ଭୁବନେଶ୍ୱର: ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ, ଆନୁଷ୍ଠାନିକ ଧର୍ମ ଏକ ବୃହତ୍ତର ସମାଜକୁ ଏକତ୍ର କରିଛି । ଲୋକମାନଙ୍କ ମଧ୍ୟରେ ସଂପର୍କ, ସହଯୋଗ ଓ ପ୍ରେମ ସୃଷ୍ଟି କରିଛି । ଅପର ପକ୍ଷରେ ଧର୍ମ ଲୋକମାନଙ୍କ ମଧ୍ୟରେ ଘୃଣା, ହିଂସା ଓ ଶତ୍ରୁତା ମଧ୍ୟ ସୃଷ୍ଟି କରିଛି । ପୃଥିବୀର ଅଧିକାଂଶ ଭୟାବହ ଯୁଦ୍ଧର କାରଣ ହେଉଛି ଏହି ଆନୁଷ୍ଠାନିକ ଧର୍ମ । ପ୍ରତ୍ୟେକ ଧାର୍ମିକ ଗୋଷ୍ଠୀ ଦାବି କରନ୍ତି ସେମାନଙ୍କ ଧର୍ମ ହିଁ ଶ୍ରେଷ୍ଠ ଓ ଅନ୍ୟ ଧର୍ମସବୁ ନିକୃଷ୍ଟ । ମୁସଲମାନମାନେ ଅଣ-ମୁସଲମାନମାନଙ୍କୁ କାଫେର କହନ୍ତି ଓ ସେମାନଙ୍କୁ ହତ୍ୟା କରିବା ଧର୍ମ ମଣନ୍ତି । ଖ୍ରୀଷ୍ଟିଆନମାନେ ଅଣ-ଖ୍ରୀଷ୍ଟିଆନମାନଙ୍କୁ ବିଧର୍ମୀ କହନ୍ତି ଓ ସେମାନଙ୍କ ନର୍କଗତି ହେବ ବୋଲି କହନ୍ତି । ପ୍ରତ୍ୟେକ ଧାର୍ମିକ ଗୋଷ୍ଠୀ ନିଜ ଧର୍ମବିଶ୍ୱାସକୁ ଜାବୁଡ଼ି ଧରି ମନର ଝରକାକୁ ବାହ୍ୟଜଗତକୁ ଦେଖିବା ପାଇଁ ଖୋଲନ୍ତି ନାହିଁ । ନିଜ ବିଶ୍ୱାସରେ ସନ୍ତୁଷ୍ଟ ହୋଇ ତାହା ହିଁ ଶ୍ରେଷ୍ଠ ଓ ଶେଷ କଥା ବୋଲି ପ୍ରତିପାଦନ କରିବା ପାଇଁ ପ୍ରୟାସ କରନ୍ତି । ଏହିପରି ଭାବନାରୁ ଜନ୍ମନିଏ ଧର୍ମାନ୍ଧତା ଓ ଧର୍ମ-ଧର୍ମ ମଧ୍ୟରେ ବିଦ୍ୱେଷ ଓ ହିଂସା । ଏହି ପ୍ରସଙ୍ଗରେ ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ସ୍ୱାମୀ ବିବେକାନନ୍ଦ ଏକ କୂପମଣ୍ଡୁକ ଉପାଖ୍ୟାନ କହିଥିଲେ ।
