକ ବାଧିବ । ଗରିବ ଲୋକେ ଏହା ଦ୍ୱାରା ଅଧିକ ପ୍ରଭାବିତ ହେବେ ବୋଲି ଏଡିବି ପ୍ରକାଶ କରିଛି ।
୨୦୨୧ରେ ବିଶ୍ୱରେ ମୋଟ ଗ୍ରୀନ୍ହାଉସ୍ ଗ୍ୟାସ ନିର୍ଗମନରେ ଅଧା ଯୋଗଦାନ ରଖିଥିଲା ଏସିଆ-ପାସିଫିକ୍ । ଚୀନ୍, ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆ ଏଥିପାଇଁ ବଡ଼ ଆକାରରେ ଦାୟୀ ରହିଥିବା ଏଡିବି ଏହାର ‘ଏସିଆ- ପାସିଫିକ୍ କ୍ଲାଇମେଟ୍ ରିପୋର୍ଟ’ରେ ପ୍ରକାଶ କରିଛି ।
ଏଡିବିର ସଭାପତି ମାସାତ୍ସୁଗୁ ଆସାକାୱା କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁ ଏସିଆ-ପାସିଫିକ୍ରେ ଝଡ଼ବାତ୍ୟା, ତାତି ଏବଂ ବନ୍ୟା ଲଗାତର ବଢୁଛି । ଏହା ଅର୍ଥନୀତି ଏବଂ ମାନବ ଜୀବନ ପାଇଁ ବଡ଼ ବିପଦ ପାଲଟିଛି । ଅତି ବିଳମ୍ବ ହୋଇଯିବା ପୂର୍ବରୁ ତ୍ୱରିତ ଏବଂ ଉତ୍ତମ-ସଂଯୋଜିତ ଜଳବାୟୁ ପଦକ୍ଷେପ ନିଆଯାଇ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ।
ଅତିରିକ୍ତ ବିଶ୍ୱ ତାପନ ଯୋଗୁ ଭାରତ ଏବଂ ଚୀନ୍ ସୀମାରେ ଭୂସ୍ଖଳନ ଏବଂ ବନ୍ୟା ବିପଦକୁ ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆଗକୁ ବାତ୍ୟା ଏବଂ ଝଡ଼ ଆଦି ଅଧିକ ଧ୍ୱଂସକାରୀ ପାଲଟିବ ଏବଂ ଜଳବାୟୁ ଉପରେ ନିର୍ଭରଶୀଳ କୃଷି କ୍ଷେତ୍ରରେ ଉତ୍ପାଦନ ବଡ଼ ମାତ୍ରାରେ ହ୍ରାସ ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଜଳବାୟୁ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଏସିଆ-ପ୍ରଶାନ୍ତ ଅଞ୍ଚଳ ଅକ୍ଷୟ ଶକ୍ତିକୁ ଗ୍ରହଣ କରିବା ସହ କାର୍ବନ ବଜାର ବିକଶିତ କରିପାରିବେ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି । ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱପାଇଁ ନୂଆ ଆହ୍ୱାନ ଭାବେ ଛିଡ଼ା ହୋଇଛି । ଏହା ଦେଶଗୁଡ଼ିକର ଧନଜୀବନ ଉପରେ ନକରାତ୍ମକ ପ୍ରଭାବ ପକାଉଥିବାରୁ ଏ ନେଇ ଅଭିନବ କୌଶଳ ରୂପରେ ଏବେ ଫୋକସ ଜାରି ରହିଛି।