ନୂଆଦିଲ୍ଲୀ,୨୮/୦୮: କଂଗ୍ରେସ ମୁଖପାତ୍ର ଆଲୋକ ଶର୍ମା ରବିବାର ଦାବି କରିଛନ୍ତି ଯେ, ଏନଡିଏର ବୈଠକରେ ଭାଗ ନେଇଥିବା ୩୮ ରାଜନୈତିକ ଦଳ ମଧ୍ୟରୁ ୪ ରୁ ୫ଟି ଦଳ 'ଇଣ୍ଡିଆ' ମେଣ୍ଟ ସହିତ ସମ୍ପର୍କରେ ଅଛନ୍ତି ଏବଂ ଏଥିମଧ୍ୟରୁ କିଛି ଆଗାମୀ ଦିନରେ ବିରୋଧି ମେଣ୍ଟରେ ସାମିଲ ହେବେ। ଶର୍ମା ଏହା ମଧ୍ୟ କହିଛନ୍ତି ଯେ, ସେପ୍ଟେମ୍ବର ପହିଲାରେ ମୁମ୍ବାଇରେ ହେବାକୁ ଥିବା 'ଇଣ୍ଡିଆ' ମେଣ୍ଟର ଆଗାମୀ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ନିଆଯିବ।
ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧିତ ଏନଡିଏ ବୈଠକରେ ଅଂଶଗ୍ରହଣ କରିଥିବା ୩୮ ଟି ଦଳ ମଧ୍ୟରୁ ଅତି କମରେ ୪ ରୁ ୫ ଟି ରାଜନୈତିକ ଦଳ 'ଇଣ୍ଡିଆ' ମିଳିତ ମେଣ୍ଟ ସହ ଯୋଗାଯୋଗ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଖୁବ ଶୀଘ୍ର ବିରୋଧୀ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଥିବାବେଳେ କେତେକ (୨୦୨୪) ନିର୍ବାଚନ ପୂର୍ବରୁ ଯୋଗଦେବେ। ”ଗତ ମାସରେ ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଅତି କମରେ ୩୮ ଟି ଦଳ ଯୋଗ ଦେଇଥିଲେ।
ତିନୋଟି ଦଳକୁ ନେଇ ଗଠିତ ମହାରାଷ୍ଟ୍ରରେ କଂଗ୍ରେସ ମହା ବିକାଶ ଅଘାଡିର ନେତୃତ୍ୱ ନେବ କି ନାହିଁ ବୋଲି ଶର୍ମା ସିଧାସଳଖ ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି। ସେ କହିଛନ୍ତି ଯେ 'ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ କିଏ ନେତୃତ୍ୱ ନେବେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଆମେ ସମସ୍ତେ ଏକ ଶକ୍ତିଶାଳୀ ମେଣ୍ଟ ଭାବରେ ଏହି ଅହଂକାରୀ ସରକାରକୁ ହଟାଇ ପାରିବା।' ସେ ପୁଣି କହିଛନ୍ତି ଯେ, ବିଭିନ୍ନ ରାଜ୍ୟ ତଥା ଅଞ୍ଚଳରେ ଯେକେହି ନେତୃତ୍ୱ ନେଇପାରିବେ କିନ୍ତୁ ଦେଶର ସମସ୍ତଙ୍କୁ ଏକଜୁଟ କରିବା ପାଇଁ କଂଗ୍ରେସ ସବୁ ରାଜ୍ୟରେ ଏକ ଶକ୍ତିଶାଳୀ ମେଣ୍ଟ ଭାବରେ କାର୍ଯ୍ୟ କରିବ। ଶର୍ମା କହିଛନ୍ତି, ୨୦୨୪ ବର୍ଷ ଭାରତର ଅଟେ।'