ବେଙ୍ଗଟିଏ ଗୋଟିଏ କୂପରେ ବାସ କରୁଥିଲା । ସେହି କୂଅରେ ତାର ଜନ୍ମ ଓ ସେଠାରେ ସେ ପ୍ରତିପାଳିତ । ଘଟଣାକ୍ରମେ ସମୁଦ୍ରରୁ ଏକ ବେଙ୍ଗ ଆସି ସେ କୂଅରେ ପଡ଼ିଲା । କୂପମଣ୍ଡୁକ ତାକୁ ପଚାରିଲା- ତୁମେ କେଉଁଠୁ ଆସିଲ? ସେ ଉତ୍ତର ଦେଲା- ସମୁଦ୍ରରୁ । ବେଙ୍ଗଟି ପଚାରିଲା- ତାହା କ’ଣ ମୋ କୂଅଠାରୁ ବଡ଼? ସମୁଦ୍ର ବେଙ୍ଗ କହିଲା- ତୁମେ ଏହି କ୍ଷୁଦ୍ର କୂଅ ସହ ବିଶାଳ ସମୁଦ୍ରକୁ ତୁଳନା କରୁଛ କିପରି? କୂପମଣ୍ଡୁକ କୂଅର ଗୋଟିଏ ପ୍ରାନ୍ତରୁ ଆଉ ଏକ ପ୍ରାନ୍ତକୁ ଲମ୍ଫ ଦେଇ କହିଲା- ସମୁଦ୍ର କ’ଣ ଏତେ ବଡ଼? ସମୁଦ୍ର ମଣ୍ଡୁକ ଉତ୍ତର ଦେଲା- ସମୁଦ୍ର ସହ କୂଅକୁ ତୁଳନା କରି ତୁମେ ମୂର୍ଖଙ୍କ ଭଳି ପ୍ରଳାପ କରନାହିଁ । ତା’ସତ୍ତେ୍ୱ କୂପ ମଣ୍ଡୁକ କହିଲା- ମୋ କୂଅଠାରୁ ପୃଥିବୀରେ ଆଉ କିଛି ବଡ଼ ଥାଇ ପାରେନା । ତୁମେ ମିଥ୍ୟାବାଦୀ ଏଠୁ ଚାଲିଯାଅ । ଏହି କୂପମଣ୍ଡୁକ ଭଳି ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ ଆଦି ଧର୍ମାବଲମ୍ବୀ ସେମାନଙ୍କ କ୍ଷୁଦ୍ର କୂଅରେ ରହି ତାକୁ ହିଁ ସମଗ୍ର ଜଗତ ବୋଲି ଭାବୁଛନ୍ତି । ମାତ୍ର ତା' ବାହାରେ ଯେ ଆହୁରି ଏକ ବିଶାଳ ଜଗତ ଅଛି, ସେ କଥା ସ୍ୱୀକାର କରିବାକୁ ସେମାନେ ପ୍ରସ୍ତୁତ ନୁହଁନ୍ତି ।
ଆମେ ମଣିଷ ଭାବରେ ସମସ୍ତେ ପରସ୍ପରଠାରୁ ଭିନ୍ନ । ମାତ୍ର ମଣିଷ ଜାତିର ଏକ ଅଂଶ ଭାବରେ ଆମେ ସମସ୍ତେ ସମାନ । ଜଣେ ପୁରୁଷ ଭାବରେ ସେ ମହିଳାଠାରୁ ଭିନ୍ନ । ମାତ୍ର ମଣିଷ ଭାବରେ ପୁରୁଷ ଓ ମହିଳା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଜଣେ ମଣିଷ ଭାବରେ ଆମେ ପଶୁଠାରୁ ଭିନ୍ନ, ମାତ୍ର ଜଣେ ପ୍ରାଣୀ ଭାବରେ ପଶୁଠାରୁ ଅଭିନ୍ନ । ଏକ ଜୀବନ୍ତ ସତ୍ତା ଭାବରେ ପୁରୁଷ, ମହିଳା, ପଶୁପକ୍ଷୀ, ବୃକ୍ଷଲତା ସମସ୍ତେ ଅଭିନ୍ନ ଓ ସ୍ଥିତି ଦୃଷ୍ଟିରୁ ଏହିସବୁ ସମଗ୍ର ବିଶ୍ୱରୁ ଅଭିନ୍ନ । ସେହି ବୈଶ୍ୱିକ ସ୍ଥିତି ହେଉଛି ଈଶ୍ୱର ଏବଂ ଜଗତରେ ତାହାହିଁ ହେଉଛି ଚରମ ଏକତ୍ୱ । ଈଶ୍ୱରଙ୍କ ଭିତରେ ଆମେ ସମସ୍ତେ ଏକ ଓ ଅଭିନ୍ନ । ମାତ୍ର ପ୍ରକଟନରେ ଭିନ୍ନତା ଅଛି । ଆମେ ଏକ ବିଶ୍ୱଧର୍ମର ପରିକଳ୍ପନା କରି ଯଦି ଚିନ୍ତା କରିବା ଯେ, ବିଶ୍ୱର ସମସ୍ତ ଜନତା ଗୋଟିଏ ସିଦ୍ଧାନ୍ତକୁ ବିଶ୍ୱାସ କରିବେ ଓ ଗ୍ରହଣ କରିବେ, ଏହା ସଂପୂର୍ଣ୍ଣ ଅସମ୍ଭବ । ଠିକ୍ ସେପରି ସମଗ୍ର ବିଶ୍ୱର ଗୋଟିଏ ପ୍ରକାର ପୂଜାପଦ୍ଧତି ଓ ଗୋଟିଏ ଧର୍ମଗ୍ରନ୍ଥ ରହିବ ଏହା ମଧ୍ୟ ସମ୍ଭବ ନୁହେଁ । ବିଭିନ୍ନ ରୁଚି ଓ ବିଭିନ୍ନ ମନ ନେଇ ବିଶ୍ୱରେ ରହିଥିବା କୋଟି କୋଟି ଲୋକ କେବେ ମଧ୍ୟ ଗୋଟିଏ ଦର୍ଶନ ବା ସିଦ୍ଧାନ୍ତରେ ବିଶ୍ୱାସ କରିବେ ନାହିଁ । ଏଣୁ ବିବିଧତା ମଧ୍ୟରେ ଏକତା ସନ୍ଧାନ କରିବା ଆମର ଧ୍ୟେୟ ହେବା ଉଚିତ ।
ବିଶିଷ୍ଟ ଜର୍ମାନ ଲେଖକ ମାକ୍ସ ମୁଲାର ତାଙ୍କର ଏକ ବହିରେ ଜଣେ ଭାରତୀୟ ଦାର୍ଶନିକ ଓ ସକ୍ରେଟିସଙ୍କ ଏକ କଥୋପକଥନ ଉଲ୍ଲେଖ କରିଛନ୍ତି । ଭାରତୀୟ ଦାର୍ଶନିକ ସକ୍ରେଟିସଙ୍କୁ ପଚାରିଲେ- ଶ୍ରେଷ୍ଠ ଜ୍ଞାନ କ’ଣ? ସକ୍ରେଟିସ ଉତ୍ତର ଦେଲେ- ମଣିଷ ଜାଣିବା ହେଉଛି ସମସ୍ତ ଜ୍ଞାନର ଲକ୍ଷ୍ୟ । ଭାରତୀୟ ଦାର୍ଶନିକ କହିଲେ- ଈଶ୍ୱରଙ୍କୁ ନଜାଣି ମଣିଷକୁ ଜାଣିହେବ କିପରି? ଏ କଥାର ତାତ୍ପର୍ଯ୍ୟ ହେଉଛି ସୃଷ୍ଟିକୁ ଜାଣିବା ପାଇଁ ହେଲେ ତାର ସ୍ରଷ୍ଟାକୁ ଜାଣିବା ନିହାତି ଆବଶ୍ୟକ । ଏଣୁ ଛାନ୍ଦୋଗ୍ୟ ଉପନିଷଦରେ କୁହାଯାଇଛି- ମାଟିକୁ ଜାଣିଲେ ମାଟିନିର୍ମିତ ସମସ୍ତ ବସ୍ତୁକୁ ଜାଣିହେବା ଭଳି ସ୍ରଷ୍ଟାଙ୍କୁ ଜାଣିଲେ ତାଙ୍କର ସମଗ୍ର ସୃଷ୍ଟିକୁ ଜାଣିହେବ । ୟୁରୋପୀୟ ଦୃଷ୍ଟିଭଙ୍ଗୀ ମଣିଷ ସଂପର୍କୀୟ ଜ୍ଞାନ ଉପରେ ଗୁରୁତ୍ୱ ଦେବାବେଳେ ଭାରତୀୟ ଦୃଷ୍ଟିଭଙ୍ଗୀ ଈଶ୍ୱର ବିଷୟକ ଜ୍ଞାନ ଉପରେ ଗୁରୁତ୍ୱ ଦେଇଛି । ଗୋଟିଏ ଦୃଷ୍ଟିଭଙ୍ଗୀରେ ରହିଛି ପ୍ରକୃତି ମଧ୍ୟରେ ଈଶ୍ୱରଙ୍କ ସ୍ଥିତିର ଅନୁଭବ ଓ ଅନ୍ୟଟିରେ ରହିଛି ଈଶ୍ୱରଙ୍କ ମଧ୍ୟରେ ପ୍ରକୃତିର ଅବସ୍ଥିତିର ଅନୁଭବ । ଏହି ଦୁଇ ବିପରୀତ ଦୃଷ୍ଟିଭଙ୍ଗୀଠାରୁ ଦୂରେଇ ଆମକୁ ଏକ ନିରପେକ୍ଷ ଦୃଷ୍ଟିଭଙ୍ଗୀ ପୋଷଣ କରିବାକୁ ହେବ । ବ୍ୟକ୍ତି ଭେଦରେ ଦୃଷ୍ଟିଭଙ୍ଗୀର ବିବିଧତା ରହିବ । ସେହି ବିବିଧତା ଭିତରେ ଆମକୁ ଏକତ୍ୱର ସନ୍ଧାନ କରିବାକୁ ପଡ଼ିବ । ସମଗ୍ର ବିଶ୍ୱର ବିବିଧତା ମଧ୍ୟରେ ଏକତ୍ୱର ପ୍ରକଟନ ହୋଇଛି ଓ ଏକତ୍ୱ ମଧ୍ୟରେ ବିବିଧତା ପ୍ରକାଶ ପାଇଛି । ଏଣୁ ଭଗବତ୍ ଗୀତାରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି "ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି/ ତସ୍ୟାହଂ ନ ପ୍ରଣଶ୍ୟାତି ସ ଚ ମେ ନ ପ୍ରଣଶ୍ୟତି' (୬/୩୦) । ଅର୍ଥାତ୍- ଯିଏ ସକଳ ପ୍ରାଣୀ ମଧ୍ୟରେ ମୋତେ ଦେଖେ ଓ ମୋଠାରେ ସକଳ ପ୍ରାଣୀକୁ ଦେଖେ ତାଙ୍କ ପାଇଁ ମୁଁ ଅଦୃଶ୍ୟ ହୁଏନାହିଁ କି, ସେ ମୋ ପାଇଁ ଅଦୃଶ୍ୟ ହୁଅନ୍ତି ନାହିଁ । ଭଗବତ୍ ଗୀତାର ଏହି ଦର୍ଶନ ଉଭୟ ଦୃଷ୍ଟିଭଙ୍ଗୀର ଏକ ଚମତ୍କାର ସମନ୍ୱୟ । ବିବିଧତା ନଥିଲେ ଏକତ୍ୱର ଧାରଣା ଆସିବ କୁଆଡ଼ୁ? ଏକତ୍ୱ ତିଆରି କରିବାକୁ ହୁଏନାହିଁ । ଏହା ସୃଷ୍ଟି ଆରମ୍ଭରୁ ଅଛି । ସବୁ ଧର୍ମ ସ୍ୱୀକାର କରନ୍ତି ସୃଷ୍ଟିର ପ୍ରାରମ୍ଭରୁ ଈଶ୍ୱର ଅଛନ୍ତି । ଏଣୁ ଆମେ "ସୀମିତ'କୁ ଉପଲବ୍ଧି କଲେ ସ୍ୱତଃ "ଅସୀମ'କୁ ଉପଲବ୍ଧି କରିବା । ଏଣୁ ରବୀନ୍ଦ୍ରନାଥ ଈଶ୍ୱରଙ୍କୁ ସମ୍ବୋଧନ କରି ଲେଖିଥିଲେ "ସୀମାର ମାଝେ ଅସୀମ ତୁମି' । ଗୋଟିକୁ ଛାଡ଼ି ଅନ୍ୟଟିକୁ ଉବଲବ୍ଧି କରିବା ସମ୍ଭବ ନୁହେଁ । ଏହି ଏକତ୍ୱ ସର୍ବଦା ଅଛି । ଆମକୁ କେବଳ ଉପଲବ୍ଧି କରିବାକୁ ପଡ଼ିବ । ପ୍ରତ୍ୟେକ ଧର୍ମର ଲକ୍ଷ୍ୟ ହେଉଛି ଈଶ୍ୱରଙ୍କୁ ନିଜ ମଧ୍ୟରେ ଉପଲବ୍ଧି କରିବା । ଏହି ଉପଲବ୍ଧିର ପଦ୍ଧତି ଭିନ୍ନ ହୋଇପାରେ, ମାତ୍ର ଲକ୍ଷ୍ୟ ଏକ । ଏଣୁ ଶିବମହିମ୍ନ ସ୍ତୋତ୍ରରେ କୁହାଯାଇଛି ‘ରୁଚିନାଂ ବୈଚିତ୍ର୍ୟାଦୃଜୁକୁଟିଳ ନାନାପଥଜୁଷାଂ/ ନୃଣାମକୋ ଗମ୍ୟସ୍ତମସି ପୟସାମର୍ଣ୍ଣବ ଇବ’ । ଅର୍ଥାତ୍- ହେ ଭଗବାନ! ବିଭିନ୍ନ ନଦୀର ଉତ୍ସ ବିଭିନ୍ନ ସ୍ଥାନରେ, ମାତ୍ର ସେମାନେ ଶେଷରେ ଯେପରି ସମୁଦ୍ରରେ ମିଳିତ ହୁଅନ୍ତି, ସେହିପରି ଯେଉଁମାନେ ନିଜ ନିଜ ରୁଚିର ବିବିଧତା କାରଣରୁ ସରଳ, କୁଟିଳ ନାନା ପଥରେ ଯାଉଛନ୍ତି, ସେମାନେ ଶେଷରେ ତୁମ ପାଖରେ ହିଁ ପହଞ୍ଚନ୍ତି । ଏହି ଦୃଷ୍ଟିଭଙ୍ଗୀକୁ ଗ୍ରହଣ କରିଦେଲେ ଆଉ ଧର୍ମ-ଧର୍ମ ମଧ୍ୟରେ କୌଣସି ଦ୍ୱେଷଭାବ ରହିବ ନାହିଁ ।
ବିଭିନ୍ନ ଆନୁଷ୍ଠାନିକ ଧର୍ମ ସତ୍ୟକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖୁଥିବାରୁ ସେମାନଙ୍କ ମତ ଭିନ୍ନ ହେବା ସ୍ୱାଭାବିକ । ସ୍ୱାମୀ ବିବେକାନନ୍ଦ କହୁଥିଲେ- ମନେ କର, ଜଣେ ସୂର୍ଯ୍ୟ ଆଡ଼କୁ ଯାତ୍ରା କରି ବିଭିନ୍ନ ସ୍ତରରେ ସୂର୍ଯ୍ୟଙ୍କ ଆଲୋକଚିତ୍ର ନେଲା । ସବୁ ଆଲୋକଚିତ୍ର ଭିନ୍ନ ଭିନ୍ନ ଦେଖାଯିବ । ମାତ୍ର ଆମେ କହିପାରିବା ନାହିଁ ଯେ ଏହା ସୂର୍ଯ୍ୟଙ୍କ ଚିତ୍ର ନୁହେଁ । ଗୋଟିଏ ଚର୍ଚ୍ଚର ଆଲୋକଚିତ୍ର ବିଭିନ୍ନ କୋଣରୁ ନିଆଗଲେ ଚିତ୍ରଗୁଡ଼ିକର ଭିନ୍ନତା ଆସିବ । ସେହିପରି ଆମେ ସତ୍ୟକୁ ବିଭିନ୍ନ ଦିଗରୁ ଦେଖିଲେ ତାହା ଆମକୁ ଭିନ୍ନ ଭିନ୍ନ ଦେଖାଯିବ । ଆମର ଶିକ୍ଷା ଓ ଧୀଶକ୍ତି ଅନୁସାରେ ଆମର ବୋଧଗମ୍ୟତା ଓ ଉପଲବ୍ଧି ଭିନ୍ନ ଭିନ୍ନ ହେବ । ତଦ୍ୱାରା ସତ୍ୟ ଭିନ୍ନ ଭିନ୍ନ ହୁଏନାହିଁ । ତାହା ସର୍ବଦା ଏକ ଓ ଅଭିନ୍ନ । ଇଂରାଜୀରେ ଅଛି ଏକ କାହାଣୀ । ଥରେ ଦୁଇଜଣ ସୈନିକ ଗୋଟିଏ ଚାରିଛକରେ ପହଞ୍ଚିଲେ । ସେଠାରେ ବିଜୟଦେବୀଙ୍କ ମୂର୍ତ୍ତିଟିଏ ଥିଲା । ସେହି ମୂର୍ତ୍ତିଟିର ଗୋଟିଏ ପାଶ୍ୱର୍ ସ୍ୱର୍ଣ୍ଣ ଓ ଅନ୍ୟ ପାଶ୍ୱଟି ରୌପ୍ୟ । ମୂର୍ତ୍ତିଟିର ଯେଉଁ ପାଶ୍ୱର୍ ସୁନାରେ ତିଆରି ସେ ଦିଗରୁ ଜଣେ ସୈନିକ ଆସିଲା ।
ମୂର୍ତ୍ତିଟିକୁ ଦେଖି ଭାବିଲା- ମୂର୍ତ୍ତିଟି ସୁନାରେ ତିଆରି ହେବା ସତ୍ତେ୍ୱ ଏଠି ଛିଡ଼ାହୋଇ ରହିଛି । ଏଥିରୁ ଜଣାପଡ଼ୁଛି, ଏଠାରେ ଡକାୟତିର ଭୟ ନାହିଁ । ଏଠାକାର ଲୋକେ ସଚ୍ଚୋଟ । ଅନ୍ୟ ଦିଗରୁ ଆସିଥିବା ସୈନିକ କହିଲା- ମୂର୍ଖ! ମୂର୍ତ୍ତିଟି ରୂପାରେ ତିଆରି । ସେଠୁ ଆରମ୍ଭ ହେଲା ତର୍କ । କ୍ରମେ ତର୍କ ମାର୍ପିଟ୍ ଆଡ଼କୁ ଯାଉଥିବାବେଳେ ଜଣେ ସାଧୁପୁରୁଷ ସେଠାରେ ପହଞ୍ଚିଲେ । ସେମାନଙ୍କ ତର୍କ ଶୁଣିବା ପରେ କହିଲେ- ତୁମେ ଉଭୟେ ଠିକ୍ ଓ ଉଭୟେ ଭୁଲ୍ । ସେ ଉଭୟଙ୍କୁ ମୂର୍ତ୍ତିର ଚାରିପଟେ ବୁଲାଇ ଦେଖାଇବା ପରେ ସେମାନେ ନିଜର ଭୁଲ୍ ବୁଝିପାରିଲେ । ବିଭିନ୍ନ ଧର୍ମାବଲମ୍ବୀ ସତ୍ୟକୁ ବିଭିନ୍ନ ଦିଗରୁ ଦେଖି ବିଭିନ୍ନ ଅନୁଭବ କରନ୍ତି ସିନା, ସତ୍ୟ ଏକ ଥାଏ । ପ୍ରତ୍ୟେକ ଅନୁଭୂତି ଠିକ୍, ମାତ୍ର ଆଂଶିକ ଠିକ୍ । ସଂପୂର୍ଣ୍ଣ ଠିକ୍ ନୁହେଁ । ଏଣୁ ଆମେ ବିବିଧ ଅନୁଭୂତିର ସମନ୍ୱୟ କରି ଏକ ସଂହତି ସୃଷ୍ଟି କରିପାରିଲେ ଧର୍ମ-ଧର୍ମ ମଧ୍ୟରେ ଆଉ କଳହ ସୃଷ୍ଟି ହେବନାହିଁ ।
ପୃଥିବୀରେ ଯେତିକି ଅନୁଷ୍ଠାନିକ ଧର୍ମ ଅଛି, ସେସବୁ ସତ୍ୟର ଗୋଟିଏ ଗୋଟିଏ ଦିଗକୁ ଆବିଷ୍କାର କରିଛନ୍ତି । ଏଣୁ ପ୍ରତ୍ୟେକ ଧର୍ମ ଅନ୍ୟ ଧର୍ମଗୁଡ଼ିକୁ ମଧ୍ୟ ସମ୍ମାନ ଦେଲେ ନିଜର ସ୍ୱାତନ୍ତ୍ର୍ୟ ବଜାୟ ରଖି ମଧ୍ୟ ଧାର୍ମିକ ସଂହତି ସୃଷ୍ଟିକରି ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ଦେଇହେବ । ସ୍ୱାମୀ ବିବେକାନନ୍ଦ କହୁଥିଲେ- ମାଟିରେ ମଞ୍ଜି ପୋତାଯାଏ । ମାଟି, ପାଣି, ପବନ ତା’ ଚାରିପାଖରେ ଥାଏ । ଏହି ମଞ୍ଜି ମାଟି, ପାଣି ଓ ପବନକୁ ସମାହିତ କରେ ଓ ଏକ ବୃକ୍ଷର ଉପାଦାନରେ ପରିଣତ କରି ଶେଷରେ ଏକ ବୃକ୍ଷ ହୁଏ । ଧର୍ମ ମଧ୍ୟ ଠିକ୍ ସେପରି ବିକଶିତ ହେବା ଉଚିତ । ଜଣେ ଖ୍ରୀଷ୍ଟିଆନ ବୌଦ୍ଧ ବା ହିନ୍ଦୁ ନହେଉ ବା ଜଣେ ହିନ୍ଦୁ ବା ବୌଦ୍ଧ ଖ୍ରୀଷ୍ଟିଆନ ବା ମୁସଲମାନ ନହେଉ । ମାତ୍ର ପ୍ରତ୍ୟେକ ଧର୍ମ ଅନ୍ୟ ଧର୍ମର ନିର୍ଯ୍ୟାସ ଗ୍ରହଣ କରିବା ସହ ନିଜ ସ୍ୱାତନ୍ତ୍ର୍ୟ ବଜାୟ ରଖି ନିଜ ନିୟମ ଅନୁସାରେ ବିକଶିତ ହୁଅନ୍ତୁ । ଏହା ହେଉଛି ବୈଶ୍ୱିକ ଧର୍ମର ପରିଭାଷା